• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଶତାଧିକ ସମର୍ଥକ ଯୋଗଦେଇଥିଲେ । ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରି ପ୍ରଦୀପ ମାଝି ନିଜର ସମର୍ଥକଙ୍କ ଗହଣରେ ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବୁ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ । ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି । ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି । ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ୍‌ କରିଛନ୍ତି ପ୍ରଦୀପ ।

ତେବେ ଗତ କିଛି ଦିନ ଧରି ପ୍ରଦୀପ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପରେ ସେ ଏହାକୁ ଖଣ୍ଡନ କରିଥିଲେ । ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ସେ କହିଥିଲେ ‘ମୁଁ କଂଗ୍ରେସରେ ଅଛି ଆଉ ରହିବି’ । କିନ୍ତୁ ଏହାର କିଛି ଦିନ ପରେ ପୁଣି ତାଙ୍କର ଆଚରଣ ଓ ଉଚାରଣରେ ବ୍ୟତିକ୍ରମ ଦେଖାଦେଇଥିଲା । ଆଉ ଯେଉଁ ପ୍ରଦୀପ ଦିନେ ନବୀନ ସରକାରଙ୍କୁ ବାରମ୍ବାର ଅଡ଼ୁଆରେ ପକାଉଥିଲେ ସେହି ପ୍ରଦୀପଙ୍କ ମୁହଁରେ ନବୀନ ଓ ବିଜେଡିର ପ୍ରଶଂସା ଶୁଣିବାକୁ ମିଳିଥିଲା । ଓଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଦୀପ ପରୋକ୍ଷରେ ସୂଚାଇ ଦେଇଥିଲେ ଯେ, ସେ ବିଜେଡିରେ ଯୋଗଦେବାକୁ ଯାଉଛନ୍ତି । କଂଗ୍ରେସରେ ଲୋକଙ୍କ ସେବା କରିବାର ସୁଯୋଗ ନାହିଁ । ଯେଉଁ ଦଳରେ ଲୋକଙ୍କର ସେବା କରିବାର ସୁଯୋଗ ମିଳିବ ସେହି ଦଳକୁ ସେ ଯିବେ । ଏଥିରେ କିଛି ଅସୁବିଧା ନାହିଁ ବୋଲି ପ୍ରଦୀପ କହିଥିଲେ ।

ଏହି ସମାନ କଥା ଦର୍ଶାଇ ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରି ଆଜି ବିଜେଡିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ପ୍ରଦୀପ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ହେଉଛନ୍ତି ପ୍ରଦୀପ । ଏବେ ବିଜେଡିରେ ସାମିଲ ହେବା ପରେ ଦକ୍ଷିଣ ଓଡ଼ିଶାରେ ବିଜେଡି କବ୍‌ଜା କରିବ ବୋଲି ଆଶା କରାଯାଉଛି । ପ୍ରଦୀପ ନିଜ ଇସ୍ତଫା ପତ୍ରରେ ଆହୁରି ଲେଖିଛନ୍ତି ଯେ, ଦଳ ଏବେ ବିଶ୍ୱାସନୀୟତା ହରାଇଛି । ଦଳରେ କିଛି ମୁଷ୍ଟିମେୟଙ୍କ ରାଜୁତି ଚାଲୁଥିବା ବେଳେ ଏଠାରେ ସେବା କରିବାର ସୁଯୋଗ ନାହିଁ । 

ତେବେ ଏହି ଘଟଣାକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ପ୍ରଦୀପ୍ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନର ଚର୍ଚ୍ଚା ପରେ ଶେଷରେ ୨୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବେ ଦକ୍ଷିଣ ଓଡ଼ିଶାର ଯୁବ, ଦକ୍ଷ ଓ ଟାଣୁଣା ଆଦିବାସୀ ଚେହେରା ପ୍ରଦୀପ ମାଝୀ ।