/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707790315.jpg)
Rajya Sabha Election
ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି ଦଳ । ଦେବାଶିଷ ସାମନ୍ତରାୟ ତିନି ଥର ବିଧାୟକ ହୋଇଛନ୍ତି ।
ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି । ସେ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି । ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି ।
ଏହି ୩ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ । ଗତକାଲି ଦୁଇ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ କୌଣସି ସମସ୍ୟା ନାହିଁ ।
ରାଜ୍ୟସଭା ନିର୍ବାଚନ ପାଇଁ ଗତ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୫ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍ ପଡ଼ିବ । ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)