• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଚସ୍ପତି ନିର୍ବାଚନ ତାରିଖକୁ ନେଇ ବିବାଦ ଓ ବିରୋଧ । ପଶ୍ଚିମ ଓଡ଼ିଶା ଭାବାବେଗ ସହ ଖେଳ ଖେଳୁଛନ୍ତି କି ସରକାର ? ଗଣପର୍ବ ନୂଆଁଖାଇ ଲାଗି ଚଳଚଂଚଳ ସାରା ପଶ୍ଚିମ ଓଡ଼ିଶା । ଆସନ୍ତା ୨୦ ତାରିଖରେ ପାଳନ ହେବାକୁ ଯାଉଥିବା ଏହି ପର୍ବ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । ହେଲେ ନୂଆଁଖାଇର ଠିକ୍ ପରଦିନ ଅର୍ଥାତ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଛି ସମୟ । ଏଥିପାଇଁ ଆସନ୍ତା ୧୮ରେ ହେବ ନାମାଙ୍କନ ଦାଖଲ ।

ତେବେ ୨୧ ତାରିଖରେ ନିର୍ବାଚନକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । କାହିଁକିନା ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଦୁଇଦିନ ଧରି ପାଳନ କରାଯାଏ । କିନ୍ତୁ ବାରମ୍ବାର କହିବା ପରେ ବି ତାରିଖ ବଦଳା ଯାଉନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।

ସେପଟେ ସିଧାସିଧା ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ ନିଶାନା କରିଛି ବିଜେପି । ଅଭିଯୋଗ କରିଛି,ସରକାରକୁ ମନ୍ତ୍ରୀ-ନେତା ଚଳାଉନାହାନ୍ତି, ବରଂ ସଚିବ ଚଳାଉଛନ୍ତି । ଅଣଓଡ଼ିଆ ହୋଇଥିବାରୁ ପଶ୍ଚିମ ଓଡ଼ିଶାର ସଂସ୍କୃତି ସଂପର୍କରେ ଜାଣିନଥିବା କହିଛନ୍ତି । ଅଭିଯୋଗ ଉପରେ ଜବାବ ରଖି ବିଜେଡି କହିଛି, ଏ ସଂପର୍କିତ ନିଷ୍ପତ୍ତି ସଂସଦୀୟ ବ୍ୟାପର ବିଭାଗ ନେବ ।

ପ୍ରଶ୍ନ ଉଠୁଛି ନୂଆଁଖାଇ ଭଳି ଗଣପର୍ବ ବେଳେ ବାଚସ୍ପତି ନିର୍ବାଚନ ତାରିଖ ଧାର୍ଯ୍ୟ କରାଯିବାର କାରଣ କଣ ? ଜାଣିଶୁଣି ଏହି ତାରିଖ ଧାର୍ଯ୍ୟ କରାଯାଇଛି କି ? ବିରୋଧୀ ବାରମ୍ବାର ଦାବି କଲେ ମଧ୍ୟ କାହିଁକି ତାରିଖ ପରିବର୍ତ୍ତନ କରୁନାହାନ୍ତି ରାଜ୍ୟ ସରକାର? ରାଜନୈତିକ ସମୀକ୍ଷକ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।

ବାଚସ୍ପତି ନିର୍ବାଚନ ନାମାଙ୍କନ ଦାଖଲ ଲାଗି ଆଉ ୩ ଦିନ ଥିବା ବେଳେ ନୂଆ ବାଚସ୍ପତି କିଏ ହେବେ ଏ ପର୍ଯ୍ୟନ୍ତ ସସପେନସ୍ ଲାଗି ରହିଛି। ଅନ୍ୟପକ୍ଷରେ ନିର୍ବାଚନ ତାରିଖକୁ ବିରୋଧ ହେଉଛି। ଆଗକୁ ସରକାର କଣ ପଦକ୍ଷେପ ନେଉଛନ୍ତି ତାଉପରେ ନଜର ।

 

  • Reported by:
  • SANJAY JENA , HARIHARA CHAND