• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଆସିବେ ଏଆଇସିସି ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । କେବେ ଆସିବେ ସେନେଇ ତାରିଖ ଚୁଡ଼ାନ୍ତ ହୋଇନାହିଁ, ହେଲେ ଖୁବଶୀଘ୍ର ସେ ଓଡ଼ିଶା ଆସୁଛନ୍ତି ଏବଂ ଯଥା ଶୀଘ୍ର ତାରିଖ ମଧ୍ୟ ସ୍ଥିର ହେବ । ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ସାମିଲ ହୋଇ ଫେରିଥିବା ନିରଞ୍ଜନ ରାଜ୍ୟରେ ସଂଗଠନ, ରାଜନୈତିକ, ଅର୍ଥନୀତି, କୃଷକ, ସାମାଜିକ ନ୍ୟାୟ ଓ ବେରୋଜଗାର ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କହିଛନ୍ତି ।

ଏହାସହ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି । ନିଜେ ପ୍ରଚାରରେ ଯିବାକୁ କହିବା ସହ କମ୍ ବ୍ୟବଧାନରେ ହେଲେ ମଧ୍ୟ ନିର୍ବାଚନରେ ବିଜୟ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହା ସହ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି ନିରଞ୍ଜନ ।

ଅନ୍ୟପଟେ ଏବେ ପ୍ରିୟଙ୍କା ଧରିପାରନ୍ତି କଂଗ୍ରେସ ମଙ୍ଗ । ଏନେଇ ଚର୍ଚ୍ଚା ଜୋର ଧରିଛି । ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ଏପ୍ରସଙ୍ଗକୁ ନେଇ ଗୁରୁତ୍ୱର ସହ ଆଲୋଚନା ହୋଇଛି । ତେବେ ରାହୁଲ ଗାନ୍ଧିଙ୍କୁ ଦଳର ମଙ୍ଗୁଆଳ କରିବା ନେଇ ଜୋର ଦେଇଛନ୍ତି କିଛି ବରିଷ୍ଠ ନେତା । କାରଣ ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା । ତେଣୁ ପୁଣି ଥରେ ସାଧାରଣ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ିବା ନେଇ ମତ ବ୍ୟକ୍ତ କରିଛନ୍ତି ଦଳର ବରିଷ୍ଠ ନେତା ।

ଯଦି ରାହୁଲ ନମାନନ୍ତି ତେବେ ପ୍ରୀୟଙ୍କାଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ଦଳର ଅସନ୍ତୋଷ ନେତା ବି ଏନେଇ ସହମତି ଦେଇଛନ୍ତି । ଗତକାଲିର ଆଲୋଚନାରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଆଗାମୀ ଦୁଇ ମାସ ମଧ୍ୟରେ ଏହାର ରୂପରେଖ ସ୍ପଷ୍ଟ ହେବ । କଂଗ୍ରେସ ସଭାପତି ସମେତ ବିଭିନ୍ନ ରାଜ୍ୟରେ ପିସିସି ବି ପରିବର୍ତ୍ତନ ହେବ । ମୁଖ୍ୟତଃ କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ର ସମସ୍ତ ଦାବି ଓ ଅଭିଯୋଗକୁ ଶୁଣାଯାଇଛି ।