• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ପୂର୍ବରୁ ଗୁଇନ୍ଦା ବିଭାଗର ଆଗୁଆ ଚେତାବନୀକୁ ଅଣଦେଖା କଲା କି ପୋଲିସ ଏବଂ ଗୃହ ବିଭାଗ ? ଶୋଭାଯାତ୍ରା ପାଇଁ ଟିକିନିଖି ତଥ୍ୟ ଦେଇ ଗୁଇନ୍ଦା ବିଭାଗ ଚେତାଇ ଦେଇଥିଲେ ବି କାହିଁକି ଘଟିଲା ହିଂସା ? ତାକୁ ନେଇ ଏବେ ଛିଡ଼ା ହୋଇଛି ବିବାଦ । ସିଧାସଳଖ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ବିରୋଧୀ ବିଜେପି ଓ କଂଗ୍ରେସ ବର୍ଷିଛନ୍ତି । ଏସବୁ ଭିତରେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ କମିଟି ।

ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଘଟିପାରେ ଅଘଟଣ । ଆୟୋଜିତ ବାଇକ ଶୋଭାଯାତ୍ରାବେଳେ ଦେଖାଦେଇପାରେ ସାମ୍ପ୍ରଦାୟିକ ପରିସ୍ଥିତି । ୧୨ ତାରିଖ ରାଲି ପୂର୍ବରୁ ଏଭଳି ଠୋସ୍ ସୁରାଗ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ୧୧ ତାରିଖରେ ହିଁ ଚିଠି ଲେଖି ସମ୍ବଲପୁର ଏସପିଙ୍କ ସହ ଗୃହ ବିଭାଗ ACS, ଆଇନ୍ ଶୃଙ୍ଖଳା ଏଡିଜି ଓ ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ଚେତାଇ ଦେଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା, ଧର୍ମୀୟ ସ୍ଲୋଗାନ ଦେଇ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବସବାସ କରୁଥିବା ରୁଟରେ ଶୋଭାଯାତ୍ରା ଯିବ । ତେଣୁ ଆଇନ୍ ଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା ରହିଥିବା ଗୁଇନ୍ଦା ବିଭାଗ ସ୍ପେଶାଲ ବ୍ରାଞ୍ଚ ଚିଠି କରି ସତର୍କ କରାଇଥିଲା । ଅଥଚ ସମ୍ବଲପୁର ପୋଲିସ ପ୍ରଶାସନ ଜାଣି ଜାଣି ଅଣଦେଖା କଲା ନା ଉପୁଜିଥିବା ହିଂସା ସ୍ଥିତିକୁ ସମ୍ଭାଳିବାରେ ବିଫଳ ହେଲା ?

ପରିଣାମ ସ୍ୱରୂପ ହିଂସା ତ ବ୍ୟାପିଗଲା, ସହରର ନିରୀହ ସାଧାରଣ ଜନତାଙ୍କ ଜୀବନ ବି ବାଜିରେ ଲାଗିବା ଭଳି ଅବସ୍ଥା ଉପୁଜିଲା । ଅବଶ୍ୟ କର୍ଫ୍ୟୁ ପରେ ସ୍ଥିତିରେ ସୁଧାର ଆସିଲା ସିନା, ୨୦ ଦିନ ଧରି ସ୍ୱାଭାବିକ ହୋଇପାରିଲାନି ଜନ ଜୀବନ । ତେବେ ଏଥିପାଇଁ ଦାୟୀ କିଏ ? ଗୁଇନ୍ଦା ବିଭାଗ ଚେତାଇବା ପରେ ବି କାହିଁକି ବ୍ୟାପକ ଫୋର୍ସ ନିୟୋଜିତ କରାଗଲା ନାହିଁ ? ସ୍ଥିତିର ନିୟନ୍ତ୍ରଣ ପାଇଁ ରାଜ୍ୟ ଗୃହ ବିଭାଗ ଏବଂ ସମ୍ବଲପୁର ପୋଲିସ ପ୍ରଶାସନ କେନ୍ଦ୍ରର ସହାୟତା ନେଲାନି କାହିଁକି ? ଏଭଳି ନାନା ପ୍ରଶ୍ନ ଭିତରେ ନିଜର ଦାୟିତ୍ୱ ପରିଚାଳନାକୁ ନେଇ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ ଏବଂ ରାଜ୍ୟ ସରକାର ।
କେବଳ ରାଜ୍ୟ ଗୁଇନ୍ଦା ବିଭାଗ ନୁହଁ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ସତର୍କ କରାଇଦିଆଯାଇଥିଲା ।

ସମ୍ବଲପୁର ଏସ୍.ପି ବି କହିଥିଲେ ସମ୍ବଲପୁର ହିଂସା ଯୋଜନାବଦ୍ଧ ଥିଲା । ଏସବୁ ସତ୍ତ୍ୱେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାକୁ ନେଇ ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର । ବିଜେପି କହିଛି, ଯଦି ଏସ୍.ପି କହୁଛନ୍ତି ଯୋଜନାବଦ୍ଧ ଥିଲା, ତେବେ ଫେଲ୍ ହେଲେ କାହିଁକି ? ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ସେହିପରି କଂଗ୍ରେସ ବି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । ବିଜେଡି ଏହାର ଜବାବ ରଖିଛି ।
ସେପଟେ ପ୍ରାୟ ୨୦ ଦିନର ଟେନ୍‌ସନ୍ ପରେ ଆଜି କର୍ଫ୍ୟୁ ମୁକ୍ତ ହୋଇଛି ସମ୍ବଲପୁର ସହର । ସ୍ୱଭାବିକ ହୋଇଛି ଜନଜୀବନ । ଏସବୁ ଭିତରେ ଆସନ୍ତାକାଲି ବିଜେପିର ୪ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନ କମିଟି ଓଡିଶା ଆସୁଛନ୍ତି । ଟିମର ସଦସ୍ୟ ମାନେ ସମ୍ବଲପୁରକୁ କ୍ଷେତ୍ର ପରିଦର୍ଶନ କରିବା ସହ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ ।

କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ, ଓଟିଭି

  • Reported by:
  • SANJAY JENA , JAGDISH DAS