• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ହେବ ବ୍ରଜରାଜ ନଗରର ବିଜେଡି ପ୍ରାର୍ଥୀ ? ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଗୋଟିଏ ପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଅନ୍ୟ ପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ଏବେ ସରଗରମ ଜିଲ୍ଲା ରାଜନୀତି । ଖାଲି ଚର୍ଚ୍ଚା ଆଲୋଚନା ନୁହେଁ କର୍ମୀମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲି କହିଲେଣି । ଝାରସୁଗୁଡା ରାଜନୀତିରେ ପ୍ରଥମେ କିଶୋର ବନାମ ନବ ଫାଇଟ୍ ତ ଦେଖିଥିଲେ, ଏବେ ଅଳକା ବନାମ୍ ଦୀପାଳି ଫାଇଟ୍‌କୁ ନେଇ ଚର୍ଚ୍ଚା ।

କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ । ବ୍ରଜରାଜନଗରରେ ଏବେ ଅନେକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଦୀପାଳି ଦାସଙ୍କୁ । ଏଇ ଯେମିତି ମହିଳା ଦିବସରେ କାର୍ଯ୍ୟକ୍ରମ ସହ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ଠାରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ କାର୍ଯ୍ୟକ୍ରମ । ଚର୍ଚ୍ଚା ହେଉଛି ବ୍ରଜରାଜନଗର ଅଞ୍ଚଳରେ ପରିଚିତ ହେବା ପାଇଁ ଫିଲ୍ଡ ୱାର୍କ ଆରମ୍ଭ କରି ଦେଇଛନ୍ତି ଦୀପାଳି ।

ସେପଟେ ପୌର ନିର୍ବାଚନ ସମୟରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ବ୍ରଜରାଜନଗରରେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଆଶା ରଖିଥିବା କହିଥିଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ।

 

ଲଖନପୁରରେ ଉଭୟଙ୍କ ସମର୍ଥକଙ୍କ ମହଲରେ ମଧ୍ୟ ରାଜନୀତି ସରଗରମ ରହିଛି । ଗୋଟିଏ ଗୋଷ୍ଠୀ ଦୀପାଳି ଦାସଙ୍କ ସପକ୍ଷରେ ମତ ରଖୁଥିବା ବେଳେ କିଶୋରଙ୍କ ଅନୁଗତମାନେ ତାଙ୍କ ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ କରିବାକୁ ମତ ରଖିଛନ୍ତି । ଦୀପାଳିଙ୍କୁ ଟିକଟ୍ ମିଳୁ ବୋଲି ବ୍ରଜରାଜନଗରବାସୀ ଚାହୁଁଥିବା ଲଖନପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପ୍ରଧାନ କହିଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ପ୍ରସଙ୍ଗରେ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ବୋଲି ମତ ରଖିଛନ୍ତି ।

ଗତ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ପରଲୋକ ପରେ ଖାଲି ପଡିଛି ବ୍ରଜରାନଗର ବିଧାୟକ ପଦବୀ । ନିୟମ ଅନୁସାରେ ୬ ମାସ ଭିତରେ ହେବ ଉପନିର୍ବାଚନ । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜନୀତି ବି ସରଗରମ ହେଲାଣି ।