• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ପଷ୍ଟ ହୋଇଛି କର୍ଣ୍ଣାଟକ ଚିତ୍ର। ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ୍ ଭେଟରାନ୍ ସିଦ୍ଦରମେୟା । ବହୁମତ ହାସଲ ପରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଡିକେ ଶିବକୁମାର ଓ ସିଦ୍ଦରମେୟାଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି । ସିଦ୍ଦା ହେବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଡେପୁଟି ହେବେ ଡିକେ। ହେଲେ ଡିକେ କେଉଁ ସର୍ତ୍ତରେ ଏଥିପାଇଁ ରାଜି ହେଲେ, ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ ଫର୍ମୁଲା ଲାଗୁ ହେବ କି ନାହିଁ ସେ ନେଇ କେହି ମୁହଁ ଖୋଲିନାହାନ୍ତି ।

୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ସିଦ୍ଦା ବନାମ୍ ଡିକେ ରେସରେ ବାଜି ମାରିନେଇଛନ୍ତି ଭେଟରାନ୍ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ଆଜି ବିଧିବଦ୍ଧ ଭାବେ ହାଇକମାଣ୍ଡ, ସିଦ୍ଦରମେୟା କର୍ଣ୍ଣାଟକର ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି।

 

ସେହିପରି କଂଗ୍ରେସର ପୋଷ୍ଟର ବୟ ଡିକେ ଶିବକୁମାର ହେବେ ସିଦ୍ଦରମେୟାଙ୍କ ଏକମାତ୍ର ଡେପୁଟି ଅର୍ଥାତ ଉପମୁଖ୍ୟମନ୍ତ୍ରୀ । ଗତ ୧୩ ତାରିଖରେ କର୍ଣ୍ଣାଟକରେ ବହୁମତ ହାସଲ କରିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଏହି ଦୁଇ ଦାବିଦାରଙ୍କ ମଧ୍ୟରେ ଚାଲିଥିଲା ରେସ୍ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼େଗ,ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଲଗାତାର ଦୁଇ ଦିନ ଧରି ଜାରି ରହିଥିଲା ଆଲୋଚନା । ଏପରିକି ସିଦ୍ଦରମୈୟାଙ୍କ ଡେପୁଟି ହେବାକୁ ମନା ବି କରି ଦେଇଥିଲେ ଡିକେ। କିନ୍ତୁ ଖଡ଼ଗେ ଓ ରାହୁଲଙ୍କ ମାନଭଞ୍ଜନ ପରେ ଆଜି ଦଳର ବରିଷ୍ଠ ନେତାଙ୍କ ସହ ଦୁଇ ଦିଗଜ ଲଞ୍ଚ ଟେବୁଲରେ ଏକାଠି ହୋଇଥିଲେ ।

ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପଛରେ କଂଗ୍ରେସର ରହିଛି କିଛି ପ୍ରମୁଖ କାରଣ...

(୧) ଡିକେଙ୍କ ଉପରେ ଆୟକର, ଇଡି ଏବଂ ସିବିଆଇ ମାମଲା ରହିଛି । ଏବେ ଏହା ସୁପ୍ରିମକୋର୍ଟରେ ବିଚାରଧିନ। ସେପଟେ ସିଦ୍ଦରମେୟାଙ୍କ ସ୍ବଚ୍ଛ ଭାବମୂର୍ତ୍ତି ସହ ୫ ବର୍ଷର ପୂର୍ଣ୍ଣ ସରକାର ଚଲାଇବାର ଅଭିଜ୍ଞତା ବି ରହିଛି ।

(୨) ୧୩୫ ବିଧାୟକଙ୍କ ମଧ୍ୟରୁ ବରିଷ୍ଠ ଓ ପ୍ରଭାବଶାଳୀ ସଦସ୍ୟଙ୍କ ପସନ୍ଦ ସିଦ୍ଦରମେୟା । କର୍ଣ୍ଣାଟକର ପ୍ରମୁଖ ଲିଙ୍ଗାୟତ ସମ୍ପ୍ରଦାୟଙ୍କ ସମର୍ଥନ ବି ସିଦ୍ଦାଙ୍କ ପଛରେ ଥିବାରୁ କଂଗ୍ରେସ ସେମାନଙ୍କୁ ଅସନ୍ତୋଷ କରିବାକୁ ଚାହିଁନାହିଁ ।

(୩) କର୍ଣ୍ଣାଟକ ପିସିସି ସଭାପତି ଡିକେ ୨୦୨୪ ଯାଏଁ ଦଳର ବିଜୟଧାରାକୁ ବଜାୟ ରଖିବା ପାଇଁ ସଂଗଠନ ସମ୍ଭାଳିବା ନିହାତି ଜରୁରୀ । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନକରି ସଂଗଠନ ଉପରେ ଅଧିକ ଗୁରୁତ୍ବ ଦେବାକୁ ଦଳ ଚାହିଁଛି । ଏହାରି ଭିତରେ କର୍ଣ୍ଣାଟକରେ ପାୱାର ସେୟାରିଂକୁ ନେଇ ଚର୍ଚ୍ଚା ଜୋର ଧରିଛିା ଅଢ଼େଇ ବର୍ଷିଆ ଫର୍ମୁଲା ହେବ କି ନାହିଁ ? ଉପମୁଖ୍ୟମନ୍ତ୍ରୀ ସହ ଡିକେଙ୍କ ପାଖରେ ଅନ୍ୟ କଣ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ରହିବ ? ତେବେ ପାୱାର ସେୟାରିଂ ପ୍ରଶ୍ନକୁ ଏଡ଼ାଇ ଦେଇଛି କଂଗ୍ରେସ ।

ଦିଲ୍ଲୀରେ ଚିତ୍ର ସ୍ପଷ୍ଟ ହେବାପରେ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ସେଲିବ୍ରେସନ୍ ଆରମ୍ଭ ହୋଇଛି । ଆସନ୍ତା ଶନିବାର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ। ହେଲେ ଏହାରି ଭିତରେ ଆଉ ଏକ ଆଶଙ୍କା, ସରକାର ଗଠନ ପରେ ଏଠାରେ ରାଜସ୍ଥାନ ଭଳି ସ୍ଥିତି ବାଦବିବାଦ ଉପୁଜିବନି ତ ?