• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟସ୍ତରରୁ ଯାଇ ଜାତୀୟ ରାଜନୀତିରେ ଏବେ ପାଣ୍ଡିଆନ-କାମିୟା ଜାନି ବିବାଦ । ଆଜି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ Xରେ ପାଣ୍ଡିଆନ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରସଙ୍ଗରେ ବାଣ ମାରିଛନ୍ତି । ସେପଟେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ଅନ୍ୟପଟେ ଏହି ପ୍ରସଙ୍ଗରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ ଭି.କେ. ପାଣ୍ଡିଆନ ।

ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ନିଜ ସୋସିଆଲ ମିଡିଆ ଏକ୍ସ ଯୋଗେ ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ ବହୁତ ଚିନ୍ତାର ବିଷୟ । ପାଣ୍ଡିଆନଙ୍କ ଦ୍ୱାରା ଜଣେ ଗୋମାଂସ ପ୍ରଚାରକଙ୍କୁ ପ୍ରବେଶ ଅନୁମତି ଧର୍ମ, ଇତିହାସ ଏବଂ ଆଧ୍ୟାତ୍ମିକତା ପ୍ରତି ଉପେକ୍ଷା । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ପ୍ରତି ତ୍ୱରିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଓଡିଆ ଓ ସନାତନୀଙ୍କ ଭାବନାକୁ ଆଘାତ ନଦେବା ଉଚିତ୍ । ଜାଣତରେ ହେଉ କି ଅଜାଣତରେ ଓଡିଆ ଲୋକଙ୍କ ଭାବାବେଗ ସହ ଖେଳ ନ ଖେଳନ୍ତୁ ।

ସେପଟେ ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ । ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ । ଯାହାର ଜବାବ୍ ରଖିଛି ବିଜେଡି ।

ଏପଟେ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ କରି ଜୋରଦାର ବିରୋଧ କରାଯାଇଛି । ଏହା ସହ ପାଣ୍ଡିଆନ ଏବଂ କାମିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ବିକ୍ଷୋଭ ଆହୁରି ତୀବ୍ର ହେବ ବୋଲି ସଂଗଠନ ପକ୍ଷରୁ ଚେତବାନୀ ଦିଆଯାଇଛି । ଅନ୍ୟପଟେ ଘଟଣାକୁ ନେଇ ମୁହଁ ଖୋଲିବାକୁ ନାରାଜ ପାଣ୍ଡିଆନ ।

ଅନ୍ୟପଟେ ଘଟଣାରେ ସ୍ପଷ୍ଟୀକରଣ ରଖିବା ବଦଳରେ ଚାରି ଧାମ ପ୍ରମୋସନରେ କାମିୟାଙ୍କୁ ମୋଦି ପ୍ରଂଶସା କରିଥିବା କହି ବିଜେପି ଆଡକୁ ଆଙ୍ଗୁଳି ଉଠେଇଛି ବିଜେଡି । ହେଲେ ପ୍ରଶ୍ନ ଉଠୁଛି ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ କାହିଁକି ଜଣେ ଫୁଡ୍ ପ୍ରମୋଟରଙ୍କୁ ବଛାଗଲା ? କାମିୟାଙ୍କୁ ସରକାରୀ ପ୍ରୋଟୋକଲ ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି । ଏମିତି ଅନେକ ପ୍ରଶ୍ନ ଏବେ ବି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ।

 

  • Reported by:
  • T GOURISHANKAR , JAGDISH DAS , SOUMYA RANJAN SAHOO