• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୦୨୪ରେ କାହା ଖାତାକୁ ଯିବ ନବରଙ୍ଗପୁର ଝରିଗାଁ ବିଧାନସଭା ଆସନ ? ଏଠି ଚତୁର୍ଥ ଥର ବିଜୟୀ ହେବ ବିଜେଡି, ନା ଆଗରେ ରହିବ, ଲଢେଇ କରି ଆସୁଥିବା କଂଗ୍ରେସ ? ସେପଟେ ତୃତୀୟ ସ୍ଥାନରେ ରହୁଥିବା ବିଜେପିର ଏଥର ହେବ କି ଉତ୍ଥାନ ? ଆଉ ଏପଟେ ବିଜେଡିରୁ ଟିକେଟ୍ ପାଇଁ ଲଢେଇ କରୁଥିବା ଦୁଇ ମାଝୀଙ୍କ ଭିତରୁ କାହା ଉପରେ କୃପା କରିବେ ନବୀନ ?

ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବିଧାନସଭା ନିର୍ବାଚନମଣ୍ଡଳୀ । ଉପାନ୍ତ, ସୀମାନ୍ତ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ବି ଏଠି ରାଜନୀତିର ଗୋଟି ଚାଳନା କିନ୍ତ ତୀର୍ଯକ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଏଠାରେ କ୍ରମାଗତ ଭାବେ ଜିତି ଆସୁଛି ବିଜେଡି । ଉଭୟ ୨୦୦୯ ଓ ୨୦୧୪ରେ ଏଠି ବିଧାୟକ ଥିଲେ ରମେଶ ମାଝୀ । ୨୦୧୯ରେ ରମେଶ ନବରଙ୍ଗପୁର ଲୋକସଭା ଆସନକୁ ସାଂସଦ ପ୍ରାର୍ଥୀ ଭାବେ ଲଢିବାକୁ ଯିବାରୁ ସାନ ଭାଇ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଛାଡ଼ି ଦେଇଥିଲେ ଏ ଆସନ ।

ଆଉ ଏ ନିର୍ବାଚନରେ ପ୍ରକାଶ ବି ଭଲ ମାର୍ଜିନରେ ବିଜେଡିକୁ ଦେଇଥିଲେ ବିଜୟର ଭେଟି । ଇଂଜିନିୟର ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ପ୍ରକାଶ କଂଗ୍ରେସର ଉଲଧର ମାଝୀଙ୍କୁ ୩୧ ହଜାର ୩୭୦ ଭୋଟରେ ହରାଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ବଡ଼ଭାଇ ସାଂସଦ ଆଉ ସାନ ଭାଇ ବିଧାୟକ ହୋଇଥିବାରୁ ବିଜେଡିର ଦଳୀୟ ସଂଗଠନରେ ଏ ପରିବାରର ପତିଆରା ଢେର ବେଶୀ । ତେଣୁ ଏଥର ବି ଝରିଗାଁରୁ ପ୍ରକାଶ ବିଧାୟକ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ।

ସେପଟେ କିନ୍ତୁ କଂଗ୍ରେସ ଛାଡି ବିଜେଡି ଆସିଥିବା ଏବଂ ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବି ଝରୀଗାଁ ଆସନରୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି । ପ୍ରଦୀପ ମାଝୀଙ୍କର ବି ଅଞ୍ଚଳରେ ଦୃଢ଼ ସଂଗଠନ ଥିବାରୁ ଝରୀଗାଁ ବିଜେଡିରେ ଦୁଇଟି ଗୋଷ୍ଠୀ ସମାନ୍ତରାଳ ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି । ତେଣୁ ଟିକେଟ୍ କାହାକୁ ମିଳିବ, ସେ ନେଇ ବଢ଼ୁଛି ବିଜେଡିର ଚିନ୍ତା ।

ଝରିଗାଁରେ ପ୍ରତି ନିର୍ବାଚନରେ ବିଜେଡିକୁ ଟକ୍କର ଦେଇ ଆସୁଛି କଂଗ୍ରେସ । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଉଲଧର ମାଝୀ । ସେ ୪୬ ହଜାର ୫୧୧ ଭୋଟ ପାଇଁ ବିଜୟୀ ପ୍ରାର୍ଥୀଙ୍କଠାରୁ ୩୧ ହଜାର ୩୭୦ ଭୋଟରେ ପଛୁଆ ଥିଲେ । ୨୦୧୪ରେ ବି ଉଲଧର ୫୪ ହଜାର ୦୫୮ ଭୋଟ ପାଇ ରମେଶ ମାଝୀଙ୍କଠାରୁ ପ୍ରାୟ ୧୧ ହଜାର ଭୋଟରେ ପଛୁଆ ରହିଥିଲେ । ପ୍ରତିଥର ଲଢୁଆ ପ୍ରଦର୍ଶନ କରି ବି ପରାଜିତ ହେଉଥିବାରୁ ଏଥର ଉଲ୍ଲଧରଙ୍କ ଉପରେ ଦଳ ଭରସା କରିବ ନା କି ନାହିଁ, ତାହା ସନ୍ଦେହ ଘେରରେ ।

ସେପଟେ ଜାତୀୟ କଂଗ୍ରେସର ଆଦିବାସୀ ସେଲର ଯୁଗ୍ମ ସଂଯୋଜିକା ଥିବା ହାରାବତୀ ଗଣ୍ଡ କିନ୍ତୁ ଝରିଗାଁରୁ ଲଢେଇ ପାଇଁ ଅଣ୍ଟା ଭିଡ଼ି ରହିଛନ୍ତି । ସେହିଭଳି ଜିଲ୍ଲା କଂଗ୍ରେସ କିଷାନ ସେଲର ସଭାପତି ମହେଶ୍ୱର ଭତରା ପ୍ରାର୍ଥୀ ହେବାକୁ ଆଶାୟୀ । ଏ ଉଭୟ ନେତା ଏବେ କଂଗ୍ରେସରୁ ଟିକେଟ୍ ରେସରେ ସାମିଲ ହୋଇଛନ୍ତି ।

ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଦର୍ଶନ ସେତେଟା ଆକର୍ଷଣୀୟ ନଥିଲେ ବି ଗତଥର ଭୋଟ ହାର ବଢାଇ ପାରିଛି ଦଳ । ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ୨୦୧୯ରେ ପ୍ରାର୍ଥୀ ହୋଇ ୩୯ ହଜାର ୬୩୧ ଭୋଟ ପାଇବାରେ ସମର୍ଥ ହୋଇଥିଲେ । ହେଲେ ଏଥର କିନ୍ତୁ ସେ ଝରୀଗାଁରୁ ପ୍ରାର୍ଥୀ ଦୌଡ଼ରେ ନଥିବା କୁହାଯାଉଛି । ବିଜେପିରୁ ଏଠି ଏବେ ୩ ପ୍ରମୁଖ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଜୋର ।

ବିଜେପି ଆଦିବାସୀ ମୋର୍ଚ୍ଚାର ଜିଲ୍ଲା ସଭାପତି ଥିବା ଶ୍ୟାମସୁନ୍ଦର ମାଝୀ ଦଳୀୟ ସଂଗଠନ କରି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସେହିଭଳି ସରକାରୀ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ନରସିଂହ ଭତରା ବି ବିଜେପିରୁ ଟିକେଟ୍ ରେସରେ ସାମିଲ ହୋଇଛନ୍ତି । ଉମରକୋଟ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବାସନ୍ତୀ ମାଝୀ ମଧ୍ୟ ମଧ୍ୟ ଟିକେଟ ଲବିରେ ଥିବା କୁହାଯାଉଛି ।

ନବରଙ୍ଗପୁର ଝରୀଗାଁରୁ ତ୍ରିନାଥ ଧରୁଆଙ୍କ ସହ ନବଘନ ବିଷୋୟୀଙ୍କ ରିପୋର୍ଟ