• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀ ଜନ୍ମଦିନ ଉତ୍ସବରେ ଭୁବନେଶ୍ୱର ସାଂସଦ ଅଲୋଡ଼ା । ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସ୍ଥାନୀୟ ଲୋକପ୍ରତିନିଧି ଭାବେ ସାଂସଦ ଅପରାଜିତା ଷ଼ଡଙ୍ଗୀଙ୍କୁ ଡକା ନଯିବାକୁ ନେଇ ତେଜିଛି ରାଜନୀତି । ଖୋଦ୍ ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବର୍ଷିବା ସହ ଏଭଳି ଅସୌଜନ୍ୟତାର କାରଣ ଜାଣିବାକୁ ଚାହିଁଛନ୍ତି । ସବୁଠୁ ବଡ଼ କଥା ହେଉଛି ଆୟୋଜକ କମିଟି ସଭାପତି ଏନେଇ ଅବଗତ ନଥିବା କହିଥିବା ବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଏନେଇ ବିଶେଷ କିଛି ଜାଣି ନଥିବା କହିଛନ୍ତି ।

ବିଧାନସଭା ସାମ୍ନାରେ ରାଜଧାନୀ ପାଳୁଥିଲା ଏହାର ୭୪ତମ ପ୍ରତିଷ୍ଠା ଦିବସ । ମଞ୍ଚରେ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଦୁଇ ମନ୍ତ୍ରୀ, ୪ ବିଧାୟକ, ମେୟରଙ୍କଠୁ ନେଇ ସବୁ ଲୋକପ୍ରତିନିଧି । ସଚିବ, ଜିଲ୍ଲାପାଳଙ୍କଠୁ ନେଇ ପ୍ରାଶାସନିକ ଅଧିକାରୀ ଓ ଆୟୋଜକ କମିଟିର ସଭାପତି ମଧ୍ୟ ଉପସ୍ଥିତ ଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନଥିଲେ ରାଜଧାନୀ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଥିଲେ ନୁହେଁ, ତାଙ୍କୁ ରାଜଧାନୀର ଏତେବଡ଼ କାର୍ଯ୍ୟକ୍ରମକୁ ଡକା ହିଁ ଯାଇ ନଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନଥିଲା ।

ନିମନ୍ତ୍ରଣ ପତ୍ରରେ ନିଜ ନାଁ ନପାଇ ଆଗ ଟୁଇଟ୍ କରି ଅସନ୍ତୋଷ ଝାଡ଼ିବା ପରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୟା ପଛର କାରଣ ଜାଣିବାକୁ ଚାହିଁଛନ୍ତି ଅପରାଜିତା । ଅଭିଯୋଗ କରିଛନ୍ତି- ଅଜାଣତରେ ନୁହେଁ, ବରଂ ଜାଣିଶୁଣି ସ୍ଥାନୀୟ ନିର୍ବାଚିତ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇ ନାହିଁ । ଏହା ପଛରେ କାହାର ହାତ ? କିଏ ତାଙ୍କ ନାଁକୁ ବାଦ୍ ଦେଲା ? ଏହା ଜାଣିବାର ଅଧିକାର ତାଙ୍କୁ ସାଂସଦ ଭାବେ ନିର୍ବାଚିତ କରିଥିବା ଭୁବନେଶ୍ୱରବାସୀଙ୍କର ଅଛି ବୋଲି କହିବା ସହ ଏଭଳି ଅସୌଜନ୍ୟତାର ତଦନ୍ତ ଦାବି କରିଛନ୍ତି ।

 

ହେଲେ ଏତେବଡ଼ ସରକାରୀ କାର୍ଯ୍ୟକ୍ରମରେ ଏଭଳି ତ୍ରୁଟି ହେଲା କେମିତି ? କେଉ ସ୍ତରରେ ଏଭଳି ଭୁଲ ହେଲା ? କାର୍ଯ୍ୟକ୍ରମ ଆଗରୁ ନିମନ୍ତ୍ରଣପତ୍ର ପାଇଥିବା କୌଣସି ଜଣେ ଅତିଥିଙ୍କ ନଜରକୁ ବି ଏକଥା ଆସିଲାନି କେମିତି ? ବିବାଦ ବଢୁଥିବା ଦେଖି ଏବେ ସମସ୍ତେ ହାତ ଝାଡ଼ିବାରେ ବ୍ୟସ୍ତ ଯେମିତି । ଏମିତିକି ଆୟୋଜକ କମିଟି ସଭାପତି ବି କହିଛନ୍ତି, ସାଂସଦଙ୍କ ସହ ଯୋଗାଯୋଗ ହୋଇଥିଲା କି ନାହିଁ ଜାଣିନି ।

ରାଜଧାନୀରେ ସାଂସଦ ଅପରାଜିତା ଓ ଶାସକ ଦଳକୁ ନେଇ ବିବାଦ କିଛି ନୂଆ ନୁହେଁ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ହେଉ କିମ୍ବା ଏକାମ୍ରକ୍ଷେତ୍ର ବିକାଶ ପାଇଁ ନିୟମ ଉଲ୍ଲଂଘନ ଅବା, ଝାରପଡ଼ା ଗଣେଶମଣ୍ଡପ ହାଟ ଉଚ୍ଛେଦ ଭଳି ବହୁ ପ୍ରସଙ୍ଗରେ ସରକାରଙ୍କୁ ହରଡ଼ଘଣାରେ ପକାଇଛନ୍ତି ସାଂସଦ ଅପରାଜିତା । ଯେଉଥିପାଇଁ ସରକାରୀ କଳ ପ୍ରତିକ୍ରିୟାଶୀଳ ହୋଇ, କେତେବେଳେ ଅପରାଜିତାଙ୍କ ଅଫିସ୍ ସିଲ୍ କରୁଛି, ତ ପୁଣି କେତେବେଳେ ବରିଷ୍ଠ ନାଗରିକଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଖୋଦ୍ ରାଜଧାନୀର ନୟାପଲ୍ଲିରେ ଅପରାଜିତାଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ଭଳି ଘଟଣା ବି ଘଟିଛି । ହେଲେ ଆଜି ସରକାରୀ କାର୍ଯ୍ୟକ୍ରମରେ ଜଣେ ସାଂସଦଙ୍କୁ ନିମନ୍ତ୍ରଣ କରା ନଯିବା ଭଳି ଏ ଘଟଣାକୁ ବିରୋଧୀ କଂଗ୍ରେସ ବି ନିନ୍ଦା କରିଛି ।

ରାଜଧାନୀ ପ୍ରତିଷ୍ଠା ଦିବସ ମଂଚରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ । ଏପରିକି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବି କହିଛନ୍ତି ଏନେଇ ସେ ବିଶେଷ କିଛି ଜାଣିନାହାନ୍ତି ।