/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697379358.jpg)
Parsuram Dhada
ବିଜେଡି ବିଧାୟକଙ୍କୁ ହଟାଇବାକୁ ବିଜେଡି ନେତାଙ୍କ ଶପଥ ପାଠ । ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଧାୟକ ପଦବିରୁ ହଟାଇବାକୁ ମନ୍ଦିରରେ ଶପଥ ପାଠ କରାଇଛନ୍ତି ଖୋଦ୍ ଜିଲ୍ଲା ବିଜେଡି ଉପ-ସଭାପତି। ଖାଲି ସୋର ନୁହେଁ ପ୍ରାୟ ସବୁ ସ୍ଥାନରେ ସମାନ୍ତରରଳ ପଦଯାତ୍ରା ଦଳର ଟେନସନ୍ ବଢାଇଲାଣି । କେଉଁଠି ବିଜେଡି ବନାମ ବିଜେଡି ତ କେଉଁଠି ବିଜେଡି ବନାମ ବିଦ୍ରେହୀ । ନିର୍ବାଚନ ଯେତେ ପାଖଉଛି ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାକୁ ଲାଗିଛି।
ଏ ଚିତ୍ର ବିଜେଡିର ତୀବ୍ର ଗୋଷ୍ଠୀ କନ୍ଦଳର । ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି । ଘଟଗାଁ ତାରିଣୀ ମନ୍ଦିରରେ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଅଶୋକ କୁମାର ନାୟକ। ଖାଲି ସେତିକି ନୁହେଁ, ଆଜି ନିର୍ବାଚନୀମଣ୍ଡଳରେ ବିଧାୟକଙ୍କୁ ବାଦ୍ ଦେଇ ଏକ ସମାନ୍ତରଳ ପଦଯାତ୍ରା କରିଛନ୍ତି ବିରୋଧୀ ଗୋଷ୍ଠୀ। ଯେଉଁଥିଲେ ଜିଲ୍ଲା ଉପସଭାପତିଙ୍କ ସହ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ରାଜ ନେତୃତ୍ୱ ନେଇଥିଲେ।
ଖାଲି ସୋର ନୁହେଁ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର। ଭୁବନେଶ୍ୱର ଉତ୍ତର ନିର୍ବାଚନୀ ମଣ୍ଡଳୀରେ ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ ରାଉତ ପଦଯାତ୍ରା କରିଥିବା ବେଳେ, ସମାନ୍ତରାଳ ଭାବେ ପଦଯାତ୍ରା ଏବଂ ବନ୍ଧୁ ମିଳନ କରି ପାୱାର ସୋ କରିଛନ୍ତି ଟିକେଟ ଆଶାୟୀ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ବରଗଡ଼ରେ ମଧ୍ୟ ହେଭିୱେଟ ସୁଶାନ୍ତ ସିଂ ଏବଂ ମନ୍ତ୍ରୀ ରୀତା ସାହୁଙ୍କ ମଧ୍ୟରେ ଚାଲିଛି ବଳ କଷାକଷି। ଏମିତି କି ନିକଟରେ ରୀତା ସାହୁଙ୍କ ପଦଯାତ୍ରାରେ ସୁଶାନ୍ତ ସିଂ କିମ୍ବା ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିନଥିଲା। ଅପରପକ୍ଷେ ସୁଶାନ୍ତ ସିଂ ଏବଂ ତାଙ୍କ ସମର୍ଥକମାନେ ଆୟୋଜନ କରିଥିବା ନୂଆଖାଇ ଭେଟଘାଟକୁ ଯାଇନଥିଲେ ମନ୍ତ୍ରୀ ରୀତା ସାହୁ। କିନ୍ତୁ ଦଳୀୟ ଅନ୍ତକନ୍ଦଳକୁ ଖଣ୍ଡନ କରିଛନ୍ତି ରୀତା ସାହୁ ।
ଖାଲି ପଦଯାତ୍ରା ପଲିଟିକସ ନୁହେଁ ପୂଜାକୁ ନେଇ ଏବେ ବିଜେଡି ନେତାଙ୍କ ଭିତରେ ଦେଖିବାକୁ ମିଳିଲାଣି ପୋଷ୍ଟର ୱାର । ଉପକୂଳରୁ ଉପାନ୍ତ ସବୁଠି ଏହି ପ୍ରତିଯୋଗିତା । ଏ ଚିତ୍ର ଝାରସୁଗୁଡାର, ଏଠି ବିଧାୟିକା ଦୀପାଳି ଦାସ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା । ଅଳକା ବ୍ରଜରାଜନଗରରୁ ବିଧାୟିକା ଥାଇ ମଧ୍ୟ ଝାରସୁଗୁଡ଼ାରେ ଛାଇ ଦେଇଛନ୍ତି ପୋଷ୍ଟର ବ୍ୟାନର। ଠିକ୍ ସେମିତି ସୋର ନିର୍ବାଚନ ମଣ୍ଡଳୀରେ ବିଧାୟକ ପର୍ଶୁରାମ ଧଡା ଏବଂ ଆଶାୟୀ ପ୍ରାର୍ଥୀ ଶିବାନୀ ଶଙ୍କର ରାୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପୋଷ୍ଟର ପ୍ରତିଯୋଗିତା। ତେଣେ ଜୟପୁର ନିର୍ବାଚନୀ ମଣ୍ଡଳୀରେ ବରିଷ୍ଠ ନେତା ରବି ନନ୍ଦ ମଇଦାନରେ ଥିବା ବେଳେ ଏଠି ବି ଆଶାୟୀଙ୍କ ଭିତର ଦେଖିବାକୁ ମିଳିଛି ପୋଷ୍ଟର ପ୍ରତିଯୋଗିତା । ପ୍ରାୟ ସବୁ ନିର୍ବାଚନୀ ମଣ୍ଡଳୀରେ ବିଜେଡିରେ ଏମିତି ସ୍ଥିତି । ତେଣୁ ୨୪ରେ ବିଜେଡି ପାଇଁ ବିରୋଧୀ ଅପେକ୍ଷା ବିଦ୍ରୋହୀ ଅଧିକ ଟେନସନ ଦେଇପାରନ୍ତି ବୋଲି ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)