• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଥମୁନି । ନିଜର ବିବାଦୀୟ ବୟାନ ପାଇଁ ସେ ଅଧିକାଂଶ ସମୟରେ ଚର୍ଚ୍ଚାର ପରିଧିକୁ ଚାଲିଆସନ୍ତି । ସେ ଏବେ ପୁଣି କହିଛନ୍ତି, ସେ କେତେବେଳେ ବିଧାୟକ ଓ କେତେବେଳେ ଖବରକାଗଜ ସଂପାଦକ, ତାହା ସେ ଜାଣିପାରୁନାହାନ୍ତି । ସେଇଥିପାଇଁ ତାଙ୍କର ଅସୁବିଧା ହେଉଥିବା ସେ ସ୍ୱୀକାର କରିଛନ୍ତି । ତେଣୁ ସେ କେତେବେଳେ ବିଧାୟକ ଭାବେ ମତ ରଖୁଛନ୍ତି ଓ କେତେବେଳେ ସଂପାଦକ ଭାବେ ମତ ରଖୁଛନ୍ତି, ତାହା ସେ ନିଜେ ଜାଣିପାରୁନାହାନ୍ତି । ସେ ନିଜର ସମ୍ପାଦକୀୟ ‘ଆମ ଘରର ହାଲଚାଲ’ରେ ସରକାରଙ୍କର ଦୋଷ ଦୁର୍ବଳତାକୁ ପଦାକୁ ଆଣି ରାଜନୀତିରେ ହଲଚଲ୍ କରନ୍ତି । ପୁଣି କେତେବେଳେ ବିଭିନ୍ନ ସଭାସମିତିରେ ଉଦବୋଧନ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେରଛା ବାଣ ମାରନ୍ତି ।

‘ପ୍ରଜାତନ୍ତ୍ର’ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସିଧାସିଧା କହିଥିଲେ, ନବୀନ ବାବୁଙ୍କର ଦୁଇଟି ଆଖି ଗୋଟିଏ ପାଣ୍ଡିଆନ ଓ ଅନ୍ୟଟି ବବି । ମୁଖ୍ୟମନ୍ତ୍ରୀ ଏହି ଦୁଇ ଆଖିରେ ଦେଖନ୍ତି । ଏହା ବିଜେଡିରେ ଆଲୋଡନ ସୃଷ୍ଟି କରିଥିଲା । ସେ ସତକଥା କହିଛନ୍ତି ବୋଲି ଅନେକ କହିଥିଲେ । ପରେ ପୁଣି ତାଙ୍କର ସ୍ୱର ନରମି ଯାଇଥିଲା ।

ଏହା ପରେ ସେ ପୁଣି ତାଙ୍କର ସମ୍ପାଦକୀୟରେ ଲେଖିଥିଲେ, ସରକାରଙ୍କର ବିଭିନ୍ନ ଯୋଜନା କେମିତି ବାଟବଣା ହୋଇଛି । ଏପରିକି ରାଜ୍ୟରେ ଶକ୍ତିଶାଳୀ ବିରୋଧୀ ଦଳ ନଥିବାରୁ ବିଜେଡି ଜିତିବା ସହଜ ହେଉଛି ବୋଲି କହିଥିଲେ । ଦଳର ବିଧାୟକ ଥାଇ ସେ ଦଳ ମୁଖିଆଙ୍କ ବିରୋଧରେ ଖୋଲାଖୋଲି ନିଜର ସ୍ପଷ୍ଟ ମତ ରଖିଥିଲେ ।

ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସେ କିନ୍ତୁ ମାପିଚୁପି ମତ ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ମମିତା ମେହେର ପ୍ରସଙ୍ଗରେ ପଚାରିବାରୁ ସେ ଏହାକୁ ଏଡାଇଯାଇଥିଲେ । ବରଂ ଓଲଟା ପ୍ରଶ୍ନ କରିଥିଲେ, ଉତ୍ତରପ୍ରଦେଶରେ କଣ ହେଉଛି । କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅପରାଧରେ ଜଡିତ । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି, ତାହା ସେମାନଙ୍କୁ ପଚାର । ଅଧିକ କିଛି ପଚାରିବାରୁ ସେ କହୁଛନ୍ତି, ମୁଁ ବି ଗଣମାଧ୍ୟମର ଲୋକ । ତୁମର ଜାତିଭାଇ । ମୋତେ କାହିଁକି ପଚାରୁଛ ? ରାଜନୈତିକ ସମୀକ୍ଷକମାନେ ଏହାକୁ କିନ୍ତୁ ଭିନ୍ନ ଭାବେ ବିଶ୍ଲେଷଣ କରୁଛନ୍ତି । ମମିତା ମେହେର ପ୍ରସଙ୍ଗ ଉଠାଇବାରୁ ସେ ଉତ୍ତରପ୍ରଦେଶ କଥା କହୁଛନ୍ତି । ଅର୍ଥାତ ଉତ୍ତରପ୍ରଦେଶରେ କାର୍ଯ୍ୟାନୁଷ୍ଠାନ ହେଉନି ଆମେ କାହିଁକି କରିବୁ । ଉତ୍ତରପ୍ରଦେଶ ଓ ଓଡିଶାରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ବୋଲି ସୌମ୍ୟଙ୍କ କଥାରୁ ଜଣାପଡୁଛି ।

ସେ କେତେବେଳେ ସରକାରଙ୍କ ପକ୍ଷ ନେଇ ନୟାଗଡ ପରୀ ଘଟଣା ଏକ ମାମୁଲି କଥା ବୋଲି କହିଥିଲା ବେଳେ ପୁଣି କେତେବେଳେ ଯୁବ କଂଗ୍ରେସ ଓ ଯୁବ ବିଜେଡି କର୍ମୀମାନେ ଆଶୀର୍ବାଦ ନେବାକୁ ବରିଷ୍ଠ ନେତାଙ୍କ ପାଦ ଅଣ୍ଡାଳନ୍ତି ବୋଲି କହିଥିଲେ । ସତେ ଯେମିତି ବିବାଦୀୟ ମନ୍ତବ୍ୟ ଦେବାରେ ରାଜ୍ୟରେ ସୌମ୍ୟରଞ୍ଜନ ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି । ସୌମ୍ୟରଞ୍ଜନ ବିଧାୟକ ହେବା ପୂର୍ବରୁ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦିଆଯିବା କଥା ଉଠାଇ ଆନ୍ଦୋଳନ କରୁଥିଲେ । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏକାଠି କରି ସରକାରଙ୍କୁ ଘେରୁଥିଲେ । କିନ୍ତୁ ସେ ଏବେ ଶାସକ ଦଳର ସଦସ୍ୟ । ବିଧାନସଭାର ସଦସ୍ୟ ବି । ଚାଷୀଙ୍କ ଆୟ ହିସାବକୁ ନେଲେ ସାରା ଦେଶରେ ଓଡିଶା ତଳ ଆଡୁ ଦ୍ୱିତୀୟ । ବିଜେଡିର ଏହି ବରିଷ୍ଠ ନେତା ବିଧାନସଭାରେ ଚାଷୀ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ପ୍ରସଙ୍ଗ ଉଠାଇଲେ, ଅନେକ ଲୋକ ଉପକୃତ ହୁଅନ୍ତେ । ବିବାଦୀୟ ମନ୍ତବ୍ୟ ଚା କପରେ ଝଡ ସୃଷ୍ଟି କରିପାରେ, କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିପାରେ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ।