• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଗୋଟେ ଆଭିମୁଖ୍ୟ, ହେଲେ ୨୦୨୨ ବେଳକୁ ଓଲଟା । ଯେଉଁ ବିଜେଡି ପୂର୍ବଥର ଏନଡିଏ ରଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିରୋଧୀ ଦଳ କ୍ୟାଣ୍ଡିଡେଟ୍‌କୁ ଭୋଟ୍ ଦେଇଥିଲା । ଏଥର କିନ୍ତୁ କାହିଁକି ବଦଳିଗଲା ନିଷ୍ପତ୍ତି । କାହିଁକି ଏନଡିଏର ଉଭୟ ପ୍ରାର୍ଥୀଙ୍କୁ ଦେଲା ଅକୁଣ୍ଠ ସମର୍ଥନ । ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ କଂଗ୍ରେସ ସିଧା ନିଶାନା କରିଛି । କଂଗ୍ରେସ କହିଛି ଏହା କେବଳ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଙ୍କ ଚଢ଼ଉ ଡର ।

ସରିଲା ରାଷ୍ଟ୍ରପତି ନିର୍ବାଚନ । ଏବେ ଉପରାଷ୍ଟ୍ରପତି ଇଲେକ୍ସନ କାଉଣ୍ଟଡାଉନ୍ । ଏଣେ ଆଜି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଜଗଦୀପ ଧନଖଡ୍ । ମନୋନୟପତ୍ର ଦାଖଲ କରିବାବେଳେ ଧନଖଡ଼ଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଓ ନୀତିନ ଗଡ଼କରୀ ପ୍ରମୁଖ । ସେହିପରି ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ମଧ୍ୟ ନୋମିନେସନ୍ ସମୟରେ ଏନଡିଏ ନେତାମାନଙ୍କ ସହ ସାମିଲ ହୋଇଥିଲେ ।

ତେବେ ଏଠି ପ୍ରଶ୍ନ- ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ଗୋଟେ ପ୍ରକାର ଥିବାବେଳେ ୨୦୨୨ରେ ବଦଳିଲା କିପରି ? ୨୦୧୭ରେ ଯଦିଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଇଥିଲା, ହେଲେ ଉପ-ରାଷ୍ଟ୍ରପତି ନିର୍ବାଚନ ବେଳକୁ କିନ୍ତୁ ବିରୋଧୀ ଦଳଙ୍କ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଭୋଟ୍ ଦେଇଥିଲା । ହେଲେ ଏଥର କିନ୍ତୁ ବିରୋଧୀଙ୍କ ଶିବିରକୁ ସମ୍ପୂର୍ଣ୍ଣ ବାଏ କରି ଏନଡିଏର ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଦେଇଛି ଅକୁଣ୍ଠ ସମର୍ଥନ । ଯଦିଓ ଦ୍ରୌପଦୀ ମୁର୍ମୂ ଓଡ଼ିଶା ଝିଅ, ତେଣୁ ତାଙ୍କୁ ସମର୍ଥନ ଦେବାରେ ଅସୁବିଧା ନାହିଁ । ହେଲେ ଜଗଦୀପ ଧନକଡ଼ ତାଙ୍କୁ ଏନଡିଏ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରୁ କରୁ ତହିଁ ଆରଦିନ ବିଜେଡିର ତତ୍‌କ୍ଷଣାତ୍ ସମର୍ଥନ ଘୋଷଣାକୁ ନେଇ ନାନା ଚର୍ଚ୍ଚା ।

 

ଏମିତିକି ଏକଦା ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ୍ ଆଲଭାଙ୍କୁ ବି ବିଜେଡି ସମର୍ଥନ ନଦେବା ଚର୍ଚ୍ଚାକୁ ଅଧିକ ରୋଚକ କରିଛି । ଏହା ବିଜେପି ପ୍ରତି ବିଜେଡିର ଭକ୍ତି ନା ଭୟ ବୋଲି ଆଲୋଚନା ହେଉଛି । କଂଗ୍ରେସ କହିଛି ଚିଟ୍‌ଫଣ୍ଡ ଓ ବିଭିନ୍ନ ସ୍କାମରେ ଫସିଥିବା ବିଜେଡି ନେତାଙ୍କୁ ସିବିଆଇ, ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଚଢ଼ଉ ଓ ଗିରଫ ଡର ଘାରିଛି । ଏମିତିକି ଏନଡିଏ ପାଖରେ ପୂର୍ଣ୍ଣ ସମର୍ଥନ ଥାଇ ବି ବିଜେଡିର ଏଭଳି ଅଯାଚିତ ସମର୍ଥନରୁ ବିଜେପି-ବିଜେଡି ଏକ ବୋଲି ଧରାପଡୁଛି । ତେଣେ ବିଜେପି କହିଛି ଏକ ଅଣକଂଗ୍ରେସ ଦଳ ଭାବେ ବିଜେଡି ପାଖରେ ଏହା ହିଁ ଶେଷ ପନ୍ଥା । ଆଉ ବିଜେଡିର ମତ ଏନଡିଏର ଉଭୟ ପ୍ରାର୍ଥୀ ଉପଯୁକ୍ତ, ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଘୋଷଣା କରିଛନ୍ତି ।

ତେବେ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ଥିବା ବିଜେଡିର ଆଭିମୁଖ୍ୟ ୨୦୨୨ରେ ଅତର୍କିତ ପରିବର୍ତ୍ତନ ହେବାକୁ ନେଇ କିନ୍ତୁ ଭିନ୍ନ ଭଙ୍ଗିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ । ଏବେ ଅପେକ୍ଷା ରାଷ୍ଟ୍ରପତି-ଉପରାଷ୍ଟ୍ରପତି ନିର୍ବାନ ପରେ ଏ ସମର୍ଥନ ପଲିଟିକ୍ସରେ କଣ ପରିବର୍ତ୍ତନ ଆସୁଛି ।