• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ମାହାଙ୍ଗା ସିଟ୍ । ବିଭିନ୍ନ ସମୟରେ ଚର୍ଚ୍ଚିତ ରାଜନୈତିକ ଘଟଣା ଆଉ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଏ ଆସନରେ ଏବେ ବି ରହିଛି ବିଜେଡିର ଦବଦବା । ତେବେ ମାହାଙ୍ଗା ଡବଲ ମର୍ଡରକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଛବିରେ ଦାଗ ଲାଗିବା ପରେ ଏବେ କିଭଳି ମୋଡ଼ ନେଉଛି ମାହାଙ୍ଗା ରାଜନୀତି, ତା ଉପରେ ସମସ୍ତଙ୍କ ନଜର ।

ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା । ୨୦୦୦ ମସିହା ପରଠୁ ଏ ଆସନ ବିଜେଡି ଅଧୀନରେ । ଏଠୁ ଏବେ ପ୍ରତିନିଧିତ୍ୱ କରୁଛନ୍ତି ବିଜେଡିର ଟାଣୁଆ ନେତା ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ୨୦୧୯ରେ ସେ ବିଜେପିର ଶାରଦା ପ୍ରଧାନଙ୍କୁ ୨୯ ହଜାର ୫୮୫ ଭୋଟରେ ହରାଇ ଲଗାତର ତୃତୀୟ ବିଜୟ ସହ ହାଟ୍ରିକ ହାସଲ କରିଛନ୍ତି ।

ଆଉ ଏଥର ଚତୁର୍ଥ ଥର ପାଇଁ ପ୍ରାର୍ଥୀ ହେବା ସହ ମାହାଙ୍ଗାରେ ନୂଆ ରେକର୍ଡ କରିବାକୁ ଆଶା ରଖିଛନ୍ତି ପ୍ରତାପ । ତେବେ ମାହାଙ୍ଗା ଡବଲ୍ ମର୍ଡର ଘଟଣା ପରେ ବିବାଦ ଘେରକୁ ଆସିଛନ୍ତି ପ୍ରତାପ । ଘଟଣାରେ ସେ ଅନ୍ୟତମ ଅଭିଯୁକ୍ତ ଥିବା ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିଥିବାରୁ ବିରୋଧୀଙ୍କ ଟାର୍ଗେଟରେ ପ୍ରତାପ । ଏହା ସତ୍ତ୍ୱେ ମାହାଙ୍ଗାବାସୀଙ୍କୁ ନେତୃତ୍ୱ ଦେବାର ଆଶା ଛାଡ଼ି ନାହାନ୍ତି ପ୍ରତାପ । ସେ ଏବେ ବି ଦୌଡରେ ସବୁଠୁ ଆଗରେ ବୋଲି କୁହାଯାଉଛି ।

ସେପଟେ ମାହାଙ୍ଗା ଆସନରୁ ପୂର୍ବରୁ ୩ ଥର ଜିତିଥିବା ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର ମଧ୍ୟ ଜୋରଦାର କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଇଆରଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ ମାହାଙ୍ଗାରେ ଘର ଘର ବୁଲୁଛନ୍ତି । ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇନଥିଲେ ବି ଟିକେଟ୍ ପାଇବାକୁ ନେଇ ଖୁବ୍ ଆଶାବାଦୀ । ସେହିଭଳି ପୂର୍ବତନ ପ୍ରଶାସନିକ ଅଧିକାରୀ ଜୟନ୍ତ ଦାସ ମଧ୍ୟ ବିଜେଡି ଟିକେଟ୍ ଲବିରେ ଥିବା କୁହାଯାଉଛି ।

ମାହାଙ୍ଗା ଆସନରେ କେବେ ଆସିନି ବିଜେପି । ତେବେ ୨୦୧୯ରେ ପ୍ରଥମ କରି ଏଠି ଦ୍ୱିତୀୟ ସ୍ଥାନକୁ ଆସିଥିଲା ଦଳ । ଶାରଦା ପ୍ରଧାନ ୭୬ ହଜାର ୪୬୯ ଭୋଟ୍ ପାଇ ପ୍ରତାପ ଜେନାଙ୍କୁ ଟକ୍କର ଦେଇଥିଲେ । ଆଉ ଏଥର ବି ସେ ବିଜେପି ଟିକେଟ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ସେପଟେ ୨୦୦୯ରେ ବିଜେପି ଟିକେଟରେ ଲଢ଼ିଥିବା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ମଧ୍ୟ ମାହାଙ୍ଗା ଆସନ ପାଇଁ ପୁଣି ଆଶାୟୀ । ଅନ୍ୟପଟେ ଅଞ୍ଚଳର ଯୁବ ସମାଜସେବୀ ସୁମନ୍ତ କୁମାର ଘଡେଇ ମଧ୍ୟ ରେସରେ ଥିବା କୁହାଯାଉଛି । ବିଜେପିର ଏ ସମସ୍ତ ଆଶାୟୀ ଏବେ ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିଥିବାରୁ ଦଳ କାହାକୁ ବାଛିବ, ତାକୁ ନେଇ ଦ୍ୱନ୍ଦ୍ୱ ।

ପୂର୍ବରୁ ମାହାଙ୍ଗା ଆସନକୁ ପାଞ୍ଚ ପାଞ୍ଚ ଥର ଦଖଲ କରିଥିବା କଂଗ୍ରେସର ସ୍ଥିତି ଏବେ ଅତି ଦୁର୍ବଳ ବୋଲି କୁହାଯାଇପାରେ । ୧୯୯୫ରେ ଶେଷ ଥର ପାଇଁ ଏ ସିଟରୁ ବିଧାୟକ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଶେକ୍ ମତଲୁବ୍ ଅଲ୍ଲୀ । ୨୦୦୦ ପରଠୁ ଏଠି ଆଉ କ୍ଷମତାକୁ ଆସିପାରିନି ଦଳ । ୨୦୧୪ ଓ ୨୦୧୯ରେ ଦଳ ଏଠି ତୃତୀୟ ସ୍ଥାନରେ ରହିଥିଲା । ଗତଥର ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ସାହୁ ମାତ୍ର ୧୪ ହଜାର ୯୨୨ ଭୋଟ୍ ପାଇଥିଲେ । ତେବେ ପରାଜୟ ସତ୍ତ୍ୱେ ଏଥର ବି ସାହସ ହରାଇ ନାହାନ୍ତି ଦେବେନ୍ଦ୍ର ।

୨୦୨୪ ପାଇଁ ଦେବେନ୍ଦ୍ର ଏବେ ନିର୍ବାଚନ ମଣ୍ଡଳୀ ବୁଲି ବୁଲି ଲୋକଙ୍କ ସହ ସଂପର୍କ ଜାରି ରଖିଛନ୍ତି । ସେପଟେ ମାହାଙ୍ଗାରୁ କଂଗ୍ରେସ ଟିକେଟ୍ ଦୌଡରେ ନିଶ୍ଚିନ୍ତକୋଇଲି ବ୍ଲକର ପିସିସି ସଭ୍ୟ ପ୍ରଦୀପ୍ତ କୁମାର ଦାସ ଓ ସ୍ୱର୍ଗତ ମତଲୁବ ଅଲ୍ଲୀଙ୍କ ପୁଅ ଶେକ୍ ମାସୁଦ ଅଲ୍ଲୀ ମଧ୍ୟ ସାମିଲ ଥିବାରୁ କଂଗ୍ରେସ୍ ଟିକେଟ୍ ପାଇଁ ବି ଫାଇଟ୍ ବଢ଼ିବା ଅନୁମାନ କରାଯାଉଛି ।

  • Reported by:
  • Manoj Acharya