• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧି ଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିପାଇଁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି କଂଗ୍ରେସ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ।  ଦିଲ୍ଲୀରେ ଡିସେମ୍ବର ୨୪ ତାରିଖରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାହୁଲ ଗାନ୍ଧିଙ୍କୁ ପୁରା ସୁରକ୍ଷା ଦେବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଥିଲା ବୋଲି ବେଣୁଗୋପାଳ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ରାହୁଲ ଗାନ୍ଧିଙ୍କୁ ଏବେ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଉଛି । କିନ୍ତୁ ଦିଲ୍ଲୀରେ ଲୋକଙ୍କ ଭିଡ଼ ରାହୁଲ ଗାନ୍ଧିଙ୍କ ପାଖାପାଖି ଆସି ଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କ ଚାରିପଟେ ଘେରି ଯାଇ ତାଙ୍କୁ ସୁରକ୍ଷା ଦେଇଥିଲେ । ହରିୟାଣାରେ ମଧ୍ୟ ପଦଯାତ୍ରା ବେଳେ କିଛି ଅଜଣା ଲୋକ ପଶି ଆସିଥିଲେ ।

ଅଧିକ ପଢ଼ନ୍ତୁ: ରାଜନୈତିକ ମଇଦାନରେ ପ୍ରିୟଙ୍କାଙ୍କ ଝିଅ !

କଂଗ୍ରେସ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି. ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେଉଥିବା ଲୋକଙ୍କୁ ଗୁଇନ୍ଦା ବିଭାଗ ପଚରାଉଚରା କରୁଛି । ହରିୟାଣା ଗୁଇନ୍ଦା ବିଭାଗର କିଛି ଅଜଣା ଲୋକ ବେଆଇନ ଭାବେ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବେଶ କରି ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା ଲୋକଙ୍କୁ ହଇରାଣ କରିଥିଲେ । ଏନେଇ ହରିଆଣାର ଗୁରୁଗ୍ରାମ ପୋଲିସ୍‌ ନିକଟରେ ଅଭିଯୋଗ କରାଯାଇଛି । ଭାରତର ବିଭିନ୍ନ ସ୍ଥାନରେ ବୁଲିବା ପାଇଁ ଦେଶବାସୀଙ୍କର ଅଧିକାରୀ ରହିଛି ।

ଭାରତ ଯୋଡ଼ୋ ଯାତ୍ରା ଗୋଟିଏ ପଦଯାତ୍ରା। ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଏହି ଯାତ୍ରା କରାଯାଉଛି ।  ଆଗକୁ କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା ପଂଜାବ ଓ ଜାମ୍ମୁ କାଶ୍ମୀର ଯିବ । ତେଣୁ ରାହୁଲ ଗାନ୍ଧିଙ୍କୁ ଜେଡ୍ ପ୍ଲସ୍ ଅନୁସାରେ କଡ଼ା ସୁରକ୍ଷା ପ୍ରଦାନ କରାଯାଉ । ସରକାର ଆକ୍ରୋଶମୂଳକ ରାଜନୀତି ନକରି ରାହୁଲ ଗାନ୍ଧିଙ୍କ ସମେତ ସମସ୍ତ କଂଗ୍ରେସ ନେତାଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବେଣୁଗୋପାଳ ।