ଗଞ୍ଜାମରେ ତୁଟିଲାନି ବିଜେଡି କଳି । ଆସିଥିଲେ ଶଙ୍ଖଭବନ, ତା’ପରେ ଗଲେ ନବୀନ ନିବାସ । ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କିଛି ସମୟ ଧରି ଆଲୋଚନା କରି ବାହୁଡ଼ିଗଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏବଂ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଗୋଷ୍ଠୀ ।
ସାଙ୍ଗରେ ଥିଲେ ବ୍ରହ୍ମପୁର ମେୟରଙ୍କ ସମେତ ସମସ୍ତ କର୍ପୋରେଟର୍ । କୁହାଯାଉଛି, ଦୀର୍ଘ ଦିନ ହେଲାଣି ବ୍ରହ୍ମପୁରର ରାମ ଲିଙ୍ଗମ୍ ଟ୍ୟାଙ୍କକୁ ନେଇ ବିକ୍ରମ ପଣ୍ଡା ଏବଂ ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଏହି ବିବାଦକୁ ଧରି ଗତକାଲି ଶଙ୍ଖଭବନ ପହଞ୍ଚିଥିଲେ ଉଭୟ ଗୋଷ୍ଠୀ ।
ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ । ବ୍ରହ୍ମପୁର ମହାନଗର ନିଗମର ୩୪ କର୍ପୋରେଟର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Also Read
ଅଧିକ ପଢ଼ନ୍ତୁ:ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍; ଯୁଗ୍ମ ସଂସଦୀୟ କମିଟି ଗଠିତ
ବୈଠକ ପରେ ବିକ୍ରମ ପଣ୍ଡା କହିଛନ୍ତି, କର୍ପୋରେସନ ଭିତରେ ଆଭ୍ୟନ୍ତରୀଣ ମତପାର୍ଥକ୍ୟ ଥିଲା । କିନ୍ତୁ ସମସ୍ତେ ଏବେ ଏକ୍ ହୋଇ କାମ କରିବେ । ତେବେ ଚ୍ୟାଉ ପଟ୍ଟନାୟକଙ୍କ ଗୋଷ୍ଠୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ପୂର୍ବ ସରକାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା । ରାଜନୈତିକ କାର୍ଯ୍ୟକ୍ରମରେ ପୋଲିସକୁ ବ୍ୟବହାର କରିବା ସହ ପୁଞ୍ଜିପତି, ବ୍ୟବସ୍ୟାୟୀ ଓ ଅପରାଧୀଙ୍କୁ ସୁରକ୍ଷା ଦେଉଥିଲା ବିଜେଡି ସରକାର ।
ହେଲେ ପୋଲିସ କର୍ମଚାରୀମାନଙ୍କ ସମସ୍ୟା ବୁଝୁନଥିଲା । ଏମିତିକି ପୋଲିସ ସଂଘ ଭାଙ୍ଗିବା ସହ ନିର୍ବାଚନ ମଧ୍ୟ କରାଇ ଦେଇନଥିଲା। ବାରମ୍ବାର ସଂଘର କର୍ମକର୍ତ୍ତା ଦାବି କରିଥିଲେ ମଧ୍ୟ ଶୁଣିନଥିଲେ । ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କଟକରେ ଆୟୋଜିତ ହାବିଲଦାର ମହାସଂଘର ବାର୍ଷିକ ଉତ୍ସବରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ କହିଛନ୍ତି, ହେଲେ ଆମ ସରକାର ଆସୁ ଆସୁ ପୋଲିସ ସଂଘ ନିର୍ବାଚନ କରାଇଲା । ଏହାସହ ପୋଲିସ ଆଗାମୀ ଦିନରେ ମୁକ୍ତ ଭାବେ କାମ କରିବ । ସେଥିପାଇଁ ସମସ୍ତ ସହଯୋଗ ସରକାର ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପଟେ ପୋଲିସ କର୍ମଚାରୀଙ୍କୁ ଏକ ମାସ ଦରମା ଅଧିକ ଦେବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ହୋଇଛି । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ପୋଷାକ ଭତ୍ତା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି ନେଇ ଘୋଷଣା କରୁଛି ।
ଗାଡ଼ି ବାବଦ ଭତ୍ତା ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ । କନଷ୍ଟେବଲ୍ ମହାସଂଘର କାର୍ଯ୍ୟାଳୟକୁ ନୂତନ ଭାବେ ନିର୍ମାଣ କରାଯିବ । ଶିଳ୍ପ ସୁରକ୍ଷା ପାଇଁ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ୬ଟି OISF ବାଟାଲିୟନ୍ । OISFରେ ୬ ହଜାର ନିଯୁକ୍ତି ସୃଷ୍ଟି କରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।