ନଭେମ୍ବର ୨୦ରେ ପଡ଼ିବ ମହାରାଷ୍ଟ୍ର ଭୋଟ୍ । ବିଧାନସଭା ନିର୍ବାଚନକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ପାରା ଏବେ ବେଶ୍ ଅଧିକ ରହିଛି । ତେବେ ଏହାରି ମଧ୍ୟରେ ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ରାଜନୀତିରୁ ଅବସର ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି । ସାମ୍ପ୍ରତିକ ସମୟରେ ଅଜିତ ପାୱାର ତାଙ୍କ ଅବସର ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ତେବେ ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ନୂତନ ଲୋକ ନିର୍ବାଚିତ ହୋଇ ଆସିବା ଉଚିତ୍ । ୮୪ ବର୍ଷ ବୟସ ହୋଇଯାଇଥିଲେ ମଧ୍ୟ ଏବେ ବି ଶରଦ ପାୱାର ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି ।
Also Read
ଅବସର ସମ୍ପର୍କରେ ସୂଚନା ଦେଇ ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ‘କୌଣସି ସ୍ଥାନରେ ତ ଅଟକିବାକୁ ପଡ଼ିବ’। ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ । ବର୍ତ୍ତମାନ ନୂଆ ଲୋକଙ୍କୁ ଆଗକୁ ଆସିବାକୁ ପଡ଼ିବ’ ବୋଲି ସେ କହିଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମହାରାଷ୍ଟ୍ର ରାଜନୀତିର ଭେଟେରାନ ନେତା ଶରଦ ପାୱାର ଆହୁରି କହିଛନ୍ତି, ‘ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଥର ନିର୍ବାଚନ ଲଢ଼ିଛି । ମୁଁ କହିବାକୁ ଚାହେଁ ଯେ ମୁଁ ଆଉ ସରକାରରେ ନାହିଁ । ମୋ ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ବାକି ଅଛି । ଏହାପରେ ମୁଁ ରାଜ୍ୟସଭା ଯିବି କି ନାହିଁ ଏହା ଉପରେ ବିଚାର କରିବା ଜରୁରୀ । ମୁଁ ଏବେ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋତେ ଏବେ ଆଉ MLA କିମ୍ବା MP ହେବାର ନାହିଁ । ମୁଁ ଲୋକଙ୍କ ସେବାକୁ କରିବାକୁ ଚାହେଁ’ ବୋଲି ଶରଦ ପାୱାର କହିଛନ୍ତି ।
ଏହା ପୂର୍ବରୁ ଅଜିତ ପାୱାର ଏନସିପି ନେତା ଶରଦ ପାୱାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଏହି ବୟସରେ ସେ ଘରେ ରହିବା ଉଚିତ । ସେ କେବେ ଅବସର ନେବେ ତାହା ଜଣାନାହିଁ । ଏହା ପରେ ଶରଦ ପାୱାର ମଧ୍ୟ ପ୍ରତିକ୍ରିୟା ଦେଇ କହିଥିଲେ, ଅଜିତ ପାୱାର ବାରମ୍ବାର ମୋ ବୟସ ସମ୍ପର୍କରେ ବିବୃତ୍ତି ଦିଅନ୍ତି । ମୋର ରାଜ୍ୟସଭା କାର୍ଯ୍ୟକାଳରେ ସମୟ ବାକି ଅଛି । ସେ ପର୍ଯ୍ୟନ୍ତ ମୁଁ ସେବା କରିବି । ଏହା ପରେ ମୁଁ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବି ନାହିଁ’ ବୋଲି ଶରଦ ପାୱାର କହିଥିଲେ ।
ମହାରାଷ୍ଟ୍ରର ବାରାମତିରେ ଶରଦ ପାୱାରଙ୍କ ଏବେ ବି ଦବଦବା ରହିଛି । ଲୋକସଭା ନିର୍ବାଚନ ବେଳେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏଠାରୁ ନିର୍ବାଚନ ଜିତିଥିଲେ । ଅଜିତ ପାୱାର ତାଙ୍କ ପତ୍ନୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲେ । କିନ୍ତୁ ଲୋକସଭା ନିର୍ବାଚନରେ ସେ ପରାଜୟର ସ୍ୱାଦ ଚାଖିଥିଲେ । ଏବେ ବିଧାନସଭା ନିର୍ବାଚନରେ ଶରଦ ପାୱାର ନାତି ଯୁଗେନ୍ଦ୍ର ପାୱାରଙ୍କୁ ବାରାମତିରୁ ଟିକେଟ ଦେଇଛନ୍ତି । ତାଙ୍କର ଲଢ଼େଇ ଅଜିତ ପାୱାରଙ୍କ ସହ ହେବ । ଯାହାକି ମହାରାଷ୍ଟ୍ର ରାଜନୀତିରେ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି ।
୨୦୧୯ରେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ତତ୍କାଳୀନ ଶିବସେନା ଏବଂ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି ସହ କଂଗ୍ରେସ ତ୍ରିକୋଣୀୟ ମେଣ୍ଟରେ ସରକାର ଗଠନ କରିଥିଲେ । ଏହି ମେଣ୍ଟର ନାମ ଥିଲା ‘ମହାବିକାଶ ଆଗାଡି ବା MVA। ଏହି ମେଣ୍ଟ ମୋଟ ୨୮୮ଟି ଆସନ ମଧ୍ୟରୁ ୧୫୪ଟି ଜିତିଥିଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ରେ ଏହି ମେଣ୍ଟ ସରକାରର ପତନ ହୋଇଥିଲା । ପରେ ଉଭୟ ଶିବସେନ ଓ ଏନସିପିରେ ବିଦ୍ରୋହ ଦେଖାଯାଇଥିଲା ଓ ଉଭୟ ଦଳ ଗୋଷ୍ଠୀରେ ବିଭାଜିତ ହୋଇଥିଲେ । ଦୁଇ ପାର୍ଟିର ବିଭାଜିତ ଗୋଷ୍ଠୀ ଏବେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛନ୍ତି ।