• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅପରାଜିତାଙ୍କ ପୁରୀ ଗସ୍ତ ପରେ ତେଜିଲା ରାଜନୀତି । ASIକୁ ଟାର୍ଗେଟ କଲେ ପୁରୀ ବିଧାୟକ । ଦୀର୍ଘ ଦିନ ଧରି ଚୁପ୍‌ ରହିବା ପରେ ଶେଷରେ ମୁହଁ ଖୋଲିଲେ ବିଧାୟକ ଜୟନ୍ତ ଷଢ଼ଙ୍ଗୀ । ସେ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଠିକ୍ କହିଛନ୍ତି । ବିନା ଅନୁମତିରେ କରିଡର କାମ ହେଉଛି । ବିକାଶ କାମକୁ କେହି ବିରୋଧ କରୁନାହାନ୍ତି । ଅପରାଜିତା ଯାହା କହୁଛନ୍ତି ଠିକ, ବିନା ଅନୁମତିରେ କାମ ଚାଲିଛି । ଏଏସ୍‌ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ । ଏହାସହ ASI ଜାଣିକି ସବୁ ହେଉଛି ବୋଲି କହିଛନ୍ତି ପୁରୀ ବିଧାୟକ ।

ସେହିପରି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଶ୍ରୀମନ୍ଦିର ଚାରିପଟେ ବହୁତଳ କୋଠା ନିର୍ମାଣ ହେଉଛି । ଯେଉଁଭଳି ଭାବେ ଖୋଳା ଚାଲିଛି ତାହା ବିନା ASIର ଅନମୁତିରେ ସମ୍ଭବ ନୁହେଁ । ସେପଟେ ଯାହା ହେଉଛି ସେ ସବୁ ପ୍ରଶାସନ ବୁଝିସୁଝି କରୁଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସୂଚନାଯୋଗ୍ୟ, ଗତକାଲି ଅପରାଜିତା ପୁରୀ ଗସ୍ତରେ ଯାଇଥିଲେ । ଶ୍ରୀମନ୍ଦିର ଆଗରେ ଶ୍ରୀଜୀଉଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ଉଠିଲା-ପଡିଲା ଶ୍ରୀକ୍ଷେତ୍ର । ପୋଲିସକୁ ବି ନାକେଦମ୍ ହେବାକୁ ପଡିଥିଲା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଅପରାଜିତା । ତେବେ ଗତକାଲି ସେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ତାଙ୍କୁ ଚନ୍ଦନପୁର କାଠପୋଲ ନିକଟରେ ଅଟକାଇଥିଲା । ଫଳରେ ସେ ମାଳତିପାଟପୁର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ । ପରେ ପ୍ରଶାସନର ଅନୁମତି ମିଳିବାରୁ ଗାଡିରେ ପୁରୀ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ସେ ଓ ତାଙ୍କ ସମର୍ଥକ ବଡ଼ ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଏଁ ଯାଇଥିଲେ ।

ବହୁ ସାଧାରଣ ଲୋକ ବି ତାଙ୍କ ସହ ସାମିଲ ହୋଇଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଅପରାଜିତା। ନିଷିଦ୍ଧାଞ୍ଚଳରେ ଜେସିବି ଲଗାଇ ୩୦ ଫୁଟ ଗାତ ଖୋଳିବାକୁ କେଉଁ ଇଞ୍ଜିନିୟର୍ ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏଥିପାଇଁ ASI ଅନୁମତି ଦେଇଛି କି ବୋଲି ସେ ଜାଣିବାକୁ ଚାହିଁଥିଲେ ।