ଜଳେଶ୍ୱରରେ ବିଜେଡି ରାସ୍ତାରେ କଣ୍ଟା ବିଜେଡି ! ଅଶ୍ୱିନୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ...

କଂଗ୍ରେସ ଦଖଲରୁ ଜଳେଶ୍ୱରକୁ ଛଡ଼ାଇ ଆଣିବା ପରେ ୨୦୧୯ରେ ବି ବିଜୟର ଧାରାକୁ ବଜାୟ ରଖିଥିଲେ ଅଶ୍ୱିନୀ।

Jaleswar Politics

ବଙ୍ଗକୁ ଲାଗିଥିବା ଓଡ଼ିଶାର ସୀମାନ୍ତ ନିର୍ବାଚନମଣ୍ଡଳୀ ଜଳେଶ୍ୱର। ପୂର୍ବରୁ ବାମଦଳ ଓ କଂଗ୍ରେସର ଗଡ଼ ଥିବା ଏ ଆସନ ଏବେ ବିଜେଡି କବଜାରେ। ବିଜେଡିର ପାୱାରଫୁଲ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ତାଙ୍କ ବିଦ୍ରୋହୀ ଗୋଷ୍ଠୀଙ୍କୁ ନେଇ ଏ ଆସନରେ ଢେର ଚର୍ଚ୍ଚା। ବିଜେଡିର ଏ ଅନ୍ତକନ୍ଦଳରୁ ବିଜେପି ନା କଂଗ୍ରେସ ଏଥର କିଏ ଫାଇଦା ନେଉଛି, ତାକୁ ଅପେକ୍ଷା।

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ। ବଙ୍ଗ ଭଳି ଠିବି ଏକଦା ବାମଦଳର ରାଜୁତି ଥିଲା । ୧୯୬୧ରୁ ୧୯୮୦ ଯାଏଁ ଛଅ ଛଅ ଥର ଶାସନ କରିଛି ସିପିଆଇ। ପରେ କଂଗ୍ରେସ, ଜନତା ଓ ବିଜେପି ହାତରୁ କ୍ଷମତା ଆସି ଏବେ ବିଜେଡି ପାଖରେ। ୨୦୧୪ରେ ଏଠି ବିଜେପିରୁ ଆମଦାନୀ ହୋଇ ବିଜେଡି ଆସିଥିବା ଅଞ୍ଚଳର ପ୍ରବୀଣ ରାଜନୀତିଜ୍ଞ ଅଶ୍ୱିନୀ ପାତ୍ର ନିର୍ବାଚନ ଲଢିଥିଲେ। ଆଉ କଂଗ୍ରେସ ଦଖଲରୁ ଜଳେଶ୍ୱରକୁ ଛଡ଼ାଇ ଆଣିବା ପରେ ୨୦୧୯ରେ ବି ବିଜୟର ଧାରାକୁ ବଜାୟ ରଖିଥିଲେ ଅଶ୍ୱିନୀ।

ଅଧିକ ପଢ଼ନ୍ତୁ: ୨୦୦୦ରୁ ବିଜେଡି ଦଖଲରେ, ତଥାପି ଲୋକେ ପାଣି ପାଇଁ ଡହଳ ବିକଳ

ପୂର୍ବରୁ ଜନତା ଓ ବିଜେପିରୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ଏଠି ବିଜେଡିରୁ ଦୁଇଥର ଜିତିବା ପରେ ବିଜେଡି ସରକାରର ପଞ୍ଚମ ପାଳିରେ ଦୁଇଟି ବିଭାଗର ମନ୍ତ୍ରୀ। ତେଣୁ ନିର୍ବାଚନମଣ୍ଡଳୀରେ ତାଙ୍କ ପତିଆରା ବି ଢେର ଅଧିକ। ସେ ଦୃଷ୍ଟିରୁ ୨୦୨୪ରେ ପୁଣି ଲଢିିବାକୁ ବେଶ୍ ଆଶାବାଦୀ।

ହେଲେ ଅଶ୍ୱିନୀଙ୍କ ସହଜ ବିଜୟ ସମ୍ଭାବନାକୁ ଜଟିଳ କରିପାରନ୍ତି ବିଜେଡିର ସମ୍ଭାବ୍ୟ ବିଦ୍ରୋହୀ ପ୍ରାର୍ଥୀ। କିଛି ଦିନ ତଳେ ଅଶ୍ୱିନୀଙ୍କ ବିରୋଧରେ ସମାନ୍ତରାଳ ସଂଗଠନ କରି ଏଠି ଦଳରୁ ସସପେଣ୍ଡ ହୋଇଛନ୍ତି ବରିଷ୍ଠ ନେତା ବ୍ରଜ ମୋହନ ପ୍ରଧାନ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନଙ୍କର ଅଞ୍ଚଳରେ ଦୃଢ଼ ସଂଗଠନ ରହିଛି। ବିଜେଡି ବହୁ ନେତା ଓ କର୍ମୀ ତାଙ୍କ ସହ ସମ୍ପର୍କରେ ରହିଥିବା ଚର୍ଚ୍ଚା ହୁଏ। ୨୦୧୪ ଓ ୨୦୧୯ରେ ଟିକେଟ୍ ପାଇଁ ଆଶାୟୀ ଥାଇ ବି ନିରାଶ ହୋଇଥିବାରୁ ଏଥର ସେ ନିଶ୍ଚୟ ନିର୍ବାଚନ ଲଢିବା ଆଶା କରାଯାଉଛି। ତେବେ କେଉଁ ଦଳରୁ ଲଢ଼ିବେ ନା ବିଦ୍ରୋହୀ ପ୍ରାର୍ଥୀ ହେବେ, ତାକୁ ଅପେକ୍ଷା ।

ଜଳେଶ୍ୱରରେ ୨୦୦୪ରେ ବିଜେପିକୁ କ୍ଷମତାର ସ୍ୱାଦ ଚଖାଇଥିଲେ ଅଶ୍ୱିନୀ ପାତ୍ର। ସେବେଠୁ ଦଳ ସଂଗଠନ ମଧ୍ୟ ଏଠାରେ ମଜବୁତ ରହିଛି। ଯଦିଓ ତା ପରେ ଦଳ ଏଠି ତୃତୀୟ ସ୍ଥାନ ଅଧିକାର କରୁଥିଲା, କିନ୍ତୁ ଗତ ୨୦୧୯ରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମହାନ୍ତି ୪୯ ହଜାର ୯୯୨ ଭୋଟ୍ ପାଇ ବିଜେଡି ସହ ଲଢେଇ କରିଥିଲେ। ଜୟନାରାୟଣ ପୂର୍ବରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାୟକ ଥିବାରୁ, ସେ ବିଜେପିକୁ ଆସିବା ପରେ ବଢ଼ିଥିଲା ପଦ୍ମଦଳର ଭୋଟ୍ ପ୍ରତିଶତ।

ତେବେ ଏଥର ବୟସାଧିକ୍ୟ କାରଣରୁ ଜୟନାରାୟଣ ଆଉ ପ୍ରାର୍ଥୀ ଦୌଡ଼ରେ ନଥିବା ଚର୍ଚ୍ଚା ହେଉଛି। ସେପଟେ ଜଳେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ପ୍ରବୀର ପ୍ରଧାନ ଓ ପରମାନନ୍ଦ ମହାପାତ୍ର ବିଜେପିରୁ ଟିକେଟ ଆଶାୟୀ ବୋଲି କୁହାଯାଉଛି।

ଜଳେଶ୍ୱର ବିଧାନସଭା କ୍ଷେତ୍ରକୁ କଂଗ୍ରେସ ପାଞ୍ଚ ପାଞ୍ଚ ଥର ନିଜ ଅକ୍ତିଆରରେ ରଖିଥିଲେ ବି ଏବେ କିନ୍ତୁ ଆଉ ସେ ସ୍ଥିତି ନାହିଁ। ଗତଥର ସୁଦର୍ଶନ ଦାସ ଏଠୁ ପ୍ରାର୍ଥୀ ହୋଇ ୩୫ ହଜାରରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ବି କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ। ସେପଟେ ୨୦୦୯ରେ କଂଗ୍ରେସରୁ ବିଧାୟକ ଥିବା ଦେବୀ ପ୍ରସନ୍ନ ଚାନ୍ଦ ୨୦୧୪ ନିର୍ବାଚନ ହାରିବା ପରେ ଦଳ ଛାଡ଼ିଥିଲେ। ଏବେ କିନ୍ତୁ ସେ ପୁଣି ଘରବାହୁଡ଼ା ହୋଇଥିବାରୁ କଂଗ୍ରେସରୁ କିଏ ପ୍ରାର୍ଥୀ ହେଉଛି, ତା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ: ଏଥର BJDରୁ କିଏ ? ରୋହିତ ନା ପ୍ରସନ୍ନ, ଏତିକିରେ ସରୁନି ଆଶାୟୀ ତାଲିକା...