Advertisment

ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ

ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି

author-image
Chandan Shishu
undefined

politics on CM Tour to Kalahandi

ବଲାଙ୍ଗିର: ଗୋଟିଏ ପଟେ ମମିତା ମେହେର୍ ହତ୍ୟାକାଣ୍ଡକୁ ଆସନ୍ତାକାଲି ମାସେ ପୁରିବ, ଅନ୍ୟପଟେ କାଲି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ବେଶ୍ ସରଗରମ ଜିଲ୍ଲା ରାଜନୀତି। ଆଉ ତା ପୂର୍ବରୁ କଂଗ୍ରେସ୍, ବିଜେପି ଓ ବିଜେଡି ଭିତରେ ଦେଖିବାକୁ ମିଳିଛି ଛକାପଞ୍ଝା। ଭବାନୀପାଟଣାରେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ବିଜେପି କର୍ମୀ ଅଣ୍ଡାମାଡ଼ ଓ କଳାପତାକା ଦେଖାଇଥିବା ବେଳେ ଦଳ ଆରମ୍ଭ କରିଛି ନ୍ୟାୟ ଶୋଭାଯାତ୍ରା। ସେହିପରି କଂଗ୍ରେସ୍ ଆଜି ନିରବ ପ୍ରାର୍ଥନା କରିଥିବା ବେଳେ ଆସନ୍ତାକାଲି ଦେଇଛି ଜନତା କର୍ଫ୍ୟୁ ଡାକରା। ସେପଟେ ଜୁନାଗଡ଼ରେ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ଗର୍ଜନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

Advertisment

ବାରିପଦାରେ ଗଣ୍ଡଗୋଳ। କୁଚିଣ୍ଡାରେ ବିଜେଡି-ବିଜେପି କର୍ମୀଙ୍କ ଭିତରେ ମାରପିଟ୍। ମମିତା ହତ୍ୟା ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଯେଉଁଠିକି ବି ଯାଇଛନ୍ତି ସେଠାରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ଆଉ ଏଭଳି ସ୍ଥିତିରେ ମମିତା ହତ୍ୟାକାଣ୍ଡ ଘଟିଥିବା ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜିଲ୍ଲା କଳାହାଣ୍ଡିକୁ ଆସନ୍ତାକାଲି ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ତା ପୂର୍ବରୁ ଭବାନୀପାଟଣା କଲେଜ୍ ଛକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ି ଉପରକୁ ହୋଇଛି ଅଣ୍ଡାମାଡ଼। କଳାପତାକା ଦେଖାଇଛି ବିଜେପି।

ଧସ୍ତାଧସ୍ତି ହୋଇଛନ୍ତି ବିଜେପି-ବିଜେଡି କର୍ମୀ। ସେପଟେ ମମିତାଙ୍କୁ ନ୍ୟାୟ ଓ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି ଆରମ୍ଭ କରିଛି ନ୍ୟାୟ ଶୋଭାଯାତ୍ରା। ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡ଼ାରେ ଏହି ଶୋଭାଯାତ୍ରା କରାଯାଉଛି। ତେଣେ କଂଗ୍ରେସ୍ ଆହ୍ୱାନରେ ମମିତାଙ୍କ ଆତ୍ମାର ସଦଗତି ପାଇଁ ସାରା କଳାହାଣ୍ଡିରେ ଆଜି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ଏହାକୁ କାଉଣ୍ଟର କରିବାକୁ ଜୁନାଗଡ଼ରେ ମିଶ୍ରଣ ପର୍ବ ଆୟୋଜନା କରିଥିଲା ବିଜେଡି।

Advertisment

ଦିବ୍ୟଶଙ୍କର ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଆସନ୍ତକାଲି କଂଗ୍ରେସ୍ ପକ୍ଷରୁ କଳାହାଣ୍ଡିରେ ଜନତା କର୍ଫ୍ୟୁର ଡାକରା ଦିଆଯାଇଥିବା ବେଳେ ବିଜେପି ଚକାଜାମ୍ କରିବାକୁ ଘୋଷଣା କରିଛି। ଏଥିସହିତ ରାଜ୍ୟର ସମସ୍ତ ବ୍ଳକ୍‌ରେ ବିକ୍ଷୋଭ କରିବ ବିଜେପି। ସେପଟେ ବିଜେଡି ମହିଳାମାନଙ୍କୁ ନେଇ ଭବାନୀପାଟଣାରେ ଏକ ବିଶାଳ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। 

ସେପଟେ ଆଜି ଜୁନାଗଡ଼ରେ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୂଚନା ଅନୁସାରେ ଦିବ୍ୟଶଙ୍କର ଆସନ୍ତାକାଲି ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏହାରି ଭିତରେ ମମିତା ମେହେର ନିଖୋଜ ଓ ହତ୍ୟା ମାମଲାକୁ ଆସନ୍ତକାଲି ମାସେ ପୂରିବ। ଠିକ୍ ସେହି ଦିନରେ ତିନି ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତାକାଲି କଳାହାଣ୍ଡି ରାଜନୀତି ବେଶ୍ ସରଗରମ ରହିବାର ସମ୍ଭାବନା ରହିଛି।

ରିପୋର୍ଟ: କାର୍ତ୍ତିକ ମଲ୍ଲିକ, ଇଂଗିତ ପଣ୍ଡା, ମନୋରଂଜନ ଯୋଶୀ

Kalahandi CM Naveen Pattnaik Mamita Murder Case
Advertisment
Advertisment