• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ନବୀନଙ୍କ ଫୋକସରେ ନିଜ ଜିଲ୍ଲା ଗଂଜାମ । ଆଜି କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ତିନି ତିନିଟି ସଭା କରି ନବୀନ ବହୁ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରି ଗଂଜାମ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ୱାନ ଦେଇଛନ୍ତି । ହେଲେ ଏହାକୁ କିନ୍ତୁ ଭିନ୍ନ ନଜରରେ ଦେଖିଛି ବିଜେପି ।

ଜିଲ୍ଲାରେ ଚରମ ସୀମାରେ ଥିବା ଦଳୀୟ ଗୋଷ୍ଠୀ କନ୍ଦଳ ପ୍ରଶମିତ କରିବାକୁ ସରକାରୀ କାର୍ଯ୍ୟକ୍ରମ ଆଳରେ ନବୀନ ନିର୍ବାଚନୀ ସଭା କରୁଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ବିଜେଡି କିନ୍ତୁ ଏହାକୁ ସିଧାସଳଖ ଖଣ୍ଡନ କରିଛି । ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ।

ଆସନ୍ତା ୨୦୨୪ ଇଲେକ୍ସନ ପୂର୍ବରୁ ମାରାଥନ ଗଂଜାମ ଗସ୍ତରେ ଯାଇ ନବୀନ ଆଜି ଜିଲ୍ଲା ପାଇଁ ୧୯୫୨ କୋଟିର ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନକରିଥିଲେ । ଏଥିସହିତ ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ ଏବଂ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବାଣ୍ଟିଥିଲେ । ଏହି ଅବସରରେ ଗଂଜାମକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ନବୀନଙ୍କ ଫୋକସରେ ବିଜେଡିର ଗଡ଼ ଗଂଜାମ କାହିଁକି ? କୁହାଯାଉଛି ଗଂଜାମ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅଧିକାଂଶ ସ୍ଥାନରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି । ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖୁଛନ୍ତି ପୂର୍ବତନ ଉପନଗରପାଳ ଲକ୍ଷ୍ମୀଚରଣ ପାଢୀ ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ ।

ସେହିପରି ଦିଗପହଣ୍ଡିରେ ବାରମ୍ବାର ନିର୍ବାଚିତ ହୋଇଆସିଥିବା ସୂର୍ଯ୍ୟ ପାତ୍ର ଏବଂ ଆଗକୁ ସେଠାରୁ ଟିକଟ ଆଶା ରଖିଥିବା ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ରଙ୍କ ପାଇଁ କଣ୍ଟା ହୋଇଛନ୍ତି ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ । ତେଣୁ ଏସବୁ ସ୍ଥାନରେ ଦଳୀୟ ଅନ୍ତଃକନ୍ଦଳ ଯେପରି ଭୋଟରଙ୍କ ଉପରେ ନପଡ଼େ ସେଥିପାଇଁ ସରକାରୀ କାର୍ଯ୍ୟକ୍ରମ ଆଳରେ ମୁଖ୍ୟମନ୍ତ୍ରୀ ଦଳୀୟ ସଭା କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ଯାହାର ଜବାବ ରଖି ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଗଂଜାମ ବିଜେଡିରେ କୌଣସି କନ୍ଦଳ ନାହିଁ, ନବୀନ ଯାହାକୁ ଟିକେଟ୍ ଦେବେ ସେ ଜିତିବ ।