• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବିତଙ୍କୁ ବିଜେଡିର କଡ଼ା ସମାଲୋଚନା । ଜଗନ୍ନାଥଙ୍କୁ ନେଇ ସମ୍ବିତ ଡ୍ରାମା କରୁଥିବା କହିଲେ ପ୍ରତାପ ଦେବ । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି ଓ କଂଗ୍ରେସ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସମ୍ବିତ ପାତ୍ର ଯାହା କହୁଛନ୍ତି ଓ ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଛନ୍ତି, ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ହେଉଛି । ସେଠାରେ କଣ ହେଉଛି ଏବେ ବି ରାଜ୍ୟବାସୀ ଦ୍ୱିଧାରେ ଅଛନ୍ତି । ରାଜ୍ୟ ସରକାର ଏଏସ୍ଆଇର ଅନୁମତି ନେଇ ପ୍ରକଳ୍ପ କରିବା ଆବଶ୍ୟକ ଥିଲା । ବର୍ତ୍ତମାନ ପ୍ରକଳ୍ପ ଆରମ୍ଭ କରିବା ଆବଶ୍ୟକ ନ ଥିଲା । ଡିଜାଇନ ପ୍ରଥମେ ଲୋକ ଲୋଚନକୁ ଆସିବା କଥା । ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ସାଲୁଜା କହିଛନ୍ତି, ଦଳର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା କଥା ନୁହେଁ । ଏହାକୁ କଂଗେସ ନିନ୍ଦା କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଶିକି ରାଜନୀତି କରୁଛନ୍ତି ବୋଲି ସାଲୁଜା କହିଛନ୍ତି ।

ସେପଟେ ଆଜି ଶ୍ରୀମନ୍ଦିର କରିଡର ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟାର୍ଗେଟ କରିଛନ୍ତି । ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟ ସରକାର ଓ ସାଂସଦ ପିନାକୀ ମିଶ୍ରଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ । ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ ହୋଇଛି । ଏଏସ୍ଆଇର ସତ୍ୟପାଠ ପରେ ମୁହଁ ଖୋଲିଲି । ଆଉ ଚୁପ୍ ରହିବେନି ବୋଲି କହିଛନ୍ତି ସମ୍ବିତ ।

ରାଜ୍ୟ ସରକାର ଆମ ଧରୋହରକୁ ନଷ୍ଟ କରିଛନ୍ତି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପରେ ତିଆରି ହେଉଥିବା ରିସେପସେନ୍ ସେଣ୍ଟରକୁ ରେଗୁଲେଟେଡ୍ ଜୋନ୍‌କୁ ନେଇଯିବାକୁ ରାଜ୍ୟ ସରକାର କୋର୍ଟରେ କହିଥିବାରୁ ବର୍ଷିଛନ୍ତି ସମ୍ବିତ । ରେଗୁଲେଟେଡ୍‌ ଜୋନ୍‌କୁ ନେଇଯିବା କହିବା ଅର୍ଥ ସରକାର ପ୍ରୋହିବିଟେଡ୍‌ ଜୋନ୍‌ରେ ନିର୍ମାଣ କାର୍ଯ୍ୟ ଚଳାଇଥିଲେ । ସବୁ କଥା ଜାଣି ବି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରିବା ଚିନ୍ତାର ବିଷୟ । ସେଠାରେ କାହିଁକି ନିର୍ମାଣ କାର୍ଯ୍ୟ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।