• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ । 

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି । ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟରେ ଏଭଳି ସାଙ୍ଘାତିକ ତଥ୍ୟ ଆସିବାପରେ ଘନେଇଛି ବିବାଦ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଆଇନ ଅନୁସାରେ ଅନୁମତି ନଥିଲା ବୋଲି ଅଭିଯୋଗ କରିଛନ୍ତି ସମ୍ବିତ । ରାଜ୍ୟ ସରକାରଙ୍କ ଅହଂକାର ଓ କଳାପହାଡିଆ ମନୋବୃତ୍ତି ନେଇ ସରକାରଙ୍କୁ କଡା ସମୋଲାଚନ କରିଛନ୍ତି ସମ୍ବିତ । ପ୍ରେସ୍ ମିଟ୍‌ରେ ପୁରୀ ସାଂସଦ ପିନାକୀ ମିଶ୍ରକୁ ମଧ୍ୟ ଟାର୍ଗେଟ କରଛନ୍ତି ସମ୍ବିତ ।

ଜବାବ୍‌ରେ ପିନାକୀ କହିଛନ୍ତି, ଯାହା କିଛି ନିର୍ମାଣ ହୋଇଛି ସବୁ ଆଇନ ଅନୁସାରେ ହୋଇଛି । ନ୍ୟାସନାଲ ମନୁମେଣ୍ଟ ଅଥରଟି ବା ଏନ୍ଏମ୍ଏର ଏନ୍ଓସି ଅନୁସାରେ କାମ ହୋଇଥିବା ପିନାକୀ ସଫେଇ ଦେଇଛନ୍ତି । ହାଇକୋର୍ଟ କେଉଁଠି ବି ଷ୍ଟେ ଅଡର୍ ଦେଇନଥିବା ସେ ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର । 

ସେପଟେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଏସ୍ଆଇ ରିପୋର୍ଟରେ ଐତିହ୍ୟ କିର୍ତ୍ତିରାଜୀର ଅପୂରଣୀୟ କ୍ଷତି ହୋଇଥିବା ଦର୍ଶାଯାଇଥିବା ଅପରାଜିତା ଟୁଇଟ୍ କରିଛନ୍ତି । ଏଭଳି ପରିସ୍ଥିତିରେ ମହାପ୍ରଭୁ ଜଗନ୍ନାଥ ନିଜକୁ ନିଜେ ଓ ଶ୍ରୀମନ୍ଦିରକୁ ସରକାରଙ୍କଠାରୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି । ସେପଟେ ସ୍ଥାନୀୟ ବିଧାୟକଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ବି ଏହି ପ୍ରସଙ୍ଗରେ ମତ ରଖିଛନ୍ତି ।

ତେବେ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟ ସାମନ୍ନାକୁ ଆସିବାପରେ ରାଜ୍ୟ ସରକାରଙ୍କ ଗୁମର ଫିଟିଥିବା କୁହାଯାଉଛି । ପୂର୍ବ ଷ୍ଟାଣ୍ଡକୁ ବଦଳାଇ ରିସେପସନ୍ ସେଣ୍ଟରକୁ ପ୍ରୋହିଭିଟଡ୍ ଏରିଆରେ ନକରି ରେଗୁଲେଟେଡ୍ ଏରିଆରେ କରାଯିବ ବୋଲି କୋର୍ଟକୁ ଜଣାଇଛନ୍ତି ରାଜ୍ୟ ସରକାର । କିନ୍ତୁ ଆବେଦନକାରୀଙ୍କ ପକ୍ଷରୁ ରହିତାଦେଶ ପାଇଁ ନିବେଦନ କରାଯାଇଥିଲେ ବି ହାଇକୋର୍ଟ ତାକୁ ଅଗ୍ରାହ୍ୟ କରିବା ସହ ଏଏସ୍ଆଇ ସହଯୋଗରେ ଓ ଏଏସ୍ଆଇର ମତାମତକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାମ କରିବାକୁ କହିଥିବା ସାଂସଦ ପିନାକୀ ମିଶ୍ର କହିଛନ୍ତି । ଏସବୁ ଭିତରେ ଶ୍ରୀମନ୍ଦିର କରିଡର୍ ବିବାଦ କେଉଁ ରୂପ ନେଉଛି ଓ ଜୁନ ୨୨ ତାରିଖ ଶୁଣାଣୀରେ ରାଜ୍ୟ ସରକାର, ଏଏସ୍ଆଇ ସତ୍ୟପାଠର କଣ ପ୍ରତିଜବାବ ଦେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ।