• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଗରୁ ବଡ଼ ଭାଇ ଆଉ ଏବେ ଚାଲିଛି ସାନ ଭାଇଙ୍କ ଶାସନ । ୨୦୦୯ରେ ନୂଆ ସିଟ୍ ହେବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ କ୍ଷମତାରେ ବିଜେଡି । ଏବେ ନବରଙ୍ଗପୁର ସାଂସଦ ଥିବା ରମେଶ ମାଝୀ ୨୦୦୯ ଓ ୨୦୧୪ରେ ଏଠୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ୨୦୧୯ରେ ସେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ଯିବାରୁ ସାନ ଭାଇ ପ୍ରକାଶ ମାଝୀଙ୍କୁ ଆସନ ଛାଡ଼ିଥିଲେ । ପ୍ରକାଶ ମଧ୍ୟ ୨୦୧୯ରେ ଭଲ ମାର୍ଜିନରେ ବିଜେଡିକୁ ବିଜୟ ଦେଇ ନିଜ ପରିବାର ଅଧିନରେ ଥିବା ଗାଦିକୁ ଅକ୍ଷୁଣ୍ଣ ରଖିଥିଲେ । ଝରିଗାଁ ଆସନରେ ପ୍ରତିଥର ବିଜେଡି ଆଉ କଂଗ୍ରେସ ଭିତରେ ଲଢେଇ ହୋଇଆସୁଛି ।

୩ଟି ଯାକ ନିର୍ବାଚନରେ ବିଜେପି ଏଠି ତୃତୀୟ ସ୍ଥାନରେ ହିଁ ରହୁଛି । ତେବେ ୨୦୨୪ ନିର୍ବାଚନରେ ଝରିଗାଁ ବିଜେଡି ରାଜନୀତିରେ ଦେଖିବାକୁ ମିଳିପାରେ ରୋଚକ ସ୍ଥିତି । କାରଣ ଏ ଆସନକୁ ପ୍ରକାଶ ମାଝୀ ଛାଡ଼ିବାକୁ ଇଚ୍ଛା କରୁନଥିଲେ ବି ସେପଟେ କଂଗ୍ରେସରୁ ବିଜେଡିକୁ ଯାଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଆଖି ମଧ୍ୟ ଝରିଗାଁ ଆସନ ଉପରେ ।

ଏ ଦୁଇ ମାଝୀଙ୍କୁ ନେଇ ଝରିଗାଁ ବିଜେଡିରେ ଦୁଇ ଗୋଷ୍ଠୀ କାର୍ଯ୍ୟ କରୁଥିବାରୁ ଆଗକୁ ଟିକେଟ୍ ଝାମେଲା ବଢ଼ିବା ଆଶଙ୍କା କରାଯାଉଛି । ସେପଟେ ବିଜେଡି ପରେ ଭଲ ସଂଗଠନ ଥିବା କଂଗ୍ରେସରୁ ୩ ଆଶାୟୀ । ସେମାନଙ୍କ ଭିତରୁ ଆଗରେ ଅଛନ୍ତି ଉଲ୍ଲଧର ମାଝୀ । ଆଉ ଏଠି ସବା ପଛରେ ଥିବା ବିଜେପିରୁ ୩ ପ୍ରମୁଖ ଆଶାୟୀଙ୍କୁ ନେଇ ଚର୍ଚ୍ଚା । ବିଜେପି ଆଦିବାସୀ ମୋର୍ଚ୍ଚାର ଜିଲ୍ଲା ସଭାପତି ଥିବା ଶ୍ୟାମସୁନ୍ଦର ମାଝୀ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ବେଳେ ନରସିଂହ ଭତରା ଓ ବାସନ୍ତୀ ମାଝୀଙ୍କ ପଦ୍ମ ଦଳରୁ ପ୍ରାର୍ଥୀ ହେବାକୁ ପ୍ରୟାସ ଜାରି ରଖିଛନ୍ତି ।

ଉପାନ୍ତ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ୟାର ଶେଷ ନାହିଁ । ଏଠାରେ ପାନୀୟ ଜଳରୁ ଗମନାଗମନ, ସ୍ୱାସ୍ଥ୍ୟରୁ ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅବହେଳିତ ଅଞ୍ଚଳବାସୀ । ଅନେକ ଗାଁରେ ପିଇବା ପାଣିର ସୁବିଧା ନଥିବାରୁ ଆଜି ବି ଝରଣା ପାଣିକୁ ପିଉଛନ୍ତି ଲୋକେ ।

ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ତେଣୁ ଖଟିଆରେ ଆଜି ବି ବୁହା ହୋଇ ମେଡିକାଲ ଯାଉଛନ୍ତି ରୋଗୀ । ଏହି ନିର୍ବାଚନମଣ୍ଡଳୀର ୧୦୦ରୁ ଅଧିକ ପଡ଼ା ବା ଗାଁକୁ ବିଜୁଳି ଆଲୁଅ ପହଞ୍ଚି ପାରିନଥିବା ଅଭିଯୋଗ ହୁଏ । ଅଞ୍ଚଳରେ ବହୁ ପରିମାଣରେ ମକା ଚାଷ ହେଉ ଥିଲେ ବି ଏଠି ମକା ପ୍ରକ୍ରିୟାକରଣ ପାଇଁ ୟୁନିଟ ଟିଏ ପ୍ରତିଷ୍ଠା ହୋଇପାରିନି ।

ଉଚ୍ଚ ଶିକ୍ଷା ପାଇଁ କୌଣସି ଶିକ୍ଷାନୁଷ୍ଠାନ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡୁଛି । ଝରୀଗାଁ ବ୍ଲକ ଅଧିନ ଗବାଗୁଡା ନିକଟରେ ଥିବା ସତୀଘାଟ ନଦୀରେ ଡ୍ୟାମ ନିର୍ମାଣ କରି ଏହି ଅଞ୍ଚଳର ଲୋକଙ୍କ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ପ୍ରାୟ ପ୍ରତିଥର ପ୍ରତିଶ୍ରୁତି ଦିଆଯାଇଥିଲେ ବି ତାହା ପୂରଣ ହୋଇପାରିନି ବୋଲି କହିଛନ୍ତି ଅଞ୍ଚଳବାସୀ ।

ନବରଙ୍ଗପୁର ଝରୀଗାଁରୁ ତ୍ରିନାଥ ଧରୁଆଙ୍କ ସହ ନବଘନ ବିଷୋୟୀଙ୍କ ରିପୋର୍ଟ