• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପାଖାପାଖି ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ହେଲେ ଚର୍ଚ୍ଚାରେ ରହିଛି ମୋଦିଙ୍କ ରେମେଡ ଗ୍ୟାରେଣ୍ଟି ସମାବେଶ । କାରଣ ଏଇ ବିଶାଳ ସମାବେଶକୁ ସମ୍ବୋଧନ ସହ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୨୪ ନିର୍ବାଚନର ବିଗୁଲ ଫୁଙ୍କିବେ ବୋଲି କୁହାଯାଉଛି । ଯାହାକୁ ନେଇ ବିଜେପି କ୍ୟାମ୍ପ ପୂରା ଉତ୍ସାହିତ ଥିବା ବେଳେ, ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ମଞ୍ଚ ପ୍ରସ୍ତୁତ । ଗୈରିକମୟ ହେଲାଣି ସମ୍ବଲପୁର ରେମେଡ ପଡ଼ିଆର ସଭାସ୍ଥଳ । ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ । ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା ନାରାରେ ଏଇଠୁ ଫୁଙ୍କିବେ ନିର୍ବାଚନୀ ମହାଲଢ଼େଇର ବିଗୁଲ୍ । ଲକ୍ଷାଧିକ ଦଳୀୟ କର୍ମୀ, ନେତା ଓ ଜନତାଙ୍କୁ ନିଜ ସରକାର ୧୦ ବର୍ଷର ଉପଲବ୍ଧି ବଖାଣିବେ ।

ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତାହା ପୁଣି ଓଡ଼ିଶାର ବିଜେପି ଗଡ଼ ପଶ୍ଚିମ ଓଡ଼ିଶାରେ । ତେବେ ନିଜ ଭାଷଣରେ ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ସ୍ୱର କେତେ ଗରମ ରହିବ ତା ଉପରେ ନିର୍ଭର କରୁଛି ୨୪ ରାଜନୈତିକ ପୃଷ୍ଠଭୂମି । ହେଲେ ମୋଦିଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ସଭାପତି କିନ୍ତୁ କହିଛନ୍ତି ୨୪ରେ ରାଜ୍ୟରେ ବିଜେପି ସରକାର ନିଶ୍ଚିତ ।

ତେବେ ରେମେଡ ସାଧାରଣ ସଭା ପୂର୍ବରୁ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବି ରହିଛି । ଏଠି ଶିକ୍ଷା ବିଭାଗ ଦ୍ୱାରା ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସର ଲୋକାର୍ପଣ କରିବା ସହ ୬୮ ହଜାର କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ

ନୂଆ ଟ୍ରେନ ଚଳଚଳର ଶୁଭାରମ୍ଭ ହେବ । ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇଟିକିଆ ପୋଲର ଉଦ୍ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି । ତେଣୁ ମୋଦିଙ୍କ ଆଇଆଇଏମ୍ ସଭା ପାଇଁ ବି ସବୁ ପ୍ରକାର ପ୍ରସ୍ତୁତି ସରିଛି ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ।

ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ଣ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଉତ୍ତରାଞ୍ଚଳ ପୋଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲରା ଏସପି ଓ ଦୁଇଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ମୋଦିଙ୍କ ଏ ଗସ୍ତ ରାଜ୍ୟ ବିଜେପିକୁ ଆସନ୍ତା ନିର୍ବାଚନରେ କେତେ ବଳ ଯୋଗାଉଛି ଏବେ ତା ଉପରେ ନଜର ।

  • Reported by:
  • SANJAY JENA , JAGDISH DAS