• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମ୍ପୁଛି ବ୍ରଜରାଜନଗରର ପ୍ରଚାର ମୈଦାନ । ଚାଲିଛି ଜବରଦସ୍ତ କସରତ । କାରଣ ପ୍ରଚାର ପାଇଁ ମଝିରେ ରହିଲା ଆଉ ମାତ୍ର ୩ ଦିନ । ୨୯ରେ ପ୍ରଚାର ସରିବା ପରେ ୩୧ରେ ହେବ ମତଦାନ । ତେଣୁ ପ୍ରଚାର ଗ୍ରାଉଣ୍ଡରେ ତିନି ଦଳର ହେଭିୱେଟ, ତିନି ଦଳର ଷ୍ଟାର କ୍ୟାମ୍ପେନର । କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

ଏସବୁ ଭିତରେ ଦୁର୍ଦ୍ଦଶାରେ ଥିବା ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଓ କୋଇଲା ଖଣିର ବିସ୍ଥାପିତଙ୍କୁ ହକ୍, ୯୯ ମସିହାରୁ ବନ୍ଦ ଥିବା ଓରିଏଣ୍ଟ କାଗଜକଳର କାର୍ଯ୍ୟକ୍ଷମ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସେହିପରି ୩୩ଟି ପଞ୍ଚାୟତ ବିଶିଷ୍ଟ ଲଖନପୁର ବ୍ଲକକୁ ଭାଙ୍ଗି ୨ଟି ବ୍ଲକ କରିବା ପ୍ରସଙ୍ଗ ବି ଅନ୍ୟତମ ପ୍ରମୁଖ ମୁଦ୍ଦା ସାଜିଛି ନିର୍ବାଚନୀ ମୈଦାନରେ । ତେବେ ବିଜେଡି କହିଛି ପ୍ରସଙ୍ଗ ତ ରହିଛି ହେଲେ ବ୍ରଜରାଜନଗରରେ ହୋଇଥିବା ବିକାଶ ହିଁ ଦଳର ମୁଖ୍ୟ ଅସ୍ତ୍ର  ା

ତେବେ କିଏ ହେବେ ବ୍ରଜରାଜନଗରର ବାଜିଗର ? ୨ ଲକ୍ଷ ୧୫ ହଜାର ପାଖାପାଖି ଜନତାଙ୍କ କିଏ ସାଜିବେ ଭାଗ୍ୟ ବିଧାତା ? ଏବେଠୁ ଆକଳନ କରିବା ମୁସ୍କିଲ୍ । କାରଣ ସବୁ ଦଳରେ ରହିଛି ସ୍ୱତନ୍ତ୍ର ରଣନୀତି । ପଞ୍ଚାୟତକୁ ପଞ୍ଚାୟତ ଜଗୁଛନ୍ତି ବିଜେଡି ନେତା । ଡେରା ପକାଇଛନ୍ତି ବିଜେଡ଼ିର ୮ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ । ଷ୍ଟ୍ରାଟେଜୀର ମଙ୍ଗ ଧରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ପୌରାଞ୍ଚଳ ଦାୟିିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଥିବାବେଳେ ବେଲପାହାଡ଼କୁ ଜଗିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ସେହିପରି ଲଖନପୁରରେ ମନ୍ତ୍ରୀ ସମୀର ଦାଶ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତରେ ମନ୍ତ୍ରୀ ଅରୁଣ ସାହୁ ବଳ ଖଟାଉଛନ୍ତି ।

 

ତେଣେ ବିଜେଡି ରଣନୀତିକୁ କାଉଣ୍ଟର ପାଇଁ ସାରା ନିର୍ବାଚନମଣ୍ଡଳୀରେ ଲାଗିଛନ୍ତି ୧୦ ବିଜେପି ବିଧାୟକ । ବ୍ରଜରାଜନଗର ପୌରାଞ୍ଚଳରେ ମୋହନ ମାଝୀ, ବେଲପାହାଡ଼ରେ କୁସୁମ ଟେଟେ, ଲଖନପୁୁର ବ୍ଲକରେ ଜୋନ ପିଛା ଜଣେ ଲେଖାଏଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ସମସ୍ତ ପ୍ରଚାର ମଙ୍ଗ ଧରିଛନ୍ତି ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେପି ନେତା ରବି ନାୟକ, ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ ପ୍ରମୁଖ ।

କଂଗ୍ରେସ ବି ପଛରେ ନାହିଁ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତିଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ପ୍ରମୁଖ ଡୋର୍ ଟୁ ଡୋର୍ କ୍ୟାମ୍ପେନ ସହ ସଭାସମିତି କରି ଦଳୀୟ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଝାଳ ବୁହାଉଛନ୍ତି । ଏପରିକି ଛତିଶଗଡ଼ରୁ ଦଳୀୟ ହେଭିୱେଟ୍ ଆସି ପ୍ରଚାର କରୁଛନ୍ତି ।

କିଶୋର ମହାନ୍ତିଙ୍କ ବିୟୋଗ ପରେ ଯଦିଓ ବିଜେଡି ପାଖରେ ଅନୁକଂପା ମୂଳକ ଭୋଟ ରହିଥାଇପାରେ, ତଥାପି ଜନତା ଅାଉ ବିରୋଧୀଙ୍କ ପାଖରେ ଥିବା ମୁଦ୍ଦା ଭିତରେ ବିଜେଡିର ଗୋଟି ଚାଳନା କେତେ କାମ କରୁଛି, ତାଉପରେ ନଜର ।