• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଏତେ ହୋ ହଲ୍ଲା ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ହେଲା ସୁପାରିସ୍, ତା ପୁଣି ଆରବର୍ଷକୁ। ହାଇକୋର୍ଟ ଛାଟ ଓ ଆସୁଥିବା ନିର୍ବାଚନକୁ ଭୟ କରି ରାଜ୍ୟ ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଅଭିଯୋଗ ଆଣି ବର୍ଷିଲେ ବିରୋଧୀ। ତେଣେ ଆଗେ ରତ୍ନଭଣ୍ଡାର ମରାମତି ନୁହେଁ ବରଂ ଅଳଙ୍କାର ଗଣତି ପାଇଁ ଖୋଦ୍ ପରିଚାଳନା କମିଟି ସଦସ୍ୟ ଓ ହାଇକୋର୍ଟରେ ପିଟିସନରଙ୍କ ପକ୍ଷରୁ ଉଠିଲା ଦାବି।

କେଉଁଟା ଆଗ ? ଦୁର୍ମୂଲ୍ୟ ଅଳଙ୍କାର ଗଣତି ? ନା ରତ୍ନଭଣ୍ଡାରର ମରାମତି ? ଏକ ଲମ୍ବା ସମୟର ଅବଧି ଅର୍ଥାତ୍ ଆରବର୍ଷ ରଥଯାତ୍ରାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ହାଇଲେବଲ୍ କମିଟି ଗଢ଼ିବାକୁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ହୋଇଥିବା ସୁପାରିସ୍ ପରେ ଉଠିଛି ପ୍ରଶ୍ନ। ଖାଲି କୋଟି କୋଟି ଜଗନ୍ନାଥ ପ୍ରେମୀ ନୁହଁନ୍ତି, ଖୋଦ୍ ମ୍ୟାନେଜିଂ କମିଟି ମେମ୍ବର ବି ଉଠାଇଛନ୍ତି ଏହାକୁ ନେଇ ଆପତ୍ତି।

ଗୋଟିଏ ପଟେ ରତ୍ନଭଣ୍ଡାର ଶୀଘ୍ର ଖୋଲିବା ସହ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ବିଭିନ୍ନ ମହଲର ଦାବି ତେଜୁଛି। ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ବି ୟା ସପକ୍ଷରେ ମତ ରଖିଛନ୍ତି। ହାଇକୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମାମଲାରେ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ଜବାବ ତଲବ କରୁଛନ୍ତି। ଏମିତିକି ଆସନ୍ତା ୭ ତାରିଖରେ ବିଜେପି ନେତା ସମୀର ମହାନ୍ତିଙ୍କ 
ପକ୍ଷରୁ ଦାଏର ଏ ସମ୍ପର୍କିତ ପିଟିସନ ଉପରେ ଶୁଣାଣି ଥିବାବେଳେ ଅଗଷ୍ଟ ୧୪ରେ ଆଉ ଜଣେ ଆବେଦନକାରୀ ଦିଲ୍ଲିପ ମହାପାତ୍ରଙ୍କ ପକ୍ଷରୁ ଦାଏର ମାମଲାର ବି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

ତେଣୁ ତା ପୂର୍ବରୁ ହାଇକୋର୍ଟଙ୍କ ଛାଟ ଡରରେ ରାଜ୍ୟ ସରକାର ତରବରିଆ ଭାବେ ମ୍ୟାନେଜିଂ କମିଟି ଜରିଆରେ ୨୦୨୪ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ କରି ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପିଟିସନର ସମୀର ମହାନ୍ତିଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ।

ଏଣେ ରତ୍ନଭଣ୍ଡାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ନେଇ ବର୍ଷିଛନ୍ତି ବିରୋଧୀ। ବିଜେପି ଦାବି କରିଛି, ରତ୍ନଭଣ୍ଡାରରେ ଠାକୁରଙ୍କ ଧନରତ୍ନ ଅଛି କି ନାହିଁ ତାହା ଲୋକେ ଜାଣିବାକୁ ଚାହୁଁଥିବାବେଳେ ଆରବର୍ଷ ରଥଯାତ୍ରା ନୁହେଁ ବରଂ ଆସନ୍ତା ନିର୍ବାଚନ ଆଗରୁ ମାସେ କି ଦୁଇମାସ ଭିତରେ ଭଣ୍ଡାର ଘର ଖୋଲି ରାଜ୍ୟବାସୀଙ୍କ ଆଗରେ ତଥ୍ୟ ରଖନ୍ତୁ। ସେହିପରି କଂଗ୍ରେସ କହିଛି ଏହା ନିର୍ବାଚନ ପୂର୍ବରୁ ଲୋକଙ୍କ ମନୋଭାବର 
ଦିଗ ବଦଳାଇବାକୁ ରାଜ୍ୟ ସରକାରଙ୍କ ବଡ଼ ଉଦ୍ୟମ। ଯାହାର ଜବାବ ରଖିଛି ବିଜେଡି।, ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ଦୀର୍ଘ ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ତେବେ ରତ୍ନଭଣ୍ଡାର ମରାମତି ଆଗରୁ ଠାକୁରଙ୍କ ଅଳଙ୍କାରର ଗଣତି ଓ ସୁରକ୍ଷା ପ୍ରଥମେ କରିବାକୁ ଦାବି ତେଜୁଥିବାବେଳେ ତା ପ୍ରତି କେତେ ଯତ୍ନବାନ ହେଉଛନ୍ତି ସରକାର, ଏବେ ତାକୁ ଅପେକ୍ଷା।

  • Reported by:
  • MADHUSUDAN MISHRA