• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ଟଣାଓଟରା। ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁ କିଛି ଜିଲ୍ଲାରେ ବର୍ଷେରୁ ଅଧିକ ସମୟ ଧରି ସଭାପତି ପଦ ଖାଲି ଥିବା ବେଳେ ଆଉ କିଛି ଜିଲ୍ଲାରେ ସଭାପତିମାନଙ୍କୁ ବଦଳାଇବା ପ୍ରକ୍ରିୟା ଜାରି ରହିଛି। ପ୍ରାୟ ୭ଟି ଜିଲ୍ଲାରେ ଦଳୀୟ ସଭାପତି ପଦ ଏବେ ଖାଲି। ରବୀନ୍ଦ୍ର ଜେନା, ପ୍ରଫୁଲ୍ଲ ମଲ୍ଲିକ, ସାରଦା ନାୟକ, ଈଶ୍ୱର ପାଣିଗ୍ରହୀ ଭଳି ନେତା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେପଟେ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ କାହାକୁ ନିଆଯିବ, ତାକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା।

ବିଜେଡିରେ ବଢୁଛି  ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ। ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡ଼ା ସଙ୍ଗଠନକୁ ସଜାଡ଼ିବା ଲାଗି ବିଜେଡିର କସରତ। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ୫ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ପାଇଁ ଚାଲିଛି ଅଙ୍କ କଷା। ବାଲେଶ୍ବର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ରାଉରକେଲାରେ ସାରଦା ନାୟକ, କୋରାପୁଟରେ ଈଶ୍ବର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ପଦରୁ ପ୍ରଶାନ୍ତ ମୁଦୁଲି ଇସ୍ତଫା ଦେଇଥିବା କୁହାଯାଉଛି।

ଏହି ନେତାମାନେ ଜିଲ୍ଲା ସଭାପତି ଥାଇ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ବି ରହିଛନ୍ତି। ତାସହ ଏସବୁ ଜିଲ୍ଲାରେ ସଭାପତିଙ୍କୁ ନେଇ ସହମତି ହୋଇପାରୁନଥିବାରୁ ସେମାନଙ୍କୁ ପରିବର୍ତ୍ତନ କରାଯିବ। ଅନ୍ୟପଟେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଝାରସୁଗୁଡା ଓ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ବରଗଡ଼ ଜିଲ୍ଲାରେ ଦଳୀୟ ସଭାପତି ପଦ ବର୍ଷେରୁ ଅଧିକ ସମୟ ଧରି ଖାଲି ପଡ଼ିଛି। ତେବେ ଗୋଷ୍ଠୀ କନ୍ଦଳ ଯୋଗୁ ଜିଲ୍ଲା ସଭାପତି ବଛା ଯାଇପାରୁନଥିବା ଚର୍ଚ୍ଚା ହେଉଛି। ବାଲେଶ୍ବର ଜିଲ୍ଲା ସଭାପତି ପଦରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ଚର୍ଚ୍ଚା ଭିତରେ ସେ କହିଛନ୍ତି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। 

ସେପଟେ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ବଦଳିଛି ସମ୍ବଲପୁର ଜିଲ୍ଲା ସମୀକରଣ।  ପଶ୍ଚମି ଓଡ଼ିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁରର ରେଢାଖୋଲରୁ ରୋହିତ ବିଧାୟକ ଅଛନ୍ତି। ସେ ବାଦ୍ ପଡିବାପରେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ସ୍ଥାନରେ ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡା ବିଧାୟିକା ଦୀପାଳି ଦାସ କିମ୍ବା କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କୁ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ରୋହିତଙ୍କୁ ଅଚାନକ୍ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ହେଉ କି ଜିଲ୍ଲା ସଭାପତି ଚୟନରେ ଟଣାଓଟରା, ଏସବୁଥିରୁ ବିଜେଡିରେ ସବୁକିଛି ଠିକ୍ ଠାକ୍ ଚାଲି ନାହିଁ ବୋଲି ଜଣାପଡୁଛି।

  • Reported by:
  • RASHMIRANJAN DAS , HARIHARA CHAND , Niranjan Behera