• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ନିଲାମୀ ଘଟଣାରେ ୧୨ ଜଣ ତହସିଲ କୋର୍ଟରେ ହାଜର । ସମସ୍ତେ ଆଜି ପୁଇଁନ୍ତଲା ତହସିଲ୍ କୋର୍ଟରେ ହାଜର ହୋଇଛନ୍ତି । ଏହି ୧୨ ଜଣଙ୍କ ନାଁରେ ୧୦୭ ଧାରା ଲଗାଇଛି ପ୍ରଶାସନ । ଏମାନଙ୍କ ମଧ୍ୟରେ ଅଛନ୍ତି ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ । ଗାଁରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବଣ୍ଡ ପେପରରେ ଦସ୍ତଖତ କରିବେ । ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତ ଅଧିନରେ ଥିବା ୩ ଗାଁର ମୁରବୀଙ୍କ ଏକ ବୈଠକରେ ସରପଞ୍ଚ ପଦ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଏହି ଗାଁରେ ଭୋଟିଂ ପୂର୍ବରୁ ମିଟିଂରେ ବଛା ହୋଇଥିଲେ ପଞ୍ଚାୟତ ମୁଖିଆ । ୪୪ ହଜାର ଟଙ୍କା ଦେଇ ସାମ୍ବିଧାନିକ ପଦ କିଣିନେଲେ ଆଶାୟୀ । ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତି ବିଡ଼ମ୍ବନାର ଏ ଚିତ୍ର ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ । ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଥିଲେ । ତାସହ ବଖାଣିଥିଲେ ପୁରା ଘଟଣା ପଛର ବୃତ୍ତାନ୍ତ ।

ସୁଶାନ୍ତଙ୍କ କହିବାନୁସାରେ-ବିଲେଇସର୍ଡା, କସୁରପାଲ୍ଲୀ ଓ ବନ୍ଦନାକଟାକୁ ନେଇ ଗଠିତ ବିଲେଇସର୍ଡା ପଞ୍ଚାୟତରେ ସେ ଏଥର ସରପଞ୍ଚ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ହେଲେ ଗାଁର ଅଧାଗଢ଼ା ଜଗନ୍ନାଥ ମନ୍ଦିରକୁ ଯେଉଁ ଆଶାୟୀ ପ୍ରାର୍ଥୀ ଅଧିକ ଟଙ୍କା ଦେବେ ତାଙ୍କୁ ଗାଁ ଲୋକେ ସମର୍ଥନ ଦେବେ ଓ ବିପକ୍ଷରେ ଆଉ କାହାରିକୁ ବି ପ୍ରାର୍ଥୀ ହେବାକୁ ସୁଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଶୁଣିବାକୁ ପାଇଥିଲେ । ଏମିତିକି ୟାକୁ ନେଇ ଗତ ଶୁକ୍ରବାର ତିନି ଗାଁ ମୁରବୀଙ୍କ ଉପସ୍ଥିତିରେ ଏକ ମିଟିଂ ବି ବସିଥିଲା, ଯେଉଁଠି ସରପଞ୍ଚ ପଦ ପାଇଁ ଅକ୍ସନ ହୋଇଥିଲା । ୪ ଜଣ ଆଶାୟୀଙ୍କ ମଧ୍ୟରୁ ସେ ସର୍ବାଧିକ ୪୪ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ ସର୍ବସମ୍ମତିକ୍ରମେ ତାଙ୍କୁ ଏ ପଦ ପାଇଁ ବଛା ଯାଇଥିଲା ବୋଲି କହିଥିଲେ ସୁଶାନ୍ତ ।