Advertisment

‘ପାପଶକ୍ତି ବିରୋଧରେ ଲଢିବାକୁ ଯାଉଛି, ବିଜେଡିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି’

ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ ।

author-image
Satyendu Shekher Mishra
undefined

Bhartruhari Mahatab

ଦିଲ୍ଲୀ ବିଜେପି ଶିବିରରେ ବଡ଼ ମିଶ୍ରଣ । କଳ୍ପନାଜଳ୍ପନାର ଅବସାନ, ସତ ହେଲା ଅନୁମାନ । ପଦ୍ମ ଧରିଲେ ଛଅ ଛଅ ଥରର କଟକ ସାଂସଦ ତଥା ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଭର୍ତ୍ତୃହରି ମହତାବ। ଆଜି ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ଭର୍ତ୍ତୃହରି ବିଜେଡିକୁ ମାରିଛନ୍ତି ବାଣ- କହିଛନ୍ତି, ବିଜେଡ଼ିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି । ଏଠି ପାପଶକ୍ତି ବିରୋଧରେ ଲଢ଼େଇ କରିବାର ଅଛିି ଏବଂ ଓଡ଼ିଶା ଅସ୍ମିତାକୁ ବଞ୍ଚାଇବାର ଅଛି। କେବଳ ବିଜେପି ହିଁ ଓଡ଼ିଶାରେ ପରିବର୍ତ୍ତନ ଆଣିପାରିବ ବୋଲି ଦୃଢ଼ତାର ସହ କହିଛନ୍ତି ଭର୍ତ୍ତୃହରି। ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।

Advertisment

ସେହିପରି ବ୍ରହ୍ମପୁରରୁ ୨ ଥର ଲୋକସଭା ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ବି ଆଜି ବିଜେପିରେ ମିଳିଛନ୍ତି। ସିଦ୍ଧାନ୍ତ କହିଛନ୍ତି ଆଗାମୀ ନିର୍ବାଚନ ପରେ ଓଡ଼ିଶାରେ ବି ଡବଲ୍ ଇଞ୍ଜିନ ସରକାର ହେବ। ଉତ୍ତର ପ୍ରଦେଶରେ ଯେପରି ବିକାଶର ଧାରା ଚାଲିଛି ଏଠି ବି ସେଭଳି ଚାଲିବ। କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିବେ।

ଆଜିର ମିଶ୍ରଣ ପର୍ବରେ ଅନ୍ୟ ପ୍ରମୁଖ ଚେହେରା ଭାବେ ପଦ୍ମ ଧରିଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ଦମୟନ୍ତୀ କହିଛନ୍ତି- ଓଡ଼ିଶାର ଆଦିବାସୀ ମହିଳାଙ୍କ ବିକାଶକୁ ସେ ଅଧିକ ଧ୍ୟାନ ଦେବେ। ଏହି ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମ ଧରିବା ପରେ ତିନି ନେତା ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରିଥିଲେ।

Advertisment

ବିଜେପିରେ ସାମିଲ ହୋଇଥିବା ଏ ତିନି ତୁଙ୍ଗ ବ୍ୟକ୍ତିତ୍ବଙ୍କ ମଧ୍ୟରୁ କିଏ କେଉଁଠି ଭୋଟ୍ ମଇଦାନ ଓହ୍ଲାଇବେ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ବିଜେପି ଏଯାଏଁ କଟକ ଲୋକସଭା ପ୍ରାର୍ଥୀ ଘୋଷଣା କରିନଥିବାରୁ, ଭର୍ତ୍ତୃହରି ସେଠାରୁ ଲଢ଼ିବା ଅନୁମାନ କରାଯାଉଛି। ସେହିପରି ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ବିଧାନସଭା ଆସନ ଓ ଦମୟନ୍ତୀ ବେଶ୍ରା ନିଜ ଜିଲ୍ଲା ମୟୂରଭଞ୍ଜର ରାଇରଙ୍ଗପୁର ଆସନରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି।

ଏମାନଙ୍କ ମିଶ୍ରଣ ଫଳରେ ରାଜ୍ୟ ବିଜେପିର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଶକ୍ତି ବୃଦ୍ଧି ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ। ବିଜେଡି କିନ୍ତୁ କହିଛି-ଭର୍ତ୍ତୃହରି ଓ ସିଦ୍ଧାନ୍ତ ଏବେ ବିଗ୍ ଜିରୋ। ଯେଉଁମାନେ ନବୀନଙ୍କୁ ଛାଡ଼ି ଯାଇଛନ୍ତି ସେମାନଙ୍କୁ ଓଡ଼ିଶା ଭୋଟର ଜବାବ୍ ଦେବେ।

BJD BJP Congress Odisha Politics General Election 2024
Advertisment
Advertisment