/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669647962.jpg)
Teachers Protest
ଶିକ୍ଷକମୟ ରାଜଧାନୀର ମାହାତ୍ମା ଗାନ୍ଧୀ ମାର୍ଗ । ପିଏମ୍ଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ । ଦୁଇ ଦିନ ଧରି ସ୍କୁଲ ଛାଡ଼ି ଧାରଣାରେ ହଜାର ହଜାର ଶିକ୍ଷକ । ଖୁଦ ପକାଇବାକୁ ରାହା ନାହିଁ । ତାରି ଭିତରେ ପାତର ଅନ୍ତର ନୀତିକୁ ନେଇ ସରକାର ବିରୋଧୀ ନାରାବାଜି, ବିକ୍ଷୋଭ, ପ୍ଲାକାର୍ଡ ପ୍ରଦର୍ଶନ । ଏପରିକି ଦାବି ପୂରଣ ନହେଲେ ପଦ୍ମପୁର ଓ ୨୦୨୪ ନିର୍ବାଚନରେ ଶାସକ ଦଳକୁ ଧାମନଗର ଭଳି ପ୍ରଭାବ ଦେବାକୁ ବି ଚେତାବନୀ ।
ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନ୍କ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ତିନି ଦଫା ଦାବି ନେଇ ଗତକାଲିଠୁ ବିଧାନସଭା ସମ୍ମୁଖରେ ଏମିତି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ଦାବି ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ନିଜକୁ ଫ୍ୟାନ୍ସି ଡ୍ରେସ୍ରେ ବି ସଜାଇଛନ୍ତି କେହି କେହି ଗୁରୁ । କିଏ ଖୋଲା ଦେହରେ ଦାବିକୁ ଲଟ୍କେଇ ଆଦିବାସୀ ବେଶରେ ନିଜକୁ ସଜାଇଛନ୍ତି ତ ଆଉ କିଏ ରାଣୀ ଲକ୍ଷ୍ମୀବାଇ, ମହାତ୍ମା ଗାନ୍ଧି, ପୁଣି ସୁଭାଷ ବୋଷ ବେଶରେ । ଦାବି ପୂରଣ ପାଇଁ ସେଇ ଠାଣିରେ ବି ସରକାରଙ୍କ ଉପରେ ଗର୍ଜନ ।
ବିଧାନସଭା ସାମ୍ନାରେ ଶିକ୍ଷକଙ୍କ ରଣହୁଙ୍କାର ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଶିକ୍ଷକଙ୍କ ଆନ୍ଦୋଳନ କଥା ଉଠାଇ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ନାରାବାଜି କରିଥିଲେ । ଠିକା ଯୁଗ ଶେଷ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି କାହିଁକି ଏମିତି ସ୍ଥିତି ? କାହିଁକି ଶିକ୍ଷକଙ୍କ ନାର୍ଯ୍ୟ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ଦୁଇ ଦୁଇଥର ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଶିକ୍ଷକ ଆନ୍ଦୋଳନ ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।
ଆନ୍ଦୋଳନ ତୀବ୍ରତର ହେଉଥିବା ଦେଖି ଗଣଶିକ୍ଷା ବିଭାଗ ସଚିବ ଏସ୍ ଅଶ୍ୱସ୍ଥି ଆଜି ଶିକ୍ଷକ ପ୍ରତିନିନିଧିଙ୍କ ସହ ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଫଳରେ ଆନ୍ଦୋଳନକୁ ଜାରି ରଖିଛି ସଂଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)