• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରୋଧୀ ନୁହଁନ୍ତି ବରଂ ବିଧାନସଭାରେ ସରକାରଙ୍କ ପାଇଁ ଅଡୁଆ ଖୋଦ୍ ଶାସକ ସଦସ୍ୟ । ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିଜେଡି ବିଧାୟକ । ଆଜି ଶୂନ୍ୟକାଳରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭାଗିରଥୀ ସେଠୀ ସରକାରଙ୍କ ଗୁମର ଖୋଲିଥିଲେ ।

ସୌମ୍ୟଙ୍କ ଟାର୍ଗେଟରେ ଥିଲେ ସରକାରୀ ଅଧିକାରୀ । ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସେ ପଚାରିଥିବା ପ୍ରଶ୍ନର, ସରକାରୀ ଅଧିକାରୀ ଯେଉଁ ତଥ୍ୟ ରଖିଥିଲେ ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସରକାରୀ ଅଧିକାରୀ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ଦେଉଥିବା ସେ ଅଭିଯୋଗ କରିଛନ୍ତି । ମିଛୁଆ ହୋଇ ଆମେ କାହିଁକି ବିଧାନସଭାରେ ରହିବୁ ବୋଲି ସେ ପ୍ରଶ୍ନ କରିଥିଲେ ।

ମହାନଦୀ ଓ ଅନ୍ୟ ନଦୀଗୁଡିକର ଜଳ ସଂରକ୍ଷଣ କରଯାଉନଥିବାରୁ ସୌମ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ରାଜ୍ୟରେ ସରକାରୀ ଅଧିକାରୀଙ୍କ ଅହଂକାର ବଢି ଯାଇଛି । ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡିବ ବୋଲି ବିଧାନସଭା ବାହାରେ ସେ କଡା ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ନିଜ ଅଞ୍ଚଳର ସ୍ୱାସ୍ଥ୍ୟସେବା ସମସ୍ୟାକୁ ନେଇ ବର୍ଷିଥିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ନଥିବା ବେଳେ ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା କହିଥିଲେ ଭାଗିରଥୀ । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତୁରନ୍ତ ସଜାଡିବା ସହ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ପୂରଣ ଲାଗି ଦାବି କରିଥିଲେ । ସରକାରୀ ଅଧିକାରୀମାନେ ତାଙ୍କ କଥା ଶୁଣୁନଥିବା ଅଭିଯୋଗ ଆଣିବା ସହ ଏନେଇ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମାରିବା ସେଇଆ ବୋଲି ତାଚ୍ଛଲ୍ୟ କରିଥିଲେ ଭାଗିରଥୀ ସେଠୀ । ତେବେ ଏଭଳି ଭାବରେ ଏବେ ଶାସକ ଦଳ ବିଧାୟକ ମାନେ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ।

ସେପଟେ ବିଧାନସଭାରେ ବିଧାୟକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଶୂନ୍ୟକାଳରେ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଲ୍ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ଡକ୍ୟୁମେଣ୍ଟ ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି ନରସିଂହ । ବୁକ ସାର୍କୁଲାର 47 ଉଲଂଘନ ହେଉଥିବା ଓ ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉନଥିବା ସେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ ସାର୍କୁଲାର 47 ସଠିକ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

ଆଗରୁ ବି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବହୁବାର ସରକାରଙ୍କ ଗୁମର ଖୋଲିଛନ୍ତି । ଏବେ ପୁଣି ସରକାରୀ ଅଧିକରୀଙ୍କୁ ସମାଲୋଚନା କରିବା ଓ ତାଙ୍କ ସହ ଅନ୍ୟ ଶାସକ ବିଧାୟକ ବି ଅସନ୍ତୋଷ ଝାଡ଼ିବା, ବିଜେଡିରେ ସବୁ ଠିକ୍ ଚାଲିନଥିବା ଇଂଗିତ କରୁଛି ।