• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ। ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗ ଆଣି ସରପଂଚଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଡିଓ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସରପଂଚ। ଏଭଳି ଆରୋପ-ପ୍ରତ୍ୟାରୋପ ଭିତରେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ସାଧାରଣ ଜନତା ।

ବ୍ଳକର ଗଙ୍ଗଳା, ବୀରଲକ୍ଷ୍ମଣପୁର, ମାର୍କାପାଲି ଓ ସିନ୍ଧ୍ରିମାଳ ସରପଂଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଡିଓ ଅଜୟ କୁମାର ପ୍ରଧାନ। ଯେଉଁଥିରେ ବିଡିଓ ସ୍ପଷ୍ଟ କରିଛନ୍ତି ଯେ, ସରପଂଚମାନେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କୌଣସି ସହଯୋଗ କରୁନାହାନ୍ତି । କାର୍ଯ୍ୟରତ ଯନ୍ତ୍ରୀଙ୍କୁ ମିଥ୍ୟା ବିଲ୍ କରିବାକୁ ବାଧ୍ୟ କରୁଛନ୍ତି । ଆସୁଥିବା ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ ଏବଂ ଅମୃତ ସରୋବର କାର୍ଯ୍ୟରେ ବିଳମ୍ବ ହେଉଛି । ତେଣୁ ପଞ୍ଚାୟତିରାଜ ନିୟମ ଅନୁସାରେ ସରପଂଚଙ୍କୁ ନୋଟିସ ହୋଇଛି ।

ସେପଟେ ବିଡିଓଙ୍କ ନାଁରେ ପାଲଟା ଅଭିଯୋଗ ଆଣିିଛନ୍ତି ସରପଂଚ। ପୂର୍ବରୁ ସରପଂଚ ସଂଘ ବିଡିଓଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଓ ଫାଇଭ୍-ଟି ସଚିବଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପ୍ରତିଶୋଧ ପରାୟଣ ହୋଇ ବିଡିଓ ଏଭଳି କାର୍ଯ୍ୟ କରିଥିବା ସରପଂଚ କହିଛନ୍ତି। ବିଡିଓଙ୍କ କାରଣ ଦର୍ଶାଅ ନୋଟିସ ବିରୁଦ୍ଧରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସରପଂଚ ।

ବିଡିଓ ଓ ସରପଂଚଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ମାଲକାନଗିରି ବ୍ଳକରେ ଆଣ୍ଠେଇ ପଡିଛି ଉନ୍ନତିମୂଳକ କାର୍ଯ୍ୟ। ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ତଥା ସରକାର ଦୃଷ୍ଟିଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।

  • Reported by:
  • JITENDRA BEURA