Advertisment

ଗଞ୍ଜାମରେ ବଦଳିବ କି ବିଜେଡିର ରାଜନୈତିକ ଦୃଶ୍ୟପଟ୍ଟ ?

ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା।

author-image
Chandan Shishu
ଅଦ୍ୟତନ ହୋଇଛି
Politics heats up in Ganjam ahead of General Election 2024

Politics heats up in Ganjam ahead of General Election 2024

ରୋଚକ ମୋଡ଼ରେ ଗଞ୍ଜାମ ରାଜନୀତି। ନିଜ ଗଡ଼ରେ ବିଜେଡି ନେତାଙ୍କ ସ୍ଥିତି ଏକପ୍ରକାର ଅସମ୍ଭାଳ। ନିକଟରେ ମନ୍ତ୍ରୀ ପଦ ହରାଇଥିବା ପୋଲସରା MLA ଶ୍ରୀକାନ୍ତ ସାହୁଙ୍କ କାନ୍ଦ ଏବଂ ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ ଅନ୍ତର୍ଦ୍ଧାନ ପରେ ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ହଟଚମଟ ସୃଷ୍ଟି କରିଛି ଜିଲ୍ଲାରେ। ତାହାରି ଭିତରେ ବିଜେପିର ‘ବିଜେଡି ମୁକ୍ତ ଗଂଜାମ’ ଆଭିମୁଖ୍ୟ ଉଷ୍ମ କରିଛି ଜିଲ୍ଲା ରାଜନୀତିକୁ।

Advertisment

ଗଞ୍ଜାମରେ ବିଜେଡିର ଗତି କୁଆଡ଼େ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଗଡ଼ରେ କେଉଁଠି ଉଷ୍ମ ରାଜନୀତି ତ ଆଉ କେଉଁଠି ଲୁହ ଗଡ଼ାଉଛନ୍ତି ରାଜନେତା। ଏକ ବିବାଦୀୟ ମାମଲା ପରେ ପରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବେ ଚର୍ଚ୍ଚାରେ। ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୨ ସପ୍ତାହ ପରେ ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀରେ ପତ୍ନୀଙ୍କୁ ସାଙ୍ଗରେ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ତା’ସହ ଲୁହ ଝରାଇଛନ୍ତି ଭରା ସଭାରେ।

ମନ୍ତ୍ରୀ ପଦରୁ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିବା ସହ କହିଛନ୍ତି, ମୋ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଏକ ଷଡ଼ଯନ୍ତ୍ର। ତା’ସହ କହିଛନ୍ତି, ପାଟି ଖୋଲିଲେ ସବୁ ଜଣାପଡ଼ିବ। ମୁଁ ପାଟି ଖୋଲିବିନି। ଏଠି ପ୍ରଶ୍ନ ଉଠୁଛି, ଏଭଳି ଲୁହ ଗଡ଼ାଇବା ପଛର କାରଣ କ’ଣ ? ମନ୍ତ୍ରୀ ପଦ ଯିବା ପରେ ଘାରିଛି କି ୨୪ ଟିକଟ ଚିନ୍ତା ?  

Advertisment

ସେପଟେ ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା। ଗତ ୩ ବର୍ଷ ଧରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚକ୍କର କାଟୁଥିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ। ବିଭିନ୍ନ ସଭା ସମିତି ସହ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା ତାଙ୍କୁ। ଏବେ କିନ୍ତୁ ଗୋପବନ୍ଧୁ ଦାସ ଅନ୍ତର୍ଧ୍ୟାନ। ତାଙ୍କ ସ୍ଥାନରେ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୋପାଳପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିଜର ପତିଆରା ବି ପ୍ରଦର୍ଶନ କରୁଛନ୍ତି। ଚର୍ଚ୍ଚା ହେଉଛି, ୨୪ ନିର୍ବାଚନରେ ସିଦ୍ଧାନ୍ତ ହୋଇପାରନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ବିକଳ୍ପ। 

ବିଜେଡିର ଏଭଳି ରାଜନୈତିକ ଛକାପଞ୍ଝା ଭିତରେ ଏବେ ‘ବିଜେଡି ମୁକ୍ତ ଗଞ୍ଜାମ’ ଆଭିମୁଖ୍ୟ ରଖି ବିଜେପି ତିଆରି କରିଛି ରଣନୀତି। ତେବେ ବିଜେଡ଼ି ଜିଲ୍ଲା ସଭାପତି କହିଛନ୍ତି, ଜିଲ୍ଲାରେ ଦଳ ସକ୍ରିୟ ଅଛି। ଆସନ୍ତା ନିର୍ବାଚନରେ ଆହୁରି ଭଲ କରିବ। 

BJD Sidhant Mohapatra
Advertisment
Advertisment