• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ । ଭୁବନେଶ୍ୱରରୁ ଜଗତସିଂହପୁର, ସବୁଠି ଆଶାୟୀ ଦେଲେଣି ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚାଲେଞ୍ଜ । ବିଧାୟକମାନେ ଅର୍ପଣ ରଥ ଜରିଆରେ ଅକ୍ଷତ ଚାଉଳ ସଂଗ୍ରହ କରୁଥିବାବେଳେ ପ୍ରମୁଖ ଦାବିଦାର କିନ୍ତୁ ଟିକଟ୍ ପାଇଁ ନୂଆବର୍ଷ ବନ୍ଧୁମିଳନ ବାହାନାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥଳେ ବିଜେଡି ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ଏକପ୍ରକାର ଥୟ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁରରେ ଆଜି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନୂଆବର୍ଷ ବନ୍ଧୁ ମିଳନ ନାଁରେ ନିର୍ବାଚନୀ ପାଗ ଭିଡିଛନ୍ତି । ଏଠାକାର ପାଞ୍ଚ ପଞ୍ଚାୟତର ମହିଳା, ଯୁବକ, ବୟସ୍କଙ୍କୁ ନେଇ ବାଇକ୍ ରାଲି ଓ ସମାବେଶ କରିଛନ୍ତି ।

ଖାଲି ସେତିକି ନୁହେଁ ପ୍ରିୟଦର୍ଶୀ ଖୋଲାଖୋଲି କହିଛନ୍ତି, ସେ ନିର୍ବାଚନ ପାଇଁ ପ୍ରସ୍ତୁତ । ଗତଥର ସୁପ୍ରିମୋ ତାଙ୍କ ଟିକେଟ କାଟିଥିଲେ କିନ୍ତୁ ପରେ ସୁପ୍ରିମୋ କାଳେ ୨୪ ପାଇଁ ତାଙ୍କ କଥା ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପ୍ରିୟଦର୍ଶୀ । ସେପଟେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଶ୍ରୀମନ୍ଦିର ପରିକ୍ରମା ରଥ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିବା କହିଛନ୍ତି । ମାତ୍ର ଉତ୍ତର ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ଓ ପ୍ରିୟଦର୍ଶୀଙ୍କ ଭିତରେ ଟିକେଟ ପାଇଁ ଲଢେଇ ଯେ ଜୋରଦାର ଆରମ୍ଭ ହୋଇଯାଇଛି ସେଥିରେ ସନ୍ଦେହ ନାହିଁ।

ରାଜଧାନୀର ଏହି ଦଳୀୟ କନ୍ଦଳ ଦୃଶ୍ୟ ଯାଦୁ ଭଳି ସବୁ ନିର୍ବାଚନ ମଣ୍ଡଳୀକୁ ମାଡିଗଲାଣି । ଆସ୍କା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଧାୟକ ବିରୋଧୀ ମେଳି । ଜଗତସିଂହପୁରରେ ଟିକେଟ୍ କଳି ଉଗ୍ର ରୂପ ନେଇଛି । ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ମୁହାଁମୁହିଁ । ୨୦୧୯ରେ ଅମରେନ୍ଦ୍ରଙ୍କ ଟିକେଟ୍ କଟିଥିଲା । ଏଥର କିନ୍ତୁ ସେ ନଛୋଡବନ୍ଧା । ରକ୍ତମୁଖା ଅମରେନ୍ଦ୍ର ସିଧାସଳଖ ବିଧାୟକଙ୍କ କାର୍ଯ୍ୟଧାରାକୁ ବିରୋଧ କରୁଛନ୍ତି ।

ପ୍ରଶାନ୍ତଙ୍କ ବିରୋଧରେ ରାଲି ଓ ସମାବେଶ କରି ଶକ୍ତି ବି ଦେଖାଇଲେଣି । ଅପରପକ୍ଷେ ପ୍ରଶାନ୍ତ ମୁଦୁଲିଙ୍କ ଜବାବ ଅନ୍ୟଦଳର କର୍ମୀଙ୍କୁ ଆଣି ସମାବେଶ କଲେ ବିଜେଡିକୁ କିଛି ଫରକ୍ ପଡିବନି । ସେପଟେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ପ୍ରବଳ ବିରୋଧ କରି ଏକାଠି ହୋଇଛନ୍ତି ବିଜେଡି କର୍ମୀ । ବିଧାୟିକା ମଞ୍ଜୁଳା ଓ ପୁଅ ନଚିକେତା ହଟାଅ, ଆସ୍କା ବଞ୍ଚାଅ ନାରା ଦେଇ ବହୁ ବିଜେଡି କର୍ମୀ ଶପଥ ପାଠ କରିଥିଲେ ସ୍ଥାନୀୟ ଖମ୍ବେଶ୍ୱରୀ ମନ୍ଦିରରେ ।

ରାଜନୈତିକ ସମୀକ୍ଷକଙ୍କ ମତ ହେଲା ପାଣ୍ଡିଆନଙ୍କ ଅଧିକ ଭୋଟ୍ ମାର୍ଜିନ୍ ଥିଓରୀ ପରେ ଏବେ ବିଜେଡିରେ ଶକ୍ତି ପ୍ରଦର୍ଶନ ପାଇଁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଯାହାକି ଦଳ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।

  • Reported by:
  • JAGDISH DAS , Manoj Muni , Sashank Sekhar Panda