• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ସଂସଦରେ କେନ୍ଦ୍ର ସରକାର ମନମାନି କରୁଥିବା କହି ବର୍ଷିଛନ୍ତି ସଞ୍ଜୟ । ବିରୋଧୀମାନେ ସଂସଦରେ ସେମାନଙ୍କ ମତ ରଖିବାର ସୁଯୋଗ ପାଇଲେ ନାହିଁ । ଗତକାଲି ଜଣେ ମହିଳା ସାଂସଦଙ୍କ ପ୍ରତି ଯେଉଁଭଳି ଆଚରଣ କରାଗଲା, ତାହା ଗଣତନ୍ତ୍ର ପରିପନ୍ଥୀ । କାଲିର ଘଟଣା ଏମିତି ଥିଲା ଯେମିତି ବିରୋଧୀ ସାଂସଦମାନେ ପାକିସ୍ତାନ ସୀମାରେ ଛିଡ଼ା ହୋଇଛନ୍ତି । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ସଂଜୟ ରାଉତ ।

ସେପଟେ ସଂସଦରେ ରାହୁଲଙ୍କୁ କହିବାକୁ ସୁଯୋଗ ଦିଆନଯାଉ ନାହିଁ । ବିରୋଧୀଙ୍କ ସ୍ୱରକୁ ଦମନ କରାଯାଉଛି । ତେଣୁ ବିରୋଧୀ ଦଳମାନେ ଆଜି ଏକାଠି ହୋଇ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସାଂସଦମାନଙ୍କୁ ତଥା ବିରୋଧୀଙ୍କୁ ସଂସଦ ଭିତରେ କହିବାକୁ ଦିଆନଯିବା ହେଉଛି ଗଣତନ୍ତ୍ରର ହତ୍ୟା । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ରାହୁଲ ଗାନ୍ଧି ।

ସଂସଦର ମୌସୁମୀ ଅଧିବେଶନ ସରିଗଲା । ୬୦ ପ୍ରତିଶତରୁ ଅଧିକ ସମୟରେ ଅଧିବେଶନ ମୁଲତବି ରହିଥିଲା । ଏଣୁ ୬୦ ପ୍ରତିଶତ ଲୋକଙ୍କୁ ଶୁଣାଗଲା ନାହିଁ । କେବଳ ଏତିକି ନୁହେଁ, ଗତକାଲି ସଂସଦରେ ସାଂସଦଙ୍କୁ ମାଡ଼ ମଧ୍ୟ ମରାଗଲା । କେନ୍ଦ୍ର ସରକାର, ବିରୋଧୀଙ୍କୁ ଦବାଇବା ଲାଗି ଚେଷ୍ଟା କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । 

ଦେଶର ଇତିହାସରେ ଗତକାଲି ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟଙ୍କ ସହ ଧସ୍ତାଧସ୍ତି କରାଗଲା । ଏପରିକି ରାଜ୍ୟସଭା ସାଂସଦଙ୍କୁ ମାଡ଼ ମରାଗଲା । ଏହା ଗଣତନ୍ତ୍ରର ହତ୍ୟା ଛଡ଼ା ଆଉ କିଛି ନୁହଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଏହା କହିଛନ୍ତି ।

ଗୃହମୁଲତବୀ ପରେ ବିରୋଧୀ ଦଳର ନେତମାନେ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡୁଙ୍କୁ ଭେଟି ଆଲୋଚନା କରିଛନ୍ତି । କଂଗ୍ରେସ, ଶିବସେନା, ଡିଏମ୍‌କେ, ସିପିଏମ୍, ଆରଜେଡି, ଏସ୍‌ପି, ଏନ୍‌ସି, ସିପିଆଇ, ଆଇୟୁଏମ୍ଏଲ୍ର ପ୍ରତିନିଧି ଭେଙ୍କେୟାଙ୍କୁ ଭେଟି ଗତକାଲିର ଘଟଣା ନେଇ ଆଲୋଚନା କରିଛନ୍ତି ।