• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଲିଟିକାଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଫୋକସ୍‌ରେ ଓଡ଼ିଶା । ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି । ସୋନିଆଙ୍କୁ ଭେଟି, ଦେଇଛନ୍ତି ରୋଡ ମ୍ୟାପ୍ । ପ୍ରଶାନ୍ତ କହିଛନ୍ତି ଦଳ ଓଡ଼ିଶାରେ ନୂଆ ଟିମ୍ କରି ୨୪ ନିର୍ବାଚନ ଏକାକୀ ଲଢୁ । ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡିଶାରେ ଏବେବି କଂଗ୍ରେସର ପକେଟ ଭୋଟ ରହିଛି । ତେବେ ଦୁର୍ବଳ ସ୍ଥାନୀୟ ନେତୃତ୍ୱ ଲାଗି ଧୀରେ ଧୀରେ ଦଳ ଏସବୁ ଅଞ୍ଚଳରେ ସ୍ଥିତି ହରାଉଛି । ସଂଗଠିତ ହୋଇ ଲଢିଲେ କଂଗ୍ରେସ ଏଠାରୁ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶାନ୍ତ, ସୋନିଆଙ୍କୁ ବୁଝାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ତେବେ ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି । ହେଲେ ପଶ୍ଚିମ କି ଉପକୂଳରେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ । ଏହି ସବୁ ଜିଲ୍ଲାରେ ଦଳର ପ୍ରଦର୍ଶନ କେମିତି ଭଲ ହେବ ସେନେଇ ପ୍ରଶାନ୍ତ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ଏଆଇସିସି ସଂଗଠନକୁ ସୁଦୃଢ଼ କରିବାକୁ ଜୋରଦାର କସରତ କରୁଛି, ଅନ୍ୟପଟେ ରାଜ୍ୟରେ କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ ତାକୁ ନେଇ ବାଦ, ବିବାଦ ଓ ଦ୍ୱନ୍ଦ୍ୱ ଜାରି ରହିଛି । ବର୍ତ୍ତମାନର ବିଧାୟକ ବନାମ ପୁରୁଖାଙ୍କ ଭିତରେ ଘମାସାନ ପରିସ୍ଥତି । ବରିଷ୍ଠ ବିଧାୟକ ତାରା ବାହିନୀପତି କହିଛନ୍ତି, ପିସିସି ସଭାପତି ପଦ ଯଦି କୌଣସି ବିଧାୟକଙ୍କୁ ନମିଳେ ଅସନ୍ତୋଷ ଦେଖାଦେବ । ସେହିପରି ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସଭାପତି ଚୟନରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ସମର୍ଥନ କରିବୁ । ମାତ୍ର ପିସିସି ସଭାପତିଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ବି ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି କହି ସିଧାସଳଖ ନରସିଂହଙ୍କୁ ନିଶାନା କରିଛନ୍ତି ସାଲୁଜା । ତେବେ ନରସିଂହ ଏହି କଥାକୁ ଏଡ଼ାଇଯାଇଛନ୍ତି ।

ଅନ୍ୟପଟେ ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ପାଇଁ ଘର ସଜଡା ବଡ଼ ଚାଲେଞ୍ଜ । ଅସଜଡ଼ା ଘର ଦଳକୁ ଅଧିକ କ୍ଷତିଗ୍ରସ୍ତ କରୁଛି । ପୁରା ଦେଶର କଂଗ୍ରସ ବିପର୍ଯ୍ୟୟ ଦେଇ ଗତି କରୁଛି । ଏଭଳି ସ୍ଥଳେ ପ୍ରଶାନ୍ତ କିଶୋରଙ୍କ ଫର୍ମୁଲା କେତେ କାମ ଦେଉଛି ଏବଂ ଓଡିଶା କଂଗ୍ରେସକୁ କିଭଳି ସଞ୍ଜିବନୀ ମିଳୁଛି ତାକୁ ଅପେକ୍ଷା ।