• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଗଠନ ହେବାକୁ ଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସେମାନଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବ ଏହି ନିର୍ଦ୍ଦେଶାଳୟ । ଶିକ୍ଷା, ଗବେଷଣା, ଶିଳ୍ପୋଦ୍ୟୋଗ ଆଦି କ୍ଷେତ୍ରରେ ଏହି ଡିରେକ୍ଟୋରେଟ୍ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିବ ପରାମର୍ଶଦାତା ପରିଷଦ ।

ଏହାର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ। ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟରେ ପାରିତ ହେଉ ହେଉ ତେଜିଲାଣି ରାଜନୀତି। ବିଜେପି ଅଭିଯୋଗ କରିଛି, ଓଡ଼ିଶା ମୋ ପରିବାର ବିଜେଡିର ଏକ କାର୍ଯ୍ୟକ୍ରମ ଥିଲା। ତାକୁ ଏବେ ସରକାରୀ ସ୍ୱୀକୃତି ଦେଇ ସରକାରଙ୍କ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ସମାନ ଅଭିଯୋଗ ଆଣି କଂଗ୍ରେସ୍ କହିଛି, ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏସବୁ ଅଭିଯୋଗର ଜବାବ ରଖିଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ। 

ଦେଶ, ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ଜଗନ୍ନାଥ ଚେତନାର ବିକାଶ ଓ ବାର୍ତ୍ତା ପହଞ୍ଚାଇବା ଲାଗି ସରକାରୀ ସ୍ତରରେ ଏହି ନିର୍ଦ୍ଦେଶାଳୟ ବେଶ ସହାୟକ ହେବ ବୋଲି କୁହାଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲି ସରକାର ଓଡ଼ିଆ ଅସ୍ମିତା କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି । ସେପଟେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ଜୁଏଲ୍ ଓରାମ। ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମର ବ୍ରାଣ୍ଡିଂ କରିବା ବିଜେଡିର ପୁରୁଣା ଅଭ୍ୟାସ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ୍। ଭାଷା ଓ ସଂସ୍କୃତି ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି ।

 

(ଭୁବନେଶ୍ୱରରୁ କ୍ୟାମେରାପର୍ସନ ଅବଦୁଲ ଅଜିଜଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି)