• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଂଚାୟତ ଓ ପୌର ଭୋଟ୍ ପରେ ମୁହାଁମୁହିଁ ବିଜେଡି-ବିଜେପି । ଆରମ୍ଭ ହୋଇଛି ଆକ୍ରମଣ-ପ୍ରତି ଆକ୍ରମଣ । କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିୟମିତ ଟାର୍ଗେଟ କରୁଛି ବିଜେପି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପାର୍ଲାମେଣ୍ଟରେ ଅପରାଜିତା ଓ ପିନାକୀଙ୍କ ମଧ୍ୟରେ କଥା କଟାକଟି । ପୁରୀ ଶ୍ରୀଜନ୍ନାଥ ମେଡିକାଲ କଲେଜ ଲୋକର୍ପଣ ଉତ୍ସବକୁ ନେଇ ବିଜେପି  ମୁଖପାତ୍ର ସମ୍ବିତ ପାତ୍ର ଓ ପିନାକୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ କେନ୍ଦ୍ର ଓ ରାଜ୍ୟ ବିବାଦ । ଦଳର ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି ।

ଏଣେ କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତକୁ ନେଇ ବି ତେଜିଛି ରାଜନୀତି । ଗତକାଲି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ୍‌ଙ୍କ କୋରପୁଟ୍ ଗସ୍ତ ବେଳେ ଜିଲ୍ଲା ପ୍ରଶାସନ ସହଯୋଗ କରିନଥିବା ଅଭିଯୋଗ ଉଠିଥିଲା । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ, ବିକାଶ ପାଇଁ ନୁହେଁ କେବଳ ରାଜନୀତି ବୋଲି କହି ପ୍ରତି ଆକ୍ରମଣ କରିଛି ବିଜେଡି । ଆକାଂକ୍ଷୀ ଜିଲ୍ଲାଗୁଡିକର ଉନ୍ନତି ପାଇଁ ଅଧିକ ଅର୍ଥ ଆବଶ୍ୟକତା ରହିଛି, ତେଣୁ ୬୦-୪୦ ବଦଳରେ ୯୦-୧୦ ଅନୁପାତରେ ଅନୁଦାନ ଦେବାକୁ ଦଳ ଦାବି କରିଛି । ତେବେ ରାଜ୍ୟର ବିକାଶ ଲାଗି କେନ୍ଦ୍ର ହାତ ବଢାଉଥି ବେଳେ ରାଜ୍ୟର ଅସହଯୋଗ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ।

 

ଏଣେ ରାଜନୈତିକ ହିଂସା ପ୍ରସଙ୍ଗକୁ ନେଇ ବି ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ । ଢେଙ୍କାନାଳ ପୌରଧ୍ୟକ୍ଷ ଘର ଉପରକୁ ବାରମ୍ବାର ବୋମା ମାଡ ଓ ଲୁଇସିଙ୍ଗା ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ ସରକାରଙ୍କୁ ନିଶାନା କରିଛି ବିଜେପି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତ ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି ଢେଙ୍କାନାଳ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ତେବେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରରେ ବିଜେଡି କହିଛି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଠିକ୍ ଅଛି । କିଛି ଘଟଣାକୁ ଧର୍ମେନ୍ଦ୍ର ଅତିରଂଜିତ କରୁଥିବା ଦଳୀୟ ନେତା କହିଛନ୍ତି ।

ପଂଚାୟତ ଓ ପୌର ନିର୍ବାଚନ ପରେ ଏବେ ସବୁ ଦଳଙ୍କ ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ବିଜେପି ଏହାର ଓଡ଼ିଶା ରଣନୀତି ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଥିବାରୁ ଦୁଇ ଦଳଙ୍କ ମଧ୍ୟରେ ଆଗକୁ ଲଢେଇ ଆହୁରି ଜୋରଦାର ହେବ ବୋଲି କୁହାଯାଉଛି । ତେବେ ଏ ଲଢେଇରେ ବାସ୍ତବତା ରହିଛି ନା ଏହା କେବଳ ଛଦ୍ମ ଲଢେଇ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।