ମୁଖ୍ୟମନ୍ତ୍ରୀ ବେଳେ ଥିଲା ଯାହା । ବିରୋଧୀ ଦଳ ନେତା ଭାବେ ବି ତାହା । ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି ତଥାପି ନବୀନ ଖୋଲୁ ନାହାନ୍ତି ତୁଣ୍ଡ । ବିଧାନସଭାରେ ହଙ୍ଗାମା ହେଲା । ଶାସକ ବିରୋଧୀ ବାଡ଼ିଆପିଟା ହେଲେ । ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଲଣ୍ଠନ ଲଗାଇ ଖୋଜିଲା । କଂଗ୍ରେସ କଲା କଡ଼ା ବିରୋଧ । ଆଉ ଏବେ ନିଜ ଦଳ ଭିତରେ ଚାଲିଛି ଟଣାଓଟରା । ୱକ୍ଫ ବିଲକୁ ସମର୍ଥନ ଓ ବିରୋଧକୁ ନେଇ ଲଢ଼ାଲଢ଼ି ହେଉଛନ୍ତି ବରିଷ୍ଠ ନେତା । ନବୀନଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ ଚିଠି ବି ଲେଖୁଛନ୍ତି । ହେଲେ ନବୀନ ବସିଛନ୍ତି ଚୁପ୍ । ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନା ଦଳ ଭିତରେ ଶୃଙ୍ଖଳା ପାଠ ପଢ଼ାଉଛନ୍ତି । ଫଳରେ ପଦାରେ ପଡ଼ୁଛି କନ୍ଦଳ, ମୁହଁ ଖୋଲୁଛନ୍ତି ନେତା ।
Also Read
ଅଧିକ ପଢ଼ନ୍ତୁ: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ
ରାଜ୍ୟସଭାରେ ୱାକଫ୍ ବିଲ୍କୁ ସମର୍ଥନ ନେଇ ସସ୍ମିତ ପାତ୍ରଙ୍କୁ କଡ଼ା କାଉଣ୍ଟର କରିଛନ୍ତି କଂଗ୍ରେସରୁ ଆମଦାନୀ ନେତା ତଥା ବିଜେଡି ବିଧାୟକ ଗଣେଶ୍ବର ବେହେରା । ଗଣେଶ୍ୱର ସସ୍ମିତଙ୍କୁ କଡ଼ା ପ୍ରଶ୍ନ ପଚାରିବା ସହ ଏହା ପଛରେ କାହାର ଖେଳ ବୋଲି କହିଛନ୍ତି । ଖାଲି ଗଣେଶ୍ୱର ଓ ପ୍ରସନ୍ନ ଆଚାର୍ଯ୍ୟ ଯେ, ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ତା’ ନୁହେଁ, ପ୍ରତାପ ଜେନା ଓ ପ୍ରଫୁଲ୍ଲ ସାମଲ ସିଧା ସିଧା ନବୀନଙ୍କୁ ଚିଠି ଲେଖି ସସ୍ମିତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଆଉ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ମଧ୍ୟ ସସ୍ମିତଙ୍କୁ ନେଇ କରିଛନ୍ତି ସମାଲୋଚନା ।
ବିଜେଡି ଭିତର କଳହକୁ ଦେଖି, ଖୁବ୍ ମଜା ଉଠାଉଛି ଶାସକ ବିଜେପି ଓ କଂଗ୍ରେସ । କିଏ ନେତୃତ୍ୱକୁ ନେଇ ପ୍ରଶ୍ନ କଲାଣି ତ କିଏ କହିଲେଣି ରାଜ୍ୟରେ ଆଉ ରହିବନି ଶଙ୍ଖ ଚିହ୍ନ । ଏପରିକି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ବିଜେଡି ଦଳ ବିଜେପିରେ ମିଶିଯିବ । ହେଲେ ଏତେ ସବୁ ଚର୍ଚ୍ଚା ଆଲୋଚନା ଭିତରେ ଭାଙ୍ଗୁନି ବିଜେଡି ମୁଖିଆଙ୍କ ନିଦ । ନା ମୁହଁ ଖୋଲୁଛନ୍ତି । ନା ଦଳକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି । ଯଦି କିଛି ଦେଖିବାକୁ ମିଳୁଛି କେବଳ ପାଣ୍ଡିଆନଙ୍କ ସହ ଅନ୍ୟ ରାଜ୍ୟ ଓ ବିଦେଶ ଭ୍ରମଣ ସମୟରେ ।
ତେବେ ନବୀନ କେବେ ମୁହଁ ଖୋଲୁଛନ୍ତି ଆଉ ଦଳ ଭିତର କନ୍ଦଳକୁ ରୋକିବାକୁ କାର୍ଯ୍ୟାନୁଷ୍ଠନ ନେଉଛନ୍ତି ତା’ ଦେଖିବାକୁ ବାକି ରହିଲା ।