Advertisment

ବଢ଼ୁଛି ବିଜେଡି କଳି, ଆଗକୁ ବିସ୍ଫୋରଣ ସମ୍ଭାବନା !

ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।

author-image
Satyendu Shekher Mishra
undefined

Odisha Politics, BJD

ଥମୁନି ବିଜେଡିର ଢୋଲ ଭିତରେ ମୂଷା ଉପାଖ୍ୟାନ । କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା । ସଂଗଠନ ସଜାଡିବା ଉଦ୍ୟମ ପରିବର୍ତ୍ତେ ଗୋହି ଖୋଳିବାରେ ଲାଗିଛନ୍ତି ପରାଜିତ ନେତା। ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।

Advertisment

ଖାଲି ସେତିକି ନୁହେଁ, ବିଜେଡି ହିଁ ବିଜେଡିକୁ ହରାଇଥିବା କହି ବିଷୋଦ୍‌ଗାର କରିଛନ୍ତି। କହିଛନ୍ତ କି, ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଯୋଗାଡ଼ କରିବା ବଦଳରେ ବିଜେଡିର ନେତା ବିରୋଧରେ କାମ କଲେ। ଯେଉଁଥିପାଇଁ ଗଡ ଭୁଶୁଡିଗଲା। ଏଥିସହ ଦୀର୍ଘ ବର୍ଷ କ୍ଷମତାରେ ଥିବାରୁ ଅତ୍ୟଧିକ ଆତ୍ମ ବିଶ୍ୱାସରେ ବି ଦଳ ଦିଗହରା ହୋଇ ଶୋଚନୀୟ ଭାବେ ହାରିଲା । ନୃସିଂହଙ୍କ ଭଳି ଏଭଳି ଗୁମର ଖୋଲାରୁ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢି ଚାଲିଥିବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ ଦଳୀୟ ବିଧାୟକ କହିଛନ୍ତି କିଛି ବିଶୃଙ୍ଖଳା ନାହିଁ। ପୂର୍ବରୁ ଭୁବନେଶ୍ୱର ବିଜେଡିରେ ଫାଟ ନେଇ ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା। ଦଳର ଦୁଇ ବରିଷ୍ଠ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ଅମରେଶ ଜେନା ଢୋଲ ଭିତରେ ମୂଷା କହି ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଥିଲେ। କଳି ବଢିବାରୁ ଜିଲ୍ଲା ସଭାପତି ମିଡିଆକୁ ନଯିବା ଲାଗି କର୍ପୋରେଟରଙ୍କ ଉପରେ କଟକଣା ଜାରି କରିଛନ୍ତି ।

Advertisment

ଅପରପକ୍ଷେ ପାରାଦୀପ ଗଡ ହାତରୁ ଖସିବା ପରେ କିଛି ଦିନ ତଳେ ସମାନ ଆରୋପ ଲଗାଇଥିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ଏହାପରେ କଟକରେ ଏକ ସଭାରେ ବି ଦଳର ପରାଜୟ ପାଇଁ ପାଣ୍ଡିଆନ୍ ଓ ବବିଙ୍କୁ ଦାୟୀ କରି ବର୍ଷିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଦଳ ଏଯାଏଁ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କରିନାହିଁ। ଖୁବଶୀଘ୍ର କମିଟି ଗଠନ ହେବ ବୋଲି କୁହାଯାଇଥିଲେ ବି ଏଯାଏଁ ସମୀକ୍ଷା କରିବାକୁ କାହିଁକି ଦଳ ପଛାଉଛି ତାହା ହିଁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଯେଉଁମାନେ ଗଣମାଧ୍ୟମକୁ ଆସି ଅପ୍ରିୟ ସତ କହୁଛନ୍ତି ସେମାନଙ୍କୁ ସୁପ୍ରିମୋ ଡାକି ବୁଝାଉଛନ୍ତି ଯେ ଏଥିରୁ ନିବୃତ ରହିବାକୁ । ତେବେ ଦେଖିବାର କଥା ଢୋଲ ଭିତର ମୂଷାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ଦଳ ।

BJD BJP Congress Odisha Politics General Election 2024
Advertisment
Advertisment