• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ନିବାସରେ ନିଷ୍ପତ୍ତି, ଇନ୍‌ଷ୍ଟାଗ୍ରାମ ରେ ଘୋଷଣା । ହେଲେ ଗ୍ରାଉଣ୍ଡରେ ବିଗ୍ ଜିରୋ । ରାଜ୍ୟରେ ଦୁଇ ଦୁଇଟି ମହାବିଦ୍ୟାଳୟକୁ ନିକଟରେ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟପୁରର ବିକ୍ରମଦେବ ଓ ପରେ କେନ୍ଦୁଝର ଧରଣୀଧର କଲେଜ । ସମାନ ଷ୍ଟାଇଲରେ ଏ ଦୁଇ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି, ସ୍ନାତକ ପାଇଁ ବି ସର୍ବନିମ୍ନ ଭିତ୍ତିଭୂମି ଅଭାବରେ ଜର୍ଜରିତ ଏ ଦୁଇ ମହାବିଦ୍ୟାଳୟ ଆଗକୁ ବିଶ୍ୱବିଦ୍ୟାଳୟ ହେବ କେମିତି ?

କ୍ଲାସ୍ ରୁମ୍‌ରୁ କର୍ମଚାରୀ, ଅଧ୍ୟାପକଙ୍କଠୁ ଆନୁଷଙ୍ଗିକ ବ୍ୟବସ୍ଥା, ସବୁଥିରେ ବର୍ଷ ତମାମ ଲାଗି ରହିଛି ଅଭାବ, ଅସୁବିଧା । ଡିଡି କଲେଜରେ ଆଜି ସୁଦ୍ଧା ଖାଲି ପଡ଼ିଛି ୩୦ ଅଧ୍ୟାପକ ପଦବୀ । ପୂର୍ଣ୍ଣାଙ୍ଗ୍ ଲାଇବ୍ରେରୀ କିମ୍ବା ଲାବ୍ରୋଟାରୀ କଥା ନକହିବା ଭଲ । ସେହିପରି ଜୟପୁର ଭିଡି କଲେଜରେ ଅନୁରୂପ ସ୍ଥିତି। ରାଜ୍ୟ ସରକାରଙ୍କ ଘୋଷଣାକୁ ନେଇ ଖୁସି ଥିଲେ ବି ଦୀର୍ଘ ଦିନ ଧରି ଦୂର ହେଉନଥିବା ଏସବୁ ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ ।

ଅଧିକ ପଢ଼ନ୍ତୁ: ବିଜେପି ଆନ୍ଦୋଳନକୁ ବିଜେଡି ଧାରଣା ! ଚକା ଜାମ୍‌ କଲା ବିଜେପି

ଏପଟେ ରାଜ୍ୟ ସରକାଙ୍କ ଏ ଘୋଷଣାକୁ ନେଇ ରାଜନୀତିର ଗନ୍ଧ ବାରୁଛନ୍ତି ବୁଦ୍ଧିଜୀବୀ ଓ ଶିକ୍ଷାବିତ।  ସେମାନଙ୍କ ମତରେ ଭିତ୍ତିଭୂମି ନସଜାଡି ବିଶ୍ୱବିଦ୍ୟାଳୟ

ଘୋଷଣା ପଛରେ ଉଦ୍ଦେଶ୍ୟ କଣ ? ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କ ଆସ୍ଥା ଜିତିବାକୁ ଏହା ରାଜ୍ୟ ସରକାରଙ୍କ କସରତ କି ବୋଲି ଚର୍ଚ୍ଚା ବି ହେଉଛି।  କାରଣ ୟା ପୂର୍ବରୁ ରାଜ୍ୟ ସରକାରଙ୍କ ଏମିତି ଅନେକ ଘୋଷଣା ଏବେ ଶୀତଳ ଭଣ୍ଡାରରେ । ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ଏବଂ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନି । ଦୀର୍ଘ ୭ ବର୍ଷ ପରେ ବି ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇ ପାରିନି ଏ ଯୋଜନା ।

ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ କ୍ଲଷ୍ଟର ୟୁନିଭର୍ସିଟି ଭାବେ ଘୋଷଣା କରି ପରେ ପ୍ରଶାସନିକ ତ୍ରୁଟି ଯୋଗୁଁ ଏହାକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ସରକାର । ୟୁଜିସି ଗାଇଡଲାଇନ୍ସ ଅନୁସାରେ ଭିତ୍ତିଭୂମି ନ ସଜାଡିଲେ ଗ୍ରାଣ୍ଟ ମିଳିବା ମୁସ୍କିଲ । ଅର୍ଥାତ କେବଳ କଲେଜର ନାମ ବଦଳି ବିଶ୍ୱବିଦ୍ୟାଳୟ
ହେବ ସିନା ହେଲେ, କିଛି ସୁବିଧା ସୁଯୋଗ ମିଳିବନି ।

ସେପଟେ ଭି.ଡି ଓ ଡି.ଡି. କଲେଜ୍ କୁ ବିଶ୍ବବିଦ୍ୟାଳୟ ଘୋଷଣା ପରେ ଏବେ ରାଜ୍ୟର ବିଭିନ୍ନ ପୁରାତନ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନର ଦାବି ଜୋର ଧରିଲାଣି । ପୁରୀର ସାମନ୍ତ ଚନ୍ଦ୍ରଶେଖର ଓ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ଉଭୟ ସ୍ଥାନରେ ବିଭିନ୍ନ ସଂଗଠନ ଦାବି କରିଛନ୍ତି ।