ଇଂରାଜୀରେ ଗୋଟିଏ ଖୁବ୍ ସୁନ୍ଦର ଶବ୍ଦ ରହିଛି । ତାହା ହେଲା ରୋଟେସନ । ଏହାର ଓଡ଼ିଆ ମାର୍ମିକ ଅନୁବାଦ ହେଲା ପରିକ୍ରମଣ, କ୍ରମାବର୍ତନ, ଆବର୍ତ୍ତନ ଓ ଘୂର୍ଣ୍ଣନ । ଏହି ଶବ୍ଦ ବିଜ୍ଞାନ ଓ ସାହିତ୍ୟରେ ବ୍ୟାପକ ଭାବରେ ବ୍ୟବହାର କରାଯାଏ । ଯେମିତି କି ପୃଥିବୀ ନିଜ ଅକ୍ଷ ଚାରିପଟେ ପ୍ରଦକ୍ଷିଣ କରୁଥିବା ବେଳେ ସମାନ ଦିଗରେ ଚନ୍ଦ୍ର ମଧ୍ୟ ପ୍ରଦକ୍ଷିଣ କରିଥାଏ । ସାହିତ୍ୟରେ ଋତୁମାନଙ୍କର ଆବର୍ତନକୁ ସାହିତ୍ୟିକମାନେ ବେଶ୍ ସରସ ଓ ସାବଲୀଳତାର ସହିତ ବର୍ଣ୍ଣନା କରିଥାନ୍ତି । ଋତୁମାନଙ୍କର ରୋଟେସନ ଯୋଗୁ ଧରାପୃଷ୍ଠ ସୁନ୍ଦର ରହିବା ସହିତ ପ୍ରକୃତିର ସନ୍ତୁଳନ ରକ୍ଷା ହୋଇଥାଏ।
ଅଧିକ ପଢ଼ନ୍ତୁ:ମହିଳାଙ୍କ ପାଇଁ କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ?
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୋଧହୁଏ ‘ରୋଟେସନ” ଶବ୍ଦର ଜଣେ ବଡ ଉପାସକ । ୭୮ ବର୍ଷିୟ ଏହି ରାଜନୈତିକ ନେତା ରୋଟେସନ ଶବ୍ଦର ମାର୍ମିକ ଅର୍ଥ କେବଳ ବୁଝନ୍ତି ନାହିଁ, ତାକୁ ପ୍ରୟୋଗ କରିବାରେ ସେ ଖୁବ୍ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି । ନବୀନଙ୍କ ପାଇଁ ରୋଟେସନ ଶବ୍ଦ ବେଶ୍ ପ୍ରିୟ । କାରଣ ଏହି ଶବ୍ଦ ତାଙ୍କୁ ତାଙ୍କର ରାଜନୈତିକ କ୍ୟାରିୟରରେ ବେଶ୍ ସଫଳତା ଦେଇଛି । ନିଜର ରୋଟେସନର ରାମଦୋଳିରେ ନବୀନ କେତେବେଳେ କାହାକୁ ଉପରୁ ଉଠାଇ ଦିଅନ୍ତି ତ ପୁଣି କେତେବେଳେ କହାକୁ ତଳକୁ ଖସାଇ ଦିଅନ୍ତି । ତଳେ ଥିବା ନେତାକୁ ଉପରକୁ ଉଠାଇ ସ୍ୱର୍ଗକୁ ନିଶୁଣି ବାନ୍ଧିବାର ସ୍ୱପ୍ନ ବିଭୋର କରନ୍ତି । ତଳ ଉପର ହେଉଥିବା ନେତାମାନେ ସର୍ବଦା ନିଜର ସ୍ଥିତି ନେଇ ଅନିଶ୍ଚିତରେ ରହୁଥିବା ବେଳେ ରାମଦୋଳିର ଷ୍ଟିୟରିଂ ଧରିଥିବା ନବୀନ କିନ୍ତୁ ନିଜକୁ ସର୍ବଦା ସ୍ଥିର ଓ ନିଶ୍ଚିତତାର ସୁରକ୍ଷା ବଳୟରେ ରଖିଥାନ୍ତି ।
ନବୀନଙ୍କ ରୋଟେସନ ରାଜନୀତି ଆରମ୍ଭ ହୁଏ ଠିକ୍ ୨୦୦୦ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ । ସେତେବେଳେ ବିଜେଡି ରାଜନୈତିକ ବ୍ୟାପାର କମିଟିର ସର୍ବଶକ୍ତିମାନ ବିଜୟ ମହାପାତ୍ରଙ୍କୁ ଦଳରୁ ବିତାଡନ ପରେ ନଳିନୀ ମହାନ୍ତି ତାଙ୍କର ଅତ୍ୟନ୍ତ ନିକଟତର ହୋଇ ଦଳର ନମ୍ବର-୨ ନେତା ଭାବେ ପରିଗଣିତ ହୋଇଥିଲେ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଖୁବ୍ ଆନ୍ତରିକତାର ସହିତ ବୁଝାବୁଝି କରୁଥିଲେ । ନଳିନୀ କର୍ମୀମାନଙ୍କର ବେଶ୍ ନିକଟତର ଥିବାରୁ ବିଜେଡି ଦଳ ଚଳାଇବା ଓ ନିର୍ବାଚନ ପରିଚାଳନରେ ତାଙ୍କୁ ସେମିତି କିଛି ଅସୁବିଧା ହେଉନଥିଲା । ଦିନକୁ ଦିନ ସେ ନିଜର ଦକ୍ଷତା ଏବଂ ସୁକାର୍ଯ୍ୟ ଯୋଗୁ ଅଧିକ ଲୋକ ପ୍ରିୟ ହେଉଥିବାରୁ ନବୀନ ତାଙ୍କୁ ୨୦୦୧ ମସିହାରେ ଦୁର୍ନୀତି କଳଙ୍କର ଟୀକା ପିନ୍ଧାଇ ମନ୍ତ୍ରୀ ମଣ୍ଡଳରୁ ବିଦା କରିଦେଇଥିଲେ ।
ଏହା ପରେ ପ୍ୟାରୀମୋହନ ମହାପାତ୍ର ୨୦୦୨ ବେଳକୁ ବିଜେଡିର ସମସ୍ତ ଦାୟିତ୍ୱ ବୁଝାବୁଝି କଲେ । ଲୋକେ ତାଙ୍କୁ ବିଜେଡି ଓ ରାଜ୍ୟ ସରକାରର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି କହିଲେ । ପ୍ୟାରୀଙ୍କ ସହିତ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା ଓ ଅରୁଣ ସାହୁ ପ୍ରମୂଖ ବେଶ୍ କ୍ଷମତାଶାଳୀ ହୋଇ ବିଜେଡି ସଙ୍ଗଠନରେ ନିଜର ଦବଦବା ସାବ୍ୟସ୍ତ କରିଥିଲେ । ଏହି ଚାରି ମୂର୍ତ୍ତି ନିଜର ସମସ୍ତ ଶ୍ରମ ଓ ସମୟ ବ୍ୟୟ କରି ବିଜେଡିକୁ ସଶକ୍ତ କରିବାରେ ଲାଗି ପଡିବା ସହିତ ସମସ୍ତ କ୍ଷମତା ଉପଭୋଗ କଲେ ।
ସମୟ କ୍ରମେ ନବୀନ ଦେଖିଲେ ପ୍ୟାରୀମୋହନ ଦିନକୁ ଦିନ ଅତ୍ୟନ୍ତ ଶକ୍ତିଶାଳୀ ହୋଇପଡୁଛନ୍ତି । ଦଳର ସମସ୍ତ ନେତା ଓ କର୍ମୀ ତାଙ୍କ ଘରେ ଆଡ୍ଡା ଜମାଉଥିବା ଖବର ତାଙ୍କ ପାଖରେ ନିୟମିତ ପହଂଚିବାରେ ଲାଗିଲା । ସର୍ବଦା ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିବା ନବୀନ ନିଜକୁ ଅସୁରକ୍ଷିତ ମଣିଲେ ଏବଂ ପ୍ୟାରୀମୋହନଙ୍କୁ ଦଳରେ କୋଣଠେସା କରିବାକୁ ଲାଗିଲେ । ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଥିବା ୨୦୧୨ ମେ’ ୨୯ ତାରିଖର ତଥା କଥିତ “ମିଡନାଇଟ୍ ଅପେରେସନ” ପରେ ‘ବେଇମାନ’ କଳଙ୍କର ଟୀକା ପିନ୍ଧାଇ ନବୀନ ତାଙ୍କୁ ଦଳରୁ ବିଦା କରିଥିଲେ ।
୨୦୦୮ ମସିହା ଠାରୁ ପ୍ୟାରୀମୋହନଙ୍କୁ ଧିରେଧିରେ କୋଣଠେସା କରି ନବୀନ ଧର୍ମଶାଳାର ବିଧାୟକ ତଥା ତତ୍କଳୀନ ମନ୍ତ୍ରୀ କଳ୍ପତରୁ ଦାସଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱମାନ ଅର୍ପଣ କରିବାରେ ଲାଗିପଡିଥିଲେ । କଳ୍ପତରୁଙ୍କ ସହିତ କଳାହାଣ୍ଡି ଜିଲ୍ଲାର ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରତାପ ଦେବ ଓ ପ୍ରଣବ ପ୍ରକାଶ ଦାସ ଅତ୍ୟନ୍ତ କ୍ଷମତାଶାଳୀ ହୋଇଉଠିଲେ । ନବୀନଙ୍କ ରାଜନୀତିର ରାମଦୋଳିରେ ଏମାନଙ୍କୁ ଆକାଶକୁ ଉଠାଇ ଦିଆଗଲା । ଏହାରି ମଧ୍ୟରେ ସଚିବାଳୟର ତୃତୀୟ ମହଲାରେ ଭୈରବ କାର୍ତିକେୟନ ପାଣ୍ଡିଆନ ବାବୁଙ୍କର ପ୍ରବେଶ ହୋଇସାରିଥିଲା ଓ ତା ସହିତ ନବୀନଙ୍କ ଆଶୀର୍ବାଦ ମଧ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା । ବାବୁ ଜୁନିୟର ଅଫିସର ହୋଇଥିଲେ ମଧ୍ୟ ନବୀନଙ୍କ ରାଜନୀତିର ରାମଦୋଳିରେ ତାଙ୍କୁ ଉପରକୁ ଉଠାଇ ନବୀନ ସ୍ୱର୍ଗସୁୂଖ ପ୍ରାପ୍ତିର ସ୍ୱପ୍ନ ବିଭୋର କରାଇ ବେଶ୍ ଖଟାଇ ଦଳକୁ ଏବଂ ସରକାରକୁ ଚଳାଇବା ପାଇଁ ସମସ୍ତ କ୍ଷମତା ଅର୍ପଣ କରିଦେଲେ ।
ଅଧିକ ପଢ଼ନ୍ତୁ:ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା
ଋାମଦୋଳିର ଷ୍ଟିୟରିଂ ଚଳାଉଥିବା ବେଳେ ନବୀନ ସର୍ବଦା ଗୋଟିଏ କଥା ଉପରେ ଧ୍ୟାନ ନିବେଶ କରୁଥାନ୍ତି । ତାହା ହେଲା ବିଜେଡି ତଥା ଅନ୍ୟ ଦଳରେ ଥିବା ପୁରୁଖା ତଥା ଗଣତାନ୍ତ୍ରୀକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ନେତାମାନଙ୍କର ପକ୍ଷଛେଦନ କରି ସେମାନଙ୍କୁ ରାଜନୀତିରେ ପଙ୍ଗୁ ଓ ଅଲୋଡା କରିଦେବା । କାଳନ୍ଦୀ ଚରଣ ବେହେରା, ପ୍ରଫୁଲ୍ଲ ଘଡାଇ, ଅନଙ୍ଗ ଉଦୟ ସିଂହଦେଓ, ଦାମୋଦର ରାଉତ, ପର୍ଶୁରାମ ପାଣିଗ୍ରାହୀ ଓ ନିତ୍ୟାନନ୍ଦ ପ୍ରଧାନଙ୍କ ଭଳି ଅଧିକାଂଶ ପୁରୁଖା ନେତାଙ୍କ ପୁଅ ଓ ଝିଅଙ୍କୁ ରାଜନୀତିକୁ ଆଣି ସେମାନଙ୍କ ମୁଁହ ବନ୍ଦ କରିଦେଇଥିବା ବେଳେ ଆଉ କେତେ ଜଣ ନେତାଙ୍କୁ ଆଦୌ ଟିକେଟ୍ ନଦେଇ ରାଜନୈତିକ ସନ୍ୟାସ ନେବାକୁ ବାଧ୍ୟ କରିଥିଲେ । ସନ୍ତାନ ପ୍ରେମରେ ଉବୁଟୁବୁ ହେଉଥିବା ଏହି ନେତାମାନେ ନବୀନଙ୍କ ଏକଛତ୍ରବାଦ ଶାସନର ବିରୋଧ କରିବା ପରିବେର୍ତ୍ତେ ତାଙ୍କୁ ଅଧିକରୁ ଅଧିକ ବଳ, ସହଯୋଗ ଓ ସମର୍ଥନ ଯୋଗାଇ ଚାଲିଲେ । ଖାଲି ସେତିକି ନୁହେଁ, ଦେଶର ସର୍ବଶ୍ରେଷ୍ଠ ଶାସକ ବୋଲି ଅବିହିତ କରିବାକୁ ଲାଗିଲେ ।
ଗଣତାନ୍ତ୍ରୀକ ବ୍ୟବସ୍ଥାରେ ରାଜନୈତତିକ ଦଳ ଏକ ଦୀପଶୀଖା ସଦୃଶ । ବିଚାରଧାରା ଓ ଗଣତାନ୍ତ୍ରୀକ ବ୍ୟବହାର ହେଉଛି ଇନ୍ଧନ । ଯେତେଦିନ ପର୍ଯ୍ୟନ୍ତ ଗୋଟିଏ ଦଳ ଓ ନେତାମାନଙ୍କର ରାଜନୈତିକ ଆଚାର ବ୍ୟବହାର ଗଣତାନ୍ତ୍ରୀକ ଚରିତ୍ରର ହୋଇଥିବ, ସେତେଦିନ ପର୍ଯ୍ୟନ୍ତ ଜନତା ସେମାନଙ୍କ ସହିତ ରହିଥିବେ । ନଚେତ୍ ସେମାନେ ଅନ୍ୟ ରାଜନୈତିକ ଦଳ ମନସ୍କ ହେବେ । ସର୍ବଦା ନିଜକୁ ଜଣେ ଅପରାଜେୟ ନେତା ଭାବୁଥିବା ନବୀନ ଏତିକି ବୁଝିବାକୁ ଅସମର୍ଥ ଥିଲେ । ଓଡ଼ିଆ ଭାଷା, ସଂସ୍କୃତି ଉପରେ ନବୀନଙ୍କ ସେମିତି ଜ୍ଞାନ ଓ ଗାରିମା ନଥିଲେ ମଧ୍ୟ ବିଜୁ ପଟ୍ଟନାୟକ ପୁଅ ଭାବରେ ଓଡ଼ିଆ ଜାତି ତାଙ୍କୁ ଢେର୍ ଭଲପାଇବା ଦେଇଥିଲା ।
ନବୀନ କିନ୍ତୁ ନିଜର ରାଜନୈତିକ କ୍ୟାରିୟରକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାର ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ଏକ ପ୍ରକାର ବିପର୍ଯ୍ୟସ୍ତ କରିଦେଲେ । ସବୁଠାରୁ ସେ କ୍ଷତି ପହଂଚାଇଲେ ନିଜ ଦଳକୁ । ପ୍ରକୃତ ନେତାମାନଙ୍କୁ କ୍ଷମତାହୀନ କରି ପାଣ୍ଡିଆନ୍ ବାବୁଙ୍କୁ ସର୍ବଶକ୍ତିମାନ କରିବା ଫଳରେ ସେମାନେ ଭାରତୀୟ ଜନତା ପାର୍ଟି ସହିତ ଲଢିବା ପାଇଁ ସ୍ୱର ଓ ଶକ୍ତି ଜୁଟାଇ ପାରିଲେ ନାହିଁ । ସମୟ ବଦଳିଛି । ଭାରତୀୟ ଜନତା ପାର୍ଟି ନିଜର ରାଜନୈତିକ ଚାତୁରୀରେ ଓଡ଼ିଶାରେ କ୍ଷମତାସୀନ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ଉଭୟ ଦଳ ଜାତୀୟ ଦଳ । ସେମାନଙ୍କର କିଛି ରାଜନୈତିକ ଆଚାର ବ୍ୟବହାର ରହିଛି ।
ବିଜେଡି ଯେଉଁଭଳି ଏକ ଜଣିକିଆ ଭଳି ପ୍ରାଇଭେଟ୍ କମ୍ପାନୀ ଲିମିଟେଡ୍ ଭଳି ଚାଲୁଛି, ଏ ଦଳ ଦୁଇଟି ଅନ୍ତତଃ ସେଭଳି ଚାଲୁନାହାଁନ୍ତି । ବିଜେଡି ଦଳ ଗଠନ ହେଲା ଦିନ ଠାରୁ ଜଣେ ମାତ୍ର ବ୍ୟକ୍ତି ସଭାପତି । ଏଠି ଆଉ କାହାକୁ ଉଠାଇବାକୁ ଦିଆଯାଉନାହିଁ । ଯେଉଁ ଦଳରେ ଗଣତାନ୍ତ୍ରୀକ ବ୍ୟବସ୍ଥା ଯେତିକି ଦୂର୍ବଳ ହେବ, ସେ ଦଳର କ୍ଷୟ ସେତିକି ପ୍ରକ୍ଷେପିତ ବା ତ୍ୱରିତ ହେବା ସୁନିଶ୍ଚିତ ।
ଅନେକ ରାଜନୈତିକ ନେତାଙ୍କ କାନ୍ଧକୁ ଅତୀତରେ ହାଣି ଦିଆଯାଇଛି । ଏବେ ନବୀନଙ୍କ ସହିତ ଦଳ ସମ୍ଭାଳିବା ପାଇଁ କାନ୍ଧ ଭିଡିବାକୁ ଲୋକଙ୍କ ଘୋର ଅଭାବ ରହିଛି । ଏବେ ନବୀନଙ୍କୁ କାନ୍ଧ ଭିଡିବା ପାଇଁ ଲୋକ ଖୋଜିବା ପାଇଁ ବା ତିଆରି କରିବା ପାଇଁ ପଡିବ । ସେଥିପାଇଁ ତାଙ୍କ ହାତରେ ଏତେ ବେଶି ସମୟ ନାହିଁ । ଯାହା ଏବେ ପ୍ରଥମ ଆବଶ୍ୟକତା, ତାହା ହେଲା ନବୀନଙ୍କୁ ଏବେ ନିଜର ରାଜନୈତିକ ଆଚରଣ ଓ ଚରିତ୍ରରେ ପରିବର୍ତ୍ତନ କରିବାକୁ ପଢିବ । ନଚେତ୍ ବିଜେଡି ରାଜ୍ୟର ପୂର୍ବ ଆଚଂଳିକ ଦଳମାନଙ୍କ ଭଳି ଦିନେ ଇତିହାସ ପୃଷ୍ଠାରେ ରହିଯିବ ।