• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଲୁଜା ବନାମ ଜିଲ୍ଲାପାଳ । କନକ ବର୍ଦ୍ଧନ ବନାମ ବିଡିଓ । ସଂଗୀତା ବନାମ ପିଡି DRDA । ବଲାଙ୍ଗିରରେ ଏଭଳି ବଢୁଛି ନେତା-ପ୍ରଶାସକଙ୍କ କଳି । ବଲାଙ୍ଗିର ପଞ୍ଚାୟତ ସାଧନ କେନ୍ଦ୍ରରେ ମୁହାଁମୁହିଁ ସାଂସଦ ସଂଗୀତା କୁମାରୀ ସିଂ ଦେଓ ଓ ବଲାଙ୍ଗିର ପିଡି DRDA  ସୁଶାନ୍ତ କୁମାର ସିଂ । ଆଉ ଏ କଳିର କାରଣ ହେଲା- ପ୍ରତିଥର ଭଳି PD DRDA କନ୍‌ଫରେନ୍ସ ହଲ୍‌ରେ ଦିଶା ବୈଠକ ପାଇଁ ସ୍ଥିର ହୋଇଥିଲେ ବି ପରେ ଏହାର ସ୍ଥାନ ପରିବର୍ତ୍ତନ କରାଯାଇ ପଞ୍ଚାୟତ ସାଧନ କେନ୍ଦ୍ର ରଖାଯାଇଥିଲା । ହେଲେ ସାଂସଦ ସଂଗୀତା ବୈଠକ ପାଇଁ ସେଠି ପହଞ୍ଚିବା ବେଳକୁ ଜିଲ୍ଲାପାଳ ଆସି ନଥିବାରୁ ପିଡି DRDAଙ୍କ ଉପରେ ରାଗ ସୁଝେଇ ସେଠୁ ସର୍କିଟ୍ ହାଉସ୍ ଚାଲିଗଲେ ।

କେବଳ ଏତିକି ନୁହେଁ ସର୍କିଟ୍ ହାଉସ୍‌କୁ ସବୁ ଅଫିସର ଓ ନିର୍ବାଚିତ ପ୍ରତିନିଧିଙ୍କୁ ଡାକି ସାଂସଦ ଦିଶା ବୈଠକ କରି ଥିଲେ ବି ସେଠି ମଧ୍ୟ ଅଫିସରମାନଙ୍କୁ ତାଗିଦ୍ କରିଥିଲେ । ଏପରିକି ହିନ୍ଦି ଶିକ୍ଷକଙ୍କ ସମସ୍ୟାର ସମାଧାନ କରାଯାଉ ନଥିବା କହି ସାଂସଦ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ଆଣି କିଛି ବିଜେଡି ସମର୍ଥିତ ବ୍ଲକ୍ ଚେୟାରମ୍ୟାନ୍ ଅଧାରୁ ବୈଠକ ଛାଡ଼ି ଚାଲିଯାଇଥିଲେ ।

ଜିଲ୍ଲାରେ ଗଲା ୧୨ ତାରିଖରୁ ଲାଗି ରହିଛି ନେତା-ସରକାରୀ କର୍ମଚାରୀ ତୁତୁ ମେଁମେଁ । ୧୨ ତାରିଖ ଜିଲ୍ଲା ପରିଷଦ ବୈଠକରେ ଅନୁଦାନ କଟାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ବର୍ଷିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହାର ପ୍ରତିବାଦରେ ସରକାରୀ ଅଧିକାରୀ ତିନିଦିନ ଧରି କଳାବ୍ୟାଜ୍ ପିନ୍ଧିଲେ, ଏପଟେ ବିଧାୟକଙ୍କ ସମର୍ଥକ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଏଇଠି ସରିଲାନି ନେତା-ଅଫିସର କଳି । ୧୮ ତାରିଖରେ ବେଲପଡ଼ା ବ୍ଲକ୍ ସମ୍ମୁଖରେ ବିଡିଓ ଭିର ସୋରେନଙ୍କୁ ବି ଟ୍ୟୁସନ୍ କରିଥିଲେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଆଉ ଆଜି ଅଫିସରଙ୍କୁ ସଂଗୀତାଙ୍କ ତାଗିଦ୍ । ହେଲେ କାହିଁକି ଏମିତି ସ୍ଥିତି ? କାହିଁକି ବଢୁଛି ନେତା-ଅଫିସରଙ୍କ ଭିତରେ ତିକ୍ତତା ? ପୂର୍ବତନ ପ୍ରଶାସକଙ୍କ ମତରେ ଲୋକପ୍ରତିନିଧିଙ୍କୁ ସରକାରୀବାବୁ ମାନେ ଯଥୋଚିତ ଗୁରୁତ୍ୱ ଦେଉ ନଥିବାରୁ ସୃଷ୍ଟି ହେଉଛି ଏଭଳି ସ୍ଥିତି । ସେପଟେ ବିଜେଡି ସାଂସଦ ନିରଞ୍ଜନ ବିଶି କିନ୍ତୁ ସମସ୍ତେ ଭାଇ ଭାଇ, ପରିବାର ଭିତରେ ସେମିତି ହୁଏ ବୋଲି କହି ସ୍ଥିତିକୁ ହାଲ୍‌କା କରିବାକୁ ଉଦ୍ୟମ କରିଛନ୍ତି ।

ତେବେ ବଲାଙ୍ଗିରରୁ ଆରମ୍ଭ ହୋଇଥିବା ନେତା-ବାବୁଙ୍କ ଭିତରେ ଏ ତୁତୁମେଁମେଁର ଟ୍ରେଣ୍ଡ ଆଗକୁ କେଉଁ ମୋଡ ନେଉଛି, ଶାସନର ସର୍ବୋଚ୍ଚସ୍ତରରୁ ଅଫିସରଙ୍କୁ ତାଗିଦ୍ କରାଯାଉଛି ନା ନାହିଁ ଏବଂ ସର୍ବୋପରି ବିକାଶମୂଳକ କାମରେ ଏହାର କି ପ୍ରଭାବ ପଡୁଛି ଏବେ ତା ଉପରେ ନଜର ।