• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ବଡ ବୟାନ । ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରାନ୍ତୁ ସୋନିଆ ଗାନ୍ଧି ! ସୁରଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ଦ୍ରୌପଦୀ ବିଜେପି ଚିନ୍ତାଧାରାର ହୋଇଥିବାରୁ ତାଙ୍କୁ କଂଗ୍ରେସ କେବେ ବି ସମର୍ଥନ କରିପାରିବ ନାହିଁ । ଏମିତିକି ନରସିଂହ କହିଥିଲେ ଯେ, ଦଳ ପକ୍ଷରୁ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ ଅନ୍ୟ ଜଣଙ୍କୁ ସମର୍ଥନ କରିବା ଠିକ୍‌ ନୁହେଁ । ତେବେ ନରସିଂହଙ୍କ ଏଭଳି ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।

ସୂଚନାଯୋଗ୍ୟ; ସୁର କହିଛନ୍ତି ଯେ, ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚନ ଜିତି ସାରିଛନ୍ତି । ହୃଦୟରୁ ମୁଁ ତାଙ୍କୁ ସମର୍ଥନ କରୁଛି । ମୋର ୫୦ ବର୍ଷର ଅଭିଜ୍ଞତା କହୁଛି ଦ୍ରୌପଦୀ ଜିତିସାରିଛନ୍ତି ରାଷ୍ଟ୍ରପତି ନିର୍ବାଚନ । ସେ ଭାରତ ବର୍ଷର ଆଗାମୀ ରାଷ୍ଟ୍ରପତି । ଖାଲି ଘୋଷଣା ବାକି ରହିଛି । ସେ ଜଣେ ଓଡ଼ଆ, ତେଣୁ ମୁଁ ଖୁବ୍‌ ଗର୍ବିତ । ତାଙ୍କୁ ଓଡ଼ିଶା ଭବନରେ ଭେଟ ହୋଇ ଅଭିନନ୍ଦନ ଜଣାଇସାରିଛି । ଭଲ ଫୁଲ ତୋଡ଼ାଟେ ଦେଇ, ତାଙ୍କୁ ରାଷ୍ଟ୍ରପତି ବୋଲି ସମ୍ବୋଧନ କରିବା ସହ ଅଭିନନ୍ଦନ ଜଣାଇସାରିଛି ।

ସୁର ଅହୁରି କହିଛନ୍ତି, ‘ଆମେ ଚାହୁଁଥିଲୁ ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତୁ । ଯେଉଁ ୩-୪ ଜଣଙ୍କ ନାଁ ଚର୍ଚ୍ଚା ହେଉଥିଲା ସେଥିରୁ ତାଙ୍କ ନାଁ ବଛା ଯାଉ ବୋଲି ଆମେ ଚାହୁଁଥିଲୁ । ସେ ଏଇଠି ପଢ଼ିଛନ୍ତି ରମାଦେବୀରେ । ଏଇଠି ତାଙ୍କର ସ୍କୁଲ । ଜଣେ ଭଲ ମହିଳା । ଆମେ ଏକା ସଙ୍ଗେ ବିଧାୟକ ହୋଇଥିଲୁ ମନ୍ତ୍ରୀ ବି ହେଇଥିଲୁ । ତାପରେ ସେ ଗଭର୍ଣ୍ଣର ହେବାକୁ ଝାଡ଼ଖଣ୍ଡ ପଳାଇଲେ । ଏବେ ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏଥିପାଇଁ ମୁଁ ଭାରି ଗର୍ବିତ । ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୂର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ । ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ ।

ତେବେ ଏହାରି ଭିତରେ ସୁର, ଏହା ମଧ୍ୟ କହିଛନ୍ତି ଯେ, ମୁଁ ସିନା ଓଡ଼ିଆ ବୋଲି ଓଡ଼ିଆ ଝିଅ ଦ୍ରୌପଦୀଙ୍କ ପାଇଁ ଗର୍ବିତ, ହେଲେ ମୋ ସୁପ୍ରିମୋ ସୋନିଆ ଗାନ୍ଧି । ମୋ ସୁପ୍ରିମୋ ରାହୁଲ ଗାନ୍ଧି । ମୁଁ କଂଗ୍ରେସ କ୍ୟାଡର । ତେଣୁ ଦଳ ଯାହା କହିବ ସେଇ ଧାରାରେ ଯିବାକୁ ହେବ । ସେମାନେ ଯାହା ନାଁ ପ୍ରସ୍ତାବ ଦେବେ ଆମେ ତାଙ୍କୁ ହିଁ ଭୋଟ ଦେବୁ । କିନ୍ତୁ ଯଦି ସେ କହିବେ ଫ୍ରି ଫର ଅଲ୍‌ ତେବେ ଦ୍ରୌପଦୀଙ୍କୁ ମୋର ସମର୍ଥନ ରହିବ । ଯଦି ଉପରୁ ଅର୍ଡର ଆସିବ ଯଶୱନ୍ତ ସିହ୍ନା ଆମ କ୍ୟାଣ୍ଡିଡେଟ୍ ତେବେ ମୋ ଭୋଟ ତାଙ୍କୁ ଯିବ ।