• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ କେତେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ୍ ପରେ ସୁଧୁରିବ ବ୍ୟବସ୍ଥା ? ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ।ଭୁବନେଶ୍ୱରରେ କଳିଙ୍ଗ ପୁସ୍ତକମେଳାର ମଞ୍ଚରେ ଜାତୀୟ ସଂଗୀତ ପରିବେଷଣ ବେଳେ ବିଜୁଳି ଚାଲିଗଲା ବୋଲି କହିଛନ୍ତି ଆୟୋଜିକା ।

ଫଳରେ ବେଶ୍ କିଛି ମିନିଟ ଅନ୍ଧାରରେ ବସି ରହିଲେ ଛତିଶଗଡ଼ ରାଜ୍ୟପାଳ । ସୂଚନା ଅନୁସାରେ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଆଜି ୧୩ ଜଣ ଲେଖକ, ସାହିତ୍ୟିକ, ଭାଷାବିତ୍ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେହି ସମୟରେ ମଞ୍ଚରେ ବିଦ୍ୟୁତ କାଟ୍ ହୋଇଥିଲା ଏବଂ ଚାରିଆଡ଼େ ଛାଇ ଯାଇଥିଲା ଅନ୍ଧକାର ।

ସେହି ସମୟର ଭିଡିଓ ସେଠାରେ ଉପସ୍ଥିତ ଦର୍ଶକଙ୍କ ମୋବାଇଲରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଅନ୍ୟ ମଞ୍ଚାସୀନ ଅତିଥି ଅନ୍ଧାରରେ ବସିଛନ୍ତି ଏବଂ ଆୟୋଜକଙ୍କ ପକ୍ଷରୁ ଟେବୁଲ ଲ୍ୟାମ୍ପ ଭଳି ଲାଇଟ୍ ରାଜ୍ୟପାଳଙ୍କ ସାମ୍ନାରେ ରଖୁଛନ୍ତି । ଅବଶ୍ୟ କିଛି ମିନିଟ୍ ପରେ ଜେନେରେଟର୍ ଚାଲିବାରୁ ପୁଣି ବିଦ୍ୟୁତ ଆସିଗଲା ବୋଲି କହିଛନ୍ତି ଆୟୋଜିକା ।

ତେବେ କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା । ତେବେ ଏନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ଏଭଳି ବିଜୁଳି ବିଭ୍ରାଟ ନୂଆ ନୁହେଁ । ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବି ଦେଖାଦେଇଥିଲା ବିଦ୍ୟୁତ ବିଭ୍ରାଟ ।

ମୟୂରଭଞ୍ଜ ବାରିପଦା ସ୍ଥିତ MSCBU ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବା ବେଳେ, ପ୍ରାୟ ୯ ମିନିଟ ଯାଏଁ ବିଦ୍ୟୁତ କାଟ୍ ହୋଇଥିଲା । ପୋଡ଼ିୟମରେ ଜଳୁଥିବା ଅତି କ୍ଷୀଣ ଆଲୋକରେ ଭାଷଣ ଦେଇଥିଲେ ରାଷ୍ଟ୍ରପତି । ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା ।