• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଏବେ ପାଣ୍ଡିଆନ୍‌ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ହେଉଛନ୍ତି ଭିକେ ପାଣ୍ଡିଆନ୍‌ । ତାଙ୍କର ବିଭିନ୍ନ ଜିଲ୍ଲା ଗସ୍ତ ନେଇ ଏବେ ରାଜ୍ୟ ରାଜନୀତି ବେଶ୍‌ ସରଗରମ । ସେ ଯୁଆଡ଼େ ଯାଉଛନ୍ତି ସିଆଡ଼େ ରାଜନୀତି ତେଜୁଛି ।

ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ବଲାଙ୍ଗିର ଗସ୍ତରେ ଯାଇଛନ୍ତି । ଏହି ଗସ୍ତକୁ ନେଇ ବିରୋଧୀ ତ ବିରୋଧ କରୁଛନ୍ତି ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତବେଳେ ଜଣେ ନେତା ପାଣ୍ଡିଆନଙ୍କ ଗୋଡ଼ ଧରି ଦେଉଥିବା ଫଟୋ ଭାଇରାଲ ହେଉଛି । ଫଟୋ ଭାଇରାଲ ହେବା ପରେ ଅନେକ ଲୋକଙ୍କ ଅନେକ ମତ ସାମ୍ନାକୁ ଆସିଛି । ଅନେକ ଏହାକୁ ନିନ୍ଦା କରିଛନ୍ତି ।

ତେବେ ସଠିକ୍‌ ଭାବେ ଏହି ନେତା କିଏ ବୋଲି କେହି ଠଉରେଇ ପାରୁନଥିଲେ । କିନ୍ତୁ ଏବେ ସ୍ପଷ୍ଟ ଜଣାପଡ଼ିଛି ଯେ କିଏ ଏହି ନେତା । ସେ କାହିଁକି ପାଣ୍ଡିଆନଙ୍କ ଗୋଡ଼ ଧରୁଛନ୍ତି । ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ।  ବିରୋଧୀ ଦଳ ସିଧାସଳଖ ଅଭିଯୋଗ ଆଣୁଛନ୍ତି ଯେ ପାଣ୍ଡିଆନ ହିଁ ଆଗାମୀ ଦିନରେ ଟିକେଟ ଫାଇନାଲ କରିବେ । ଆଉ ଏହି ଟିକେଟ ଲୋଭରେ ଏହି ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।

ଗୋଡ଼ ଧରୁଥିବା ଏହି ନେତା ଜଣଙ୍କ ହେଉଛନ୍ତି ପାରଳାଖେମୁଣ୍ଡିର । ଏହି ନେତା ଏହାକୁ ଗର୍ବର ସହ ନିଜ ଫେସବୁକର କଭର ଫୋଟ ମଧ୍ୟ କରିଛନ୍ତି । ଏହି ନେତା ଜଣଙ୍କ ଅବସର ନେବା ପରେ ବିଜେଡିରେ ଯୋଗ ଦେଇଛନ୍ତି । ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଛନ୍ତି । ଆଉ ସେ ଠିକ୍ ଜାଣିଛନ୍ତି କେଉଁଠି ଲବି କଲେ ଟିକେଟ ଖଣ୍ଡେ ମିଳିବ । ଆଉ ଏଥିପାଇଁ ବୋଧେ ସେ ଏଭଳି ଉପାୟ ଅବଲମ୍ବନ କରିଛନ୍ତି । ସେ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଅଛନ୍ତି ବୋଲି ରାଜନୀତି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ନିର୍ବାଚନ ପାଖେଇ ଆସୁଛି । ଆଗୁଆ ନିର୍ବାଚନ ହୋଇଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯଦି ଆଗୁଆ ନିର୍ବାଚନ ହେବ ତେବେ ଏବେଠାରୁ ଟିକେଟ୍ ଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବ । ୨୦୨୪ ନିର୍ବାଚନରେ ବିଜେଡି ଅନେକ ନୂଆ ମୁହଁଙ୍କୁ ମୈଦାନକୁ ଆଣିପାରେ। ଏହି କାରଣରୁ ଅନେକ ନେତା ଏବେ ଆଶା ଆଶଙ୍କାରେ । ଏଥିପାଇଁ ସିଧାସଳଖ ନେତାମାନେ ଯାହା କରା ଯାଇପାରିବ ତାହା କରୁଛନ୍ତି ।