• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନିଜ ଲେଖାକୁ ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ।

    କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ ।

    ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି ।

ଭୁବନେଶ୍ୱର: ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । ଏନେଇ ସେ କହିଛନ୍ତି ଯେ, କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ । ତା’ଛଡ଼ା ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି ।

ଭିନ୍ନମତକୁ ଗ୍ରହଣ କରିବାର ଅଭ୍ୟାସ ନରହିଲେ ଗଣତନ୍ତ୍ର ତିଷ୍ଠି ରହିବନି । ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ମଧ୍ୟ ଠିକ୍ ନୁହେଁ ବୋଲି ସୌମ୍ୟ କହିଛନ୍ତି । ଅନ୍ୟ ମତକୁ ସମ୍ମାନ ନଜଣାଇଲେ ନିଜେ ନିଜର ମର୍ଯ୍ୟାଦା ହରାଇବ, ତା’ସହିତ ସଚେତନ ନାଗରିକମାନେ ମତ ପ୍ରକାଶ କରିବାରେ ସଂକୋଚ ନ କରିବାକୁ ସୌମ୍ୟ ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରରେ ୩ ଜଣ ଓଡ଼ିଆ ମନ୍ତ୍ରୀଙ୍କ ସଂପର୍କରେ ସୌମ୍ୟ କହିଛନ୍ତି ଯେ, ତିନି ଜଣ ଯାକ ମନ୍ତ୍ରୀ ଅଭିଜ୍ଞ, ଯୋଗ୍ୟତା ସଂପନ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଆସ୍ଥାବାନ । ଆଉ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଥିବାରୁ କାମ କରିବାରେ ଅସୁବିଧା କେଉଁଠି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବେ, ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ ? ଏହାକୁ ନେଇ ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଯେଉଁଥିରେ ସୌମ୍ୟ ଲେଖିଛନ୍ତି- କେତେକ ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ ଓଡ଼ିଶାର କରୋନା ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି । ଏଥିପାଇଁ ନବୀନ ସରକାର ଅଡୁଆରେ ପଡୁଛନ୍ତି । ସେ ଆହୁରି ମଧ୍ୟ ଲେଖିଥିଲେ ଯେ, କଳେବଳେ କୌଶଳେ ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ।

ସତ ମୃତ୍ୟୁ ସଂଖ୍ୟାଟିକୁ କହିଦେଇଥିଲେ ବିଶେଷ କିଛି କ୍ଷତି ହେବାର ନଥିଲା, ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ ସବୁ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଛି । ପ୍ରଶାସନର ବାମ ହାତ କଣ କରୁଛି ତାହା ଡାହାଣ ହାତ ଜାଣୁନାହିଁ । ତେବେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ବୋଲି ସୌମ୍ୟ ଲେଖିଥିଲେ ।