• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କେନ୍ଦ୍ର ସରକାର ତୈଳଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭାଟ୍ କମାଇବା ପାଇଁ ଘୋଷଣା କରାଯାଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ୩ଟଙ୍କା ଲେଖାଏଁ ଭାଟ୍ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗତକାଲି କେନ୍ଦ୍ର ସରକାର ପେଟ୍ରୋଲର ଉତ୍ପାଦ ଶୁଳ୍କ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ଟଙ୍କା ହ୍ରାସ କରିଥିଲେ ।

ତେବେ ଏହାପରେ ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ । ରନ୍ଧନ ଗ୍ୟାସ୍‌ ଦର ମଧ୍ୟ ହ୍ରାସ କରାଯାଉ । କେନ୍ଦ୍ର ସରକାରଙ୍କୁ ୧୦ ଦିନର ସମୟ ଦିଆଗଲା । ନଚେତ ପୁଣି ଥରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଆଉ ଦରଦାମ ବୃଦ୍ଧିକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନକୁ ପଞ୍ଚାୟତ ସ୍ତରରେ ପ୍ରତି ଘରେ ପହଞ୍ଚାଯିବ । ବିଜେଡି ପକ୍ଷରୁ ଏଭଳି ଚେତାବନୀ ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।

ଅନ୍ୟପଟେ ବିଜେଡି ପକ୍ଷରୁ ଜିଲ୍ଲା ୱାରି ଆରମ୍ଭ ହୋଇଥିବା ଦରଦାମ ବୃଦ୍ଧି ବିରୋଧୀ ଆନ୍ଦୋଳନ ୧୦ ଦିନ ଯାଏ ସ୍ଥଗିତ ରହିଲା । ଏହି ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ଏହି ୧୦ ଦିନ ଭିତରେ କେନ୍ଦ୍ର ଏଲ୍‌ପିଜି ଦର ନକମାଇଲେ, ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ।

ସେପଟେ ରାଜ୍ୟ ୩ଟଙ୍କା ଭାଟ୍ କମାଇଥିଲେ ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆଉ ୪ଟଙ୍କା ଭାଟ୍ ଛାଡ଼ କରିବାକୁ ବିଜେପି ଦାବି କରିଛି । କଂଗ୍ରେସ କହିଛି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସେମାନେ ମିଶିକରି ଦର ବଢାଉଛନ୍ତି ।

 

ତେବେ କେନ୍ଦ୍ର ସରକାରଙ୍କ ପରେ ଓଡ଼ିଶା ଭଳି ଅନେକ ରାଜ୍ୟ ଭାଟ୍ ହ୍ରାସ ଘୋଷଣା କରିଛନ୍ତି । ହରିୟାଣା ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୧୨ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି । ଏନେଇ ଟୁଇଟ୍‌ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ସେହିପରି ଉତ୍ତରପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧୨ଟଙ୍କା କମାଇବାକୁ ଯୋଗୀ ସରକାର ଘୋଷଣା କରିଛନ୍ତି । ସେପଟେ ଗୁଜରାଟ, ମଣିପୁର, ଆସାମ ଓ ତ୍ରିପୁରା ସରକାର ମଧ୍ୟ ତେଲ ଲିଟର ପିଛା ୭ଟଙ୍କା କମାଇଛନ୍ତି । ଉତ୍ତରାଖଣ୍ଡ ସରକାର ପେଟ୍ରୋଲ ଉପରେ ୨ଟଙ୍କା ଭାଟ୍ ହ୍ରାସ କରିଥିବା ବେଳେ ହିମାଚଳପ୍ରଦେଶ ସରକାର ଭାଟ କମାଇବା ଦିଗରେ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି । କର୍ଣ୍ଣାଟକ, ବିହାର, କେରଳରେ ମଧ୍ୟ ଭାଟ୍‌ର ହ୍ରାସ ପାଇଥିବା ଜଣାପଡିଛି ।