• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବୀନଙ୍କୁ ବାଦ ଦେଇ ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନ ‘ଶଙ୍ଖ ମୋ ଗର୍ବ’କୁ ନେଇ ଚର୍ଚ୍ଚା । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଏହି ନୂଆ କ୍ୟାମ୍ପେନ୍ ଏବେ ସବୁଠି ଛାଇଯାଇଛି । ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତେ, ଶଙ୍ଖ ମୋ ଗର୍ବ କହି ନିଜ ନିଜ ସୋସିଆଲ୍ ମିଡିଆ ପେଜରେ ପୋଷ୍ଟ କରୁଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି ।

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।

କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଚାଲିଛି ଏଭଳି କ୍ୟାମ୍ପେନ୍ । ଶଙ୍ଖ ମୋର ଗର୍ବ କହି ବିଧାୟକ, ସାଂସଦ, ମନ୍ତ୍ରୀ ସମସ୍ତେ ନିଜ ନିଜ ଫେସବୁକ୍, ଟୁଇଟର, ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ପୋଷ୍ଟ୍ କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ନାରା ଥିଲା ଘରେ ଘରେ ଶଙ୍ଖ । ଆଉ ୨୪ର ସ୍ଳୋଗାନ୍ ହେଲା ଶଙ୍ଖ ମୋର ଗର୍ବ । ଧୀରେ ଧୀରେ ନୂଆ ଧାରାରେ ଯାଉଛି ବିଜେଡି ।

ପ୍ରଥମେ ବିଜୁ ଜୟନ୍ତୀରେ ନବୀନ ଓଡିଶାର ସକଳ୍ପ ନେଇଥିଲେ ଦଳର ନେତା, କର୍ମୀ । ଏହା ପରେ ବିଜୁ ଓଡିଶା ବନାମ୍ ନବୀନ ଓଡିଶାର ଚର୍ଚ୍ଚା ହେଲା । ଆଉ ଏବେ ଶଙ୍ଖ ମୋର ଗର୍ବ । ତେବେ ୨୬ ବର୍ଷ ହେଲା ଦଳର ଚିହ୍ନ ଶଙ୍ଖ ରହିଥିବା ବେଳେ ୨୪ ବର୍ଷ କ୍ଷମତାରେ ରହିବା ପରେ କାହିଁକି ଏ କ୍ୟାଂପେନ୍ ? ଶଙ୍ଖକୁ ନେଇ କାହିଁକି ଏତେ ପ୍ରଚାର ? ଭୋଟ ପାଇଁ ପ୍ରତି ଘରକୁ ଯୋଡିବା, ଯୁବ ତଥା ନୂଆ ଭୋଟରଙ୍କ ପାଖରେ ଶଙ୍ଖ ଚିହ୍ନକୁପହଞ୍ଚାଇବା ପାଇଁ ଏ ସ୍ଳୋଗାନ୍ ବୋଲି ଚର୍ଚ୍ଚା ହେଉଛି ।

ଏହା ବାଦ୍ ବିଜେଡି ଏବେ ଯେଉଁ ସିଷ୍ଟମରେ ଚାଲିଛି ଦଳର ନେତା, କର୍ମୀମାନେ ସେତେଟା ସକ୍ରିୟ ହେଉ ନଥିବାରୁ ସେମାନଙ୍କ ଭିତରେ ଜୋସ୍ ଭରି ନିର୍ବାଚନୀ ଯୋଦ୍ଧା ଭାବେ ପ୍ରସ୍ତୁତ କରିବାର ଇଏ ଉଦ୍ୟମ ବୋଲି ବି କୁହାଯାଉଛି । ଦଳର ଚିହ୍ନ ଶଙ୍ଖ ସବୁବେଳେ ରହିବ । ହେଲେ ଆଗକୁ କେବେ ନା କେବେ ବଦଳିପାରେ ନେତୃତ୍ୱ । ତେଣୁ ଦଳର ଭବିଷ୍ୟତକୁ ଦେଖି ଦଳ ଏଭଳି ଷ୍ଟ୍ରାଟେଜି କରୁଥିବା ବି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଜୋର ଧରିଛି ରାଜନୀତି ।

ସେପଟେ ସୋସିଆଲ୍ ମିଡିଆରେ ବିଜେଡିର ଶଙ୍ଖ ମୋର ଗର୍ବ କ୍ୟାମ୍ପେନ୍‌କୁ ସେଇ ସୋସିଆଲ୍ ମିଡିଆରେ କାଉଣ୍ଟର ପାଇଁ ଉଦ୍ୟମ କରିଛି ବିଜେପି । ଯେଉଁ ନେତା ଓ ନେତ୍ରୀମାନେ ଶଙ୍ଖ ମୋର ଗର୍ବ କହି ପୋଷ୍ଟ କରୁଛନ୍ତି, ସେମାନେ ଫସିଥିବା ବିବାଦୀୟ ଘଟଣାକୁ ଉଲ୍ଲେଖ କରି ସେମାନଙ୍କୁ କଟାକ୍ଷ କରାଯାଉଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ସୋସିଆଲ୍ ମଡିଆରେ ଟ୍ରେଣ୍ଡ୍ କରୁଛି । ଅପରପକ୍ଷେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ବି ଶଙ୍ଖ ମୋର ଗର୍ବକୁ କାଉଣ୍ଟର କରି ମୁଁ ଓଡିଆ, ଓଡିଶା ମୋର ଗର୍ବ ବୋଲି କହିଛନ୍ତି ।

ବିଜେଡି ପ୍ରତିଷ୍ଠା ବେଳର କାର୍ଯ୍ୟଧାରା ୟା ଭିତରେ ବହୁ ପରିବର୍ତ୍ତନ ହେଲାଣି । କ୍ଷମତା କେନ୍ଦ୍ର ବି ବଦଳି ଗଲାଣି । ଏଭଳି ସ୍ଥିତିରେ ଦଳ କେଉଁ ଧାରା ଧରୁଛି ତାକୁ ନେଇ ଚର୍ଚ୍ଚା ।

ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଓ ଜଗଦୀଶ ଦାସଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି